ସେପ୍ଟେମ୍ବର ୧୭ରେ ସମସ୍ତ ଜିଲ୍ଲାରେ ୨୩ ଲକ୍ଷ ଚାରା ରୋପଣ

ଭୁବନେଶ୍ୱର: ମା ପାଇଁ ବୃକ୍ଷଟିଏ (ଏକ ପେଡ଼୍ ମା କେ ନାମ) ପ୍ରୟାସର ଅଂଶସ୍ୱରୂପ ଓଡ଼ିଶା ସରକାରଙ୍କ ପକ୍ଷରୁ ଆସନ୍ତା ୧୭ ତାରିଖରେ ୭୫ ଲକ୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ମହତ ପ୍ରୟାସରେ ସହଭାଗୀ ହୋଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସମସ୍ତ କାର୍ଯ୍ୟାଳୟ ତଥା ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ସମେତ ସାରା ରାଜ୍ୟରେ ୨୩ ଲକ୍ଷରୁ ଅଧିକ ଚାରା କାର୍ଯ୍ୟାଳୟ ପରିସର ଓ ଅନ୍ୟାନ୍ୟ ଉପଲବ୍ଧ ସ୍ଥାନରେ ରୋପଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ଜିଲ୍ଲାର କୃଷି ବିଭାଗ ଅଧିକାରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଅତି କମ୍ ରେ ଗୋଟିଏ ଚାରାରୋପଣ କରିବାକୁ କୃଷି ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପରାମର୍ଶ ଦେଇଛନ୍ତି। ସମସ୍ତ ୨୩ ଲକ୍ଷ ଚାରା ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ୱାରା ଯୋଗାଇ ଦିଆଯିବ। ଏଥିସହିତ ଚାରାରୋପଣର ଫଟୋ ଉଠାଇ ଏହାକୁ MeriLiFE ପୋର୍ଟାଲରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତୁ ସମସ୍ତଙ୍କ ମିଳିତ ପ୍ରୟାସରେ ପୃଥିବୀକୁ ପୁଣିଥରେ ସବୁଜିମା ଭେଟି ଦେବା ବୋଲି ଡ. ପାଢ଼ୀ କହିଛନ୍ତି।