ରୁଷ ଉପରେ ବଡଧରଣର ଡ୍ରୋନ ଆକ୍ରମଣ: ୪୧ଟି ଲଢୁଆ ବିମାନ କ୍ଷତିଗ୍ରସ୍ତ

କିଭ: ୟୁକ୍ରେନ ପକ୍ଷରୁ ରବିବାର ରୁଷ ଉପରେ ବଡଧରଣର ଡ୍ରୋନ ଆକ୍ରମଣ କରାଯାଇଛି । ସେଥିରେ ରୁଷର ପାୟ ୪୧ଟି ଲଢୁଆ ବିମାନ ନଷ୍ଟ ହୋଇଥିବା କୁହାଯାଇଛି । ରୁଷ ପରିସୀମା ମଧ୍ୟରେ ୟୁକ୍ରେନ ଡ୍ରୋନଗୁଡିକ ପ୍ରବେଶ କରିବା ସହିତ ଏକାଧିକ ସ୍ଥାନ ଉପରେ ଆକ୍ରମଣ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ୟୁକ୍ରେନର ଗୋଇନ୍ଦା ସଂସ୍ଥା ପକ୍ଷରୁ ବିସ୍ଫୋରକ ବୋଝେଇ ଡ୍ରୋନଗୁଡିକୁ କାଠବାକ୍ସର ଛାତରେ ଲୁଚାଇ ରଖିଥିଲେ ଏବଂ ଉକ୍ତ କାଠ ବାକ୍ସଗୁଡିକୁ ଟ୍ରକ ଜରିଆରେ ସେମାନଙ୍କର ଟାର୍ଗେଟ ଅଞ୍ଚଳଗୁଡିକ ନିକଟକୁ ନିଆଯାଇଥିଲା । ସେଗୁଡିକ ସେଠାରେ ପହଞ୍ଚିବା ପରେ ଡ୍ରୋନଗୁଡିକୁ ସକ୍ରିୟ କରିଦିଆଯାଇଥିଲା ଯାହାଫଳରେ ଏକକାଳୀନ ବହୁସଂଖ୍ୟକ ଡ୍ରୋନ ଉଡାଣ କରିବା ସହିତ ରୁଷର ବୋମାବର୍ଷୀ ବିମାନଗୁଡିକ ଉପରେ ଆକ୍ରମଣ କରିଥିଲେ ।
ୟୁକ୍ରେନର ଜଣେ ନିରାପତ୍ତା ଅଧିକାରୀ କହିଛନ୍ତି, ‘ସ୍ପାଇଡରସ୍‌ ୱେବ’ ନାମରେ ନାମିତ ଏହି ଅଭିଯାନରେ ରୁଷର ଚାରିଟି ବାୟୁସେନା ଘାଟୀକୁ ଟାର୍ଗେଟ କରାଯାଇଥିଲା ଏବଂ ରୁଷ ମଧ୍ୟରେ ଗଭୀରତମ ଅଞ୍ଚଳରେ ଏଭଳି ଆକ୍ରମଣ ପ୍ରଥମ ଥର ପାଇଁ କରାଯାଇଛି । ଏହି ଆକ୍ରମଣକୁ ବ୍ୟକ୍ତିଗତ ଭାବରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କି ତଦାରଖ କରିଥିଲେ । ଏଥିରେ ବାସ୍ତବରେ ରୁଷର କେତେକ ସଂଖ୍ୟକ ବିମାନ ନଷ୍ଟ ହୋଇଛି ତାହା ନିର୍ଦ୍ଦିଷ୍ଟ ଭାବରେ ଜଣାପଡିନଥିଲେ ମଧ୍ୟ ସେଗୁଡିକର ସଂଖ୍ୟା ୪୧ ବୋଲି କୁହାଯାଉଛି । ତେବେ ୟୁକ୍ରେନ ପକ୍ଷରୁ ରୁଷର ଭିତରେ ଏଭଳି ଆକ୍ରମଣ ତିନିବର୍ଷରୁ ଅଧିକ କାଳ ଧରି ଚାଲିଥିବା ଯୁଦ୍ଧରେ ପ୍ରଥମ ଥର କରାଯାଇଛି । ରୁଷ ଭିତରେ ଆକ୍ରମଣ କରାଯାଇଥିବା ଅନ୍ୟତମ ସ୍ଥାନ ହେଉଛି ଇରକୁସ୍କ ଅଞ୍ଚଳ, ଯାହା ସମ୍ମୁଖ ସୀମାନ୍ତ ଅଞ୍ଚଳରୁ ପ୍ରାୟ ୪୩୦୦ କିଲୋମିଟର ଦୂରରେ ରହିଛି । ସେଠାରେ ରୁଷର ଟିୟୁ-୨୨ଏମ୍‌ ସୁପରସୋନିକ ବମ୍ବର ରଖାଯାଇଥିଲା । ସେଠାରେ ଆକ୍ରମଣ କରାଯିବା ଦ୍ୱାରା ରୁଷର ଅନେକ ବିମାନ ନଷ୍ଟ ହୋଇଥିବା ୟୁକ୍ରେନ ଦାବି କରିଛି । ରୁଷ ମଧ୍ୟ ୟୁକ୍ରେନ ପକ୍ଷରୁ ଏଭଳି ଆକ୍ରମଣକୁ ସ୍ୱୀକାର କରିଛି । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ ପକ୍ଷରୁ ମର୍ମନସ୍କ, ଇରକୁସ୍କ, ଇଭାନୋଭୋ, ରିୟାଜାନ ଏବଂ ଆମୁର ଆଦି ବାୟୁସେନା ଘାଟୀ ଉପରେ ଆକ୍ରମଣ କରାଯାଇଛି । ତେବେ ସେଥିରେ କେହି ମୃତାହତ ହୋଇନାହାନ୍ତି ଏବଂ ଡ୍ରୋନ ଆକ୍ରମଣ ପରେ ଲାଗିଥିବା ନିଆଁକୁ ଲିଭାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *