‘ସିକିଲ୍ ସେଲ୍ ନିରାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି’

ଭୁବନେଶ୍ୱର: ବିଶ୍ଵ ସିକିଲ୍ ସେଲ୍ ଦିବସ ଉପଲକ୍ଷେ ୟୁନିସେଫ୍ ଏବଂ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ସଚେତନତା ଶିବିର ସ୍ଥାନୀୟ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି. ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସିକିଲ୍ ସେଲ୍ ନିରାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୨୧ଟି ସମ୍ବେଦନଶୀଳ ଜିଲ୍ଲାରେ ରୋଗର କ୍ଷେତ୍ର ସ୍ତରୀୟ ଚିହ୍ନଟ (ସ୍କ୍ରିନିଂ) ଉପରେ ଗୁରୁତ୍ଵ ଆରୋପ କରାଯାଇଥିଲା।  ଅନୁଗୁଳ, ବଲାଙ୍ଗିର, ବାଲେଶ୍ବର, ବରଗଡ଼, ବୌଦ୍ଧ, ବେବଗଡ, ଗଜପତି, ଗଞ୍ଜାମ, ଝାରଶୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ ଆଦି ଜିଲ୍ଲାରେ ୪୦ ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରାଯାଇ ପ୍ରାୟ ୯୨୦୦୦ ସିକିଲସେଲ ରୋଗୀ ଚିହ୍ନଟ କରାଯାଇଥିଲା।

ବର୍ତ୍ତମାନ ଅତ୍ୟାଧୁନିକ ସ୍କ୍ରିନିଂ ବ୍ୟବସ୍ଥା, ବ୍ୟାପକ ସଚତନତା ଏବଂ ଦୃଢ ଗୋଷ୍ଠୀ ସଂପୃକ୍ତି ମାଧ୍ୟମରେ ରୋଗୀମାନଙ୍କର ଯତ୍ନ ଏବଂ ରୋଗ ନିରାକରଣ ଅଭିଯାନ ଚାଲୁ ରହିଛି। ଜନ ସମୁଦାୟରେ ବିଶେଷତଃ ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ମଧ୍ୟରେ ସିକିଲ୍ ସେଲ୍ ର ବୋଝ କମାଇ ନାଗରିକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ହେଉଛି ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ୟୁନିସେଫ୍ ର ଓଡ଼ିଶା ଦାୟିତ୍ୱରେ ଥିବା ମାନ୍ନା ବିଶ୍ୱାସ ଏହି ଶିବିରରେ ଯୋଗଦେଇ କହିଥିଲେ ବିଳମ୍ବରେ ରୋଗ ନିରୂପଣ ଭଳି ସମସ୍ୟା ଗୁଡିକର ସମାଧାନ କରିବାକୁ ହେବ। ଏହି ସମସ୍ୟା ବିଶେଷତଃ ପଛୁଆ ବର୍ଗ ଏବଂ ଆଦିବାସୀ ଜନଜାତିମାନଙ୍କ ମଧ୍ୟରେ ପରିଲକ୍ଷିତ ହୁଏ। ବ୍ୟାପକ ସଚେତନତା ଏବଂ ଗୋଷ୍ଠୀ ସହଯୋଗ ମାଧ୍ୟମରେ ରୋଗକୁ ପ୍ରଥମରୁ ଚିହ୍ନଟ କରାଯାଇପାରିବ। ପ୍ରାଥମିକ ଅବସ୍ଥାରୁ ଚିହ୍ନଟ ହେଲେ ରୋଗର ସୁପରିଚାଳନା କରାଯାଇପାରିବ ଯାହାକି ସିକିଲ ମୁକ୍ତ ଭବିଷ୍ୟତ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ହେବ। ଶିବିରରେ ସିକିଲ୍ ସେଲ୍ କୁ ଜୟ କରିଥିବା ଯୋଦ୍ଧା ମାନଙ୍କର ଆତ୍ମକଥା ବେଶ ହୃଦୟସ୍ପର୍ଶୀ ଓ ପ୍ରେରଣାଦାୟକ ହୋଇଥିଲା। ସ୍ଵାସ୍ଥ୍ୟ ବିଭାଗ ସ୍ଵତନ୍ତ୍ର ଶାସନ ସଚିବ ଡାକ୍ତର ମୋହନ ବେବର୍ତ୍ତା, ରାଜ୍ୟ ରକ୍ତ ସୁରକ୍ଷା ନିର୍ଦ୍ଦେଶକ ଡାକ୍ତର ପ୍ରଦୀପ କୁମାର ପାତ୍ର, ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡାକ୍ତର ଦିଲୀପ କୁମାର ପଣ୍ଡା, ଭେଷଜ ଶିକ୍ଷା ଓ ତାଲିମର ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର ଉମାକାନ୍ତ ଶତପଥୀ ପ୍ରମୁଖ ଏହି ଶିବିରରେ ଭାଗ ନେଇ ସିକିଲସେଲ ନିରାକରଣର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ ମିଶନ ଦ୍ଵାରା ପ୍ରସ୍ତୁତ ପୋଷ୍ଟର, ଆନିମେସନ ଭିଡିଓ, ରୋଗୀ ପୁସ୍ତିକା ଏବଂ ସୂଚନା ଶିକ୍ଷା ଓ ଯୋଗାଯୋଗ ପତ୍ର ଆଦିକୁ ମଞ୍ଚାସୀନ ଅତିଥିମାନେ ଉନ୍ମୋଚନ କରିଥିଲେ।

Leave a Reply

Your email address will not be published. Required fields are marked *