ରାଷ୍ଟ୍ରପତି ଭବନରେ ରାକ୍ଷୀ ପୂର୍ଣ୍ଣିମା ପାଳିଲେ ଏକଲବ୍ୟ ଆବାସିକ ବିଦ୍ୟାଳୟର ବିଦ୍ୟାର୍ଥୀ

ଭୁବନେଶ୍ବର: ରାଷ୍ଟ୍ରପତି ଭବନରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ରାକ୍ଷୀ ପୂର୍ଣ୍ଣିମା ପାଳିଛନ୍ତି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର 20 ଜଣ ବିଦ୍ୟାର୍ଥୀ। ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାର ଲାଇଂ, ଭବାନୀପୁର, ମହାସିଙ୍ଗ ଓ ଫିରିଙ୍ଗିଆ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବିଦ୍ୟାର୍ଥୀ ଓ 4 ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇବା ପରେ ରାକ୍ଷୀ ପୂର୍ଣ୍ଣିମା ପାଳିବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ।
ଏହି ବିଶେଷ ଅବସରରେ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଲାଇଂର ପାଞ୍ଚଜଣ ଛାତ୍ରୀ ମାନ୍ୟବର ରାଷ୍ଟ୍ରପତିଙ୍କୁ ପାରମ୍ପରିକ ରାକ୍ଷୀ ପିନ୍ଧାଇଛନ୍ତି। ଏଥିସହ ମାନ୍ୟବର ରାଷ୍ଟ୍ରପତିଙ୍କୁ ରାଧା-କୃଷ୍ଣଙ୍କ କଳାକୃତି ପ୍ରଦାନ କରିଥିଲେ। ଧାନରେ ତିଆରି ଶ୍ରୀଜଗନ୍ନାଥଙ୍କ ମୁଖ କଳାକୃତିକୁ ନେଇ ରାକ୍ଷୀ ପ୍ରସ୍ତୁତ କରାଯାଇଛି, ଯାହା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରିଥିଲା। ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତି ଭବନର ଐତିହ୍ୟକୁ ଅନୁଭବ କରିଥିଲେ ଏବଂ ଭାରତର ପ୍ରଥମ ନାଗରିକଙ୍କ ଉପସ୍ଥିତିରେ ଏହି ଉତ୍ସବ ପାଳନ କରି ନିଜର ଆନନ୍ଦ ପ୍ରକାଶ କରିଥିଲେ।