ସୂଚନା ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ସି.ଆଇ.ଆଇ.-ଓଡ଼ିଶା ଆଇ.ଟି. ପ୍ୟାନେଲ୍‍ର ମିଳିତ ବୈଠକ

ଭୁବନେଶ୍ୱର: ରାଜ୍ୟରେ ସୂଚନା ପ୍ରଯୁକ୍ତିବିଦ୍ୟା ଶିଳ୍ପର ପ୍ରକୃଷ୍ଟ ବିକାଶ ପାଇଁ  ଦୃଢ଼ ଶିକ୍ଷାନୁଷ୍ଠାନ-ଶିଳ୍ପ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଶିଳ୍ପ ଆବଶ୍ୟକତା ସହିତ ଶୈକ୍ଷିକ ପାଠ୍ୟକ୍ରମକୁ ସମନ୍ୱିତ କରିବା, ଗବେଷଣା କାର୍ଯ୍ୟରେ ସହଭାଗିତାକୁ ପ୍ରୋତ୍ସାହିତ କରିବା ଏବଂ ଛାତ୍ରମାନଙ୍କ ମଧ୍ୟରେ ନବସୃଜନର ବିକାଶ ପାଇଁ ଉପଯୁକ୍ତ ମଞ୍ଚ ସୃଷ୍ଟି କରିବା ଜରୁରୀ ବୋଲି ବୁଧବାର ଭାରତୀୟ ଶିଳ୍ପ ମହାସଙ୍ଘ (ସି.ଆଇ.ଆଇ.)ର ସୂଚନା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସବ୍‍କମିଟି ଏବଂ ସି.ଆଇ.ଆଇ. ଓଡ଼ିଶା ରାଜ୍ୟ ଆଇ.ଟି. ପ୍ୟାନେଲର ମିଳିତ ବୈଠକରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମାନେ ଦୃଢ଼ ମତ ପ୍ରକାଶ କରିଥିଲେ ।

ଏହି ବୈଠକରେ ପ୍ରମୁଖ ସରକାରୀ ଅଧିକାରୀ, ଆଇ.ଟି. ଶିଳ୍ପ ପ୍ରତିନିଧି ଓ ବିଶିଷ୍ଟ ହିତଧାରକମାନେ ଯୋଗଦେଇ ବିକାଶମୁଖୀ ଡିଜିଟାଲ ପରିଦୃଶ୍ୟ ଏବଂ ପ୍ରଯୁକ୍ତିବିଜ୍ଞାନର ଭବିଷ୍ୟତ ନିର୍ମାଣରେ ପୂର୍ବ-ଭାରତର ଭୂମିକା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ବୈଠକରେ ନିମନ୍ତ୍ରିତ ଅତିଥିଭାବେ ଯୋଗ ଦେଇଥିବା ରାଜ୍ୟ ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା ଉପରୋକ୍ତ  ପରାମର୍ଶଗୁଡ଼ିକୁ ସ୍ୱାଗତ କରିଥିଲେ ଏବଂ ସହଯୋଗମୂଳକ ଉଦ୍ୟମ ପ୍ରତି ସରକାରଙ୍କ ଖୋଲା ମନୋଭାବ ବିଷୟରେ ସମସ୍ତଙ୍କୁ ଆଶ୍ୱାସନା ଦେଇଥିଲେ ।

ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷ ପ୍ରସେନଜିତ୍‍ ସେନଗୁପ୍ତା ତାଙ୍କ ଅଭିଭାଷଣରେ ଆଞ୍ଚଳିକ ସହଯୋଗର ଗୁରୁତ୍ୱ ଏବଂ ମିଳିତ ବୈଠକର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ସଂଗେ ସଂଗେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପଲିସିର ପ୍ରଚାର ଓ ସମର୍ଥନ, ଆଇ.ଟି. ପରିବେଶର ବିକାଶ ଏବଂ ପ୍ରତିଭା କୃଷ୍ଟି ପାଇଁ ଏକୀକୃତ ଦୃଷ୍ଟିକୋଣର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ମୁଖ୍ୟ ଭାଷଣ ପରେ ସିଆଇଆଇ ପକ୍ଷରୁ ପୂର୍ବାଞ୍ଚଳରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉପରେ ଦୁଇଟି ବିସ୍ତୃତ ଉପସ୍ଥାପନା ଅଣାଯାଇଥିଲା । ଏହି ଉପସ୍ଥାପନାଗୁଡ଼ିକରେ ଅଞ୍ଚଳର କ୍ରମବର୍ଦ୍ଧମାନ ଉଦ୍ୟମିତା ମନୋଭାବ, ମୁଣ୍ଡ ଟେକି ଉଠୁଥିବା ନବସୃଜନ ହବ୍‍ ଏବଂ ଷ୍ଟାର୍ଟଅପ୍‌ଗୁଡ଼ିକୁ ସଶକ୍ତ କରିବା ପାଇଁ ବିକଶିତ ହେଉଥିବା ସହାୟକ ତନ୍ତ୍ର ଉପରେ ବିଶଦ ଉଲ୍ଲେଖ ହୋଇଥିଲା । ଏକ ଦୃଢ଼ ଷ୍ଟାର୍ଟଅପ୍ ସଂସ୍କୃତି ନିର୍ମାଣର ଭିତ୍ତିଭୂମି, ପ୍ରାୟୋଜକ ଏବଂ ପାଣ୍ଠି ସୁବିଧାର ଉପଲବ୍‍ଧତା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ।

ସରକାରଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀ ପଣ୍ଡା ତାଙ୍କ ପ୍ରଭାବୀ ଭବିଷ୍ୟତବାଦୀ ଆଲୋଚନାରେ ଡିଜିଟାଲ ପରିବର୍ତ୍ତନ ପାଇଁ ରାଜ୍ୟର ପ୍ରଗତିଶୀଳ ଦୃଷ୍ଟିକୋଣ ସଂପର୍କରେ ଉଲ୍ଲେଖ କରିଥିଲେ । ସେ ପୂର୍ବରୁ ପ୍ରଚଳିତ ଏବଂ ପାଇପଲାଇନରେ ଥିବା ବିଭିନ୍ନ ନୀତି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି କହିଥିଲେ, ଏହିସବୁ ନଈତିର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଆଇ.ଟି. ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳରେ ପରିଣତ କରିବା ।

ଶ୍ରୀ ପଣ୍ଡା କହିଥିଲେ ଯେ ଭୁବନେଶ୍ୱର ଏବଂ ଓଡ଼ିଶାର ଅନ୍ୟାନ୍ୟ ସହରଗୁଡ଼ିକ ଆଇ.ଟି. ଶିଳ୍ପ ପାଇଁ ଗୁରୁତ୍ୱ ବହନ କରନ୍ତି ।  ଏକ ସକ୍ରିୟ ନିବେଶକ-ଅନୁକୂଳ ସରକାର, ଏକ ସମୃଦ୍ଧ ଇକୋସିଷ୍ଟମ, ବିଶ୍ୱସ୍ତରୀୟ ଭିତ୍ତିଭୂମି, ସୁଗମ ସଂଯୋଗ ଏବଂ ଏକ ବିଶାଳ ପ୍ରତିଭା ପୁଲ ସମେତ ସେମାନଙ୍କ ପାଇଁ ବହୁ ସୁବିଧା ହାତପାଆନ୍ତାରେ ରହିଛି । ସେ ଉଲ୍ଲେଖ କରିଥିଲେ ଯେ ରାଜ୍ୟ କେବଳ ନୀତି ଘୋଷଣା କରୁନାହିଁ, ବରଂ ନୀତି ପ୍ରବର୍ତ୍ତନର କିଛିମାସ ମଧ୍ୟରେ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରିବାର ନିର୍ଦ୍ଦେଶାବଳୀ (OGs) କାର୍ଯ୍ୟକାରୀ କରିବାକୁ ମଧ୍ୟ ପ୍ରତିବଦ୍ଧ । ଏହାଦ୍ୱାରା ଦ୍ରୁତ ଏବଂ ପ୍ରଭାବୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ ହୋଇପାରିବ ।

ଭାରତର ରାଜ୍ୟଗୁଡ଼ିକ ଜାତୀୟ ଡିଜିଟାଲ ସଶକ୍ତୀକରଣ ଯାତ୍ରାରେ ପରସ୍ପର ସହିତ ପ୍ରତିଯୋଗିତା କରିବା ପରିବର୍ତ୍ତେ ପରିପୂରକ ହେବା ଉଚିତ ବୋଲି ମତ ଦେଇ ଏକ ସମନ୍ୱିତ ଏବଂ ସମାବେଶୀ ଡିଜିଟାଲ ଭାରତ ଗଠନ ପାଇଁ ଅଧିକ ଅନ୍ତଃରାଜ୍ୟ ସହଯୋଗ ତଥା ଜ୍ଞାନ ବିନିମୟ ପାଇଁ ସେ ଆହ୍ୱାନ ଦେଇଥିଲେ । ଏହାପରେ ଅନୁଷ୍ଠିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଶିଳ୍ପ ପ୍ରତିନିଧି ଏବଂ ହିତଧାରକମାନେ ଶ୍ରୀ ପଣ୍ଡାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଶ୍ରୀ ପଣ୍ଡା ତାଙ୍କ ଉତ୍ତରରେ ସମସ୍ତ ଦ୍ୱନ୍ଦ୍ୱର ସମାଧାନ କରିବା ସହ  ସରକାରଙ୍କ ପ୍ରଯୁକ୍ତିବିଦ୍ୟା ରଣକୌଶଳ ସମ୍ପର୍କରେ ପ୍ରଶ୍ନକର୍ତ୍ତାମାନଙ୍କୁ ଅବଗତ କରାଇଥିଲେ । ରାଜ୍ୟରେ ସୂଚନା ପ୍ରଯୁକ୍ତିବିଦ୍ୟା ଶିଳ୍ପର ପ୍ରକୃଷ୍ଟ ବିକାଶ ପାଇଁ  ଦୃଢ଼ ଶିକ୍ଷାନୁଷ୍ଠାନ-ଶିଳ୍ପ ସହଯୋଗ, ଶିଳ୍ପ- ଆବଶ୍ୟକତା ସହିତ ଶୈକ୍ଷିକ ପାଠ୍ୟକ୍ରମର ସମନ୍ୱୟ, ଗବେଷଣା କାର୍ଯ୍ୟରେ ସହଭାଗିତାକୁ ପ୍ରୋତ୍ସାହନ ଏବଂ ଛାତ୍ରମାନଙ୍କ ମଧ୍ୟରେ ନବସୃଜନର ବିକାଶ ପାଇଁ ଉପଯୁକ୍ତ ମଞ୍ଚ ସୃଷ୍ଟି ଆଦି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଅଂଶଗ୍ରହଣକାରୀ ବିଶେଷଜ୍ଞମାନେ  ମତ ପ୍ରକାଶ କରିଥିଲେ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ମୂଲ୍ୟବାନ ଅବଦାନ ପାଇଁ କୃତଜ୍ଞତା ଜଣାଇ ଶ୍ରୀ ପ୍ରସେନଜିତ୍‍ ସେନଗୁପ୍ତ ଏବଂ ମନୋଜିତ୍‍ ସେନଗୁପ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *