ସିକଲ୍ ସେଲ୍ ଏବଂ ଥାଲାସେମିଆ ପରିଚାଳନା ବୈଠକ

ଭୁବନେଶ୍ୱର: ସିକଲ୍ ସେଲ୍ ଏବଂ ଥାଲାସିମିଆ ପରିଚାଳନା ବୈଠକ କମିଶନର ତଥା ଶାସନ ସଚିବ ଅସ୍ବତୀ ଏସ.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଛି। ବୈଠକରେ ରାଜ୍ୟରେ ସିକଲ୍ ସେଲ୍ ଓ ଥାଲାସିମିଆର ବର୍ତ୍ତମାନ ସ୍ଥିତି, ପ୍ରାରମ୍ଭିକ ସନ୍ଧାନ, ପ୍ରତିରୋଧୀମୂଳକ ବ୍ୟବସ୍ଥା, ଚିକିତ୍ସା ସୁବିଧା ଓ ରୋଗୀ ସେବା ସମ୍ପର୍କରେ ସମୀକ୍ଷା କରାଯାଇଛି। ଏହି ବୈଠକରେ ସ୍କ୍ରିନିଂ ପ୍ରୋଗ୍ରାମ୍, ଜିନେଟିକ କାଉନସିଲିଙ୍ଗ, ନିଦାନ ସୁବିଧା ବାବଦରେ ଆଲୋଚନା କରାଯାଇଛି। ଏନ୍ଏଚ୍‌ଏମ୍ ମିଶନ୍ ଡିରେକ୍ଟର୍ ଡ଼. ବୃଦ୍ଧା ଡି. ପିପିଟି ପ୍ରେଜେଣ୍ଟେସନ ମାଧ୍ୟମରେ ବିସ୍ତ୍ରୁତ ବିବରଣୀ ପ୍ରଦାନ କରିଥିଲେ।

ଓଡ଼ିଶାର ୨୧ଟି ଜିଲ୍ଲା, ଯଥା- ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମଲ୍କାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼କୁ  ଜାତୀୟ ସିକେଲ ସେଲ ଆନିମିଆ ନିରାକରଣ ମିଶନ୍ ଅନ୍ତର୍ଗତ କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ବିଭିନ୍ନ ମାଧ୍ୟମରେ ସିକେଲ ସେଲ ପରୀକ୍ଷା ସୁବିଧା ଯୋଗାଇ ଦିଆଯାଉଛି।

ବିଦ୍ୟାଳୟ ଓ ଆଙ୍ଗନବାଡ଼ି କେନ୍ଦ୍ର ସ୍ତରରେ ଜନ୍ମଠୁ ୧୮ ବର୍ଷ ଅବଧିର ଶିଶୁମାନଙ୍କୁ RBSK ଟିମ୍ ଦ୍ୱାରା ସ୍କ୍ରିନିଂ ଏବଂ ଗର୍ଭବତୀ ମହିଳାମାନଙ୍କୁ ଆନ୍ଟିନେଟାଲ୍ କେୟାର ସମୟରେ ସ୍କ୍ରିନିଂ କରାଯାଉଛି। ଆଦିବାସୀ ଅଞ୍ଚଳରେ, ମୋବାଇଲ୍ ହେଲ୍ଥ୍ ୟୁନିଟ୍ ମାଧ୍ୟମରେ ପରୀକ୍ଷା ସୁବିଧା ଯୋଗାଇଦିଆଯାଉଛି। ସହର ଅଞ୍ଚଳରେ, ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ପରୀକ୍ଷା ସୁବିଧା କରାଯାଇଛି।

କାର୍ଯ୍ୟକ୍ରମ ଆରମ୍ଭ (ଜୁଲାଇ ୨୦୨୩) ଠାରୁ ୨୦୨୫-୨୬ ଅବଧି ପର୍ଯ୍ୟନ୍ତ ୪୬.୬୫ ଲକ୍ଷ ପରୀକ୍ଷା କରାଯାଇଛି। ଏଥିରୁ ୯୭,୫୦୧ ଜଣ ସିକେଲ ସେଲ ପରୀକ୍ଷା ପୋଜିଟିଭ ଚିହ୍ନିତ ହୋଇଛି। ଚିହ୍ନିତ ରୋଗୀମାନଙ୍କୁ ସରକାରୀ ହସ୍ପିଟାଲ୍‌ରେ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ପ୍ରତ୍ୟେକ ପଞ୍ଜିକୃତ ସିକେଲ ସେଲ ରୋଗୀଙ୍କୁ ଯାତାୟାତ ଖର୍ଚ୍ଚ ପାଇଁ ତାଙ୍କର ବ୍ୟାଙ୍କ ଖାତାକୁ ପ୍ରତିମାସ ପାଞ୍ଚ ଶହ ଟଙ୍କା  ଏବଂ ମାଗଣା ରକ୍ତ ଯୋଗାଇଦିଆଯାଉଛି। ବ୍ଲଡ୍ ପ୍ୟାକ୍ ସର୍ଭିସ୍ ଚାର୍ଜରୁ ସେମାନଙ୍କୁ ମୁକ୍ତ କରାଯାଇଛି। ସରକାରୀ ହସ୍ପିଟାଲ୍‌ରେ ମାଗଣା ଔଷଧ ଦିଆଯାଉଛି। ୧୨ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପାଇଁ ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ ପାଇଁ ସର୍ବୋଚ୍ଚ ୧୦ ଲକ୍ଷ ଟଙ୍କା ଅର୍ଥ ସାହାଯ୍ୟ ଯୋଗାଇଦିଆଯାଉଛି। ସଭାରେ ସ୍ଵତନ୍ତ୍ର ସଚିବ ଡା. ବିଜୟ ମହାପାତ୍ର, ସ୍ଵତନ୍ତ୍ର ସଚିବ ସ୍ମିତା ବିଶ୍ୱାଳ, ଡା. ଜିତେନ୍ଦ୍ର ବେବର୍ତା, ନିର୍ଦ୍ଦେଶକ ଡା. ବିଶ୍ୱମୋହନ ମିଶ୍ର, ଯୁଗ୍ମ ସଚିବ ଶ୍ରୀକାନ୍ତ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *