ରାଜ୍ୟ ସରକାର ଚଳିତ ବର୍ଷ ୭.୫ କୋଟି ବୃକ୍ଷ ରୋପଣ କରିବେ

ଭୁବନେଶ୍ୱର: ଭୁବନେଶ୍ବର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟ ସରକାର, ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ କରିବେ ବୋଲି ଘୋଷଣା କରିଛନ୍ତି। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ବିସ୍ତାର କରିବା ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ। ପ୍ରଦୂଷିତ ପୃଥବୀର ଭୟାବହତାକୁ ହୃଦୟଙ୍ଗମ କରି ଅଧିକରୁ ଅଧିକ ସବୁଜ ପରିବେଶ ସୃଷ୍ଟି କରିବା ଏବଂ ପ୍ରକୃତିର ସଂରକ୍ଷଣ କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି। ପରିବେଶ ସଂରକ୍ଷଣ ପାଇଁ ନିଆଯାଉଥିବା ପଦକ୍ଷେପ, ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ଜୀବନଯାପନର ସହଜ ଏବଂ ସରଳ ମାଧ୍ୟମ ହେଇପାରିବ ।
ଆଜି କାଲି ଆମ ଜୀବନରେ ପ୍ଲାଷ୍ଟିକ ଅପରିହାର୍ଯ୍ୟ ହୋଇ ସାରିଛି, ବିଶେଷ ଭାବେ single-use plastic। ଆଜି ପ୍ଲାଷ୍ଟିକର ଅଧିକ ବ୍ୟବହାର ତିନିଗୋଟି ସମସ୍ୟା ଭାବେ ଉଭା ହୋଇଛି, ଜଳବାୟୁ ପରିବର୍ତ୍ତନ, ପ୍ରକୃତିର ଜଳ, ସ୍ଥଳ ଏବଂ ଜୈବ ବିବିଧତାରେ କ୍ଷୟ ଏବଂ ପ୍ରଦୂଷଣ ଓ ଆବର୍ଜନାର ସମସ୍ୟା। ଏହି ପରିପ୍ରେକ୍ଷୀରେ ପ୍ଲାଷ୍ଟିକ ବର୍ଜନ ଏକ ଗଣ ଆନ୍ଦୋଳନ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆମ ସରକାର ମଧ୍ୟ State Clean Air Programme ଆରମ୍ଭ କରିଛନ୍ତି । ଏହା ଜନସଂଖ୍ୟା ବହୁଳ ସହରାଞ୍ଚଳ ମାନଙ୍କରେ ବାୟୁ ପ୍ରଦୂଷଣର ମାତ୍ରା କମାଇବ ଏବଂ ବାୟୁମଣ୍ଡଳରେ Air Quality ବୃଦ୍ଧି ଘଟିବ। ସେଥିପାଇଁ State Pollution Control Board ମଧ୍ୟ ତତ୍ପର ଅଛି। ଆମ ସରକାର ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ ନିଷେଧ ସହ ଏହାର ଦୀର୍ଘସ୍ଥାୟୀ ବିକଳ୍ପକୁ ପ୍ରୋତ୍ସାହନ ଏବଂ ବର୍ଜ୍ୟ ପରିଚାଳନା ପ୍ରଣାଳୀକୁ ସଶକ୍ତ କରିବା ପାଇଁ ସକ୍ରିୟ ପଦକ୍ଷେପ ନେଇଛନ୍ତି। ସମାଜରେ ପ୍ରକୃତ ପରିବର୍ତ୍ତନ ଆଣିବାକୁ ହେଲେ ଏହା ପ୍ରଥମେ ନିଜ ଓ ନିଜ ପରିବାରଠାରୁ ଆରମ୍ଭ ହେବା ଆବଶ୍ୟକ। ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନରେ ରାଜ୍ୟ ସରକାର ପ୍ରାୟ ସାଢେ 6 କୋଟି ରୁ ଉର୍ଦ୍ଧ୍ୱ ଗଛ ଲଗାଇ ଏହି ଅଭିଯାନକୁ ସଫଳ କରିଛନ୍ତି ବୋଲି ସେ କହିଥିଲେ।
ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ପରିବେଶ ସୁରକ୍ଷା ତଥା ଏହାର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ଜିଲ୍ଲାର ୧୮୫ ପ୍ରକୃତି ମିତ୍ର ଏବଂ ୨୧୧ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଅନୁଷ୍ଠାନ ତଥା ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଉଛି । “Ending Plastic Pollution” ଉପରେ ରାଜ୍ୟସ୍ତରର ଇକୋ-ମଡେଲ ପ୍ରଦର୍ଶନୀର ସମସ୍ତ ଅଂଶଗ୍ରହଣକାରୀ ଓ ବିଜେତା ମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ପ୍ଲାଷ୍ଟିକ୍ ପ୍ରଦୂଷଣକୁ ସମାପ୍ତ କରିବା ସହ ଆମ ନାଗରିକଙ୍କ ପାଇଁ ଏକ ସୁସ୍ଥ ଓ ସ୍ବଚ୍ଛ ପରିବେଶ ବଜାୟ ରଖିବା ପାଇଁ ଆଜି ଆମେ ସଂକଳ୍ପ ନେବା। ଏ ଦିଗରେ ଆପଣ ମାନଙ୍କ ଉଦ୍ୟମ, ମନୋବୃତ୍ତି ଓ ନିଷ୍ଠାପରତାକୁ କାମନା କରୁଛି। ଏକ ସୁସ୍ଥ ସମାଜ ପାଇଁ ଏକ ସୁସ୍ଥ ପରିବେଶ ଦରକାର ଏବଂ ପରିବେଶ ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ସମାରୋହରେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ‘ଏକ ପେଡ ମା କେ ନାମ’ କାର୍ଯ୍ୟକ୍ରମରେ କୃଷି ଶିକ୍ଷା ସଦନ ଠାରେ ପରୀକ୍ଷରୋପଣ କରିଥିଲେ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ର ଛାତ୍ରୀଙ୍କ ଦ୍ୱାରା ପରିବେଶ ଦିବସ ଉପଲକ୍ଷେ ପ୍ରଦର୍ଶନୀ ବୁଲି ଦେଖିଥିଲେ।
କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ, State Pollution Control Board ସଦସ୍ୟା ତଥା ସଚିବ ଉମା ନାନ୍ଦୁରୀ ଧନ୍ୟବାଦ ଦେଇଥିଲେ। ଏହି ସମାରୋହରେ, ପି.ସି.ସି.ଏଫ୍ ଏବଂ ଏଚ୍.ଓ. ଏଫ୍.ଏଫ୍ ଏସ୍. ପନ୍ଥ, ବିଭାଗୀୟ ନିର୍ଦ୍ଦେଶକ, ଡ. କେ. ମୁରୁଗେସନ୍ ଙ୍କ ସହ ପରିବେଶବିତ ଓ ବୈଜ୍ଞାନିକ ମାନେ ମଧ୍ୟ ଉପସ୍ଥିତ ଥିଲେ।