ସ୍କୁଲ, କଲେଜ୍ କ୍ୟାମ୍ପସକୁ ଡ୍ରଗ୍ସ ଫ୍ରି କରିବାକୁ ସମ୍ମିଳିତ ପଦକ୍ଷେପ ଓ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ  

ଭୁବନେଶ୍ୱର: ବେଆଇନ୍‌ ମାଦକ ଦ୍ରବ୍ୟ ଚୋରା ଚାଲାଣ ଏବଂ ନିଶାଦ୍ରବ୍ୟ ରୋକିବା ସଂପର୍କରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଲୋକ ସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା ୨୦୨୫ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ତଥା ଅଦ୍ୟାବଧି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ଅବକାରୀ ବିଭାଗ, ପୁଲିସ୍ ପ୍ରଶାସନ, ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଏବଂ ସଂପୃକ୍ତ ବିଭିନ୍ନ ବିଭାଗର  ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ସମୀକ୍ଷାରେ ମୁଖ୍ୟ ଶାସନ ସଚିବ ବିଶେଷକରି ବିଦ୍ୟାଳୟ, ମହାବିଦ୍ୟାଳୟ ପରିସର ଏବଂ ସଂଲଗ୍ନ ଅଂଚଳରେ ବେଆଇନ୍‌ ନିଶାଦ୍ରବ୍ୟ ବିକ୍ରୟ , ସେବନ ଓ କାରବାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ସବୁ ବିଦ୍ୟାଳୟ ମହାବିଦ୍ୟାଳୟକୁ ଡ୍ରଗ୍‌ ଫ୍ରି କ୍ୟାମ୍ପସ (ନିଶଦ୍ରବ୍ୟମୁକ୍ତ ପରିସର) କରିବା ପାଇଁ ସଚେତନ କରାଯିବା ସହିତ ନିରାପଦ ଶିକ୍ଷା ପରିବେଶ ସୃଷ୍ଟି ପାଇଁ ଜିରୋ ଟଲେରାନ୍ସ ନୀତି ପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। ସେଥିପାଇଁ ପିତାମାତା, ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଅଧ୍ୟକ୍ଷ ଅଧ୍ୟକ୍ଷାମାନଙ୍କ ସହିତ ପୁଲିସ ପଦାଧିକାରୀମାନେ ମିଳିତ ଭାବେ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବାକୁ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗଠନ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ ପ୍ରଶାସନ, ଅବକାରୀ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଏବଂ ଅନ୍ୟ ସମ୍ପୃକ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଟାକ୍ସ ଫୋର୍ସ ମାଧ୍ୟମରେ ବ୍ୟାପକ ଚଢ଼ାଉ ଓ ସଚେତନତାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ, ମହାବିଦ୍ୟାଳୟ ପରିସର ଓ ସଂଲଗ୍ନ ଅଂଚଳରେ ସଚେତନତା ପାଇଁ ସୂଚନା, ଶିକ୍ଷା, ଯୋଗାଯୋଗ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପରାମର୍ଶ ଦିଆଯାଇଛି।

ନିଶା ସେବନ ପ୍ରତି ଅହେତୁକ ଆକର୍ଷଣ ଯୁବବର୍ଗଙ୍କୁ ଗଭୀର କ୍ଷତି ପହଁଚାଉଛି। ଏହା ସାମାଜିକ, ଆଇନଶୃଙ୍ଖଳା ଓ ରାଜ୍ୟର ଅର୍ଥନୈତିକ ସ୍ଥିତି ପ୍ରତି ଗଭୀର ଅନ୍ତରାୟ ସୃଷ୍ଟି କରୁଛି। ଓଡ଼ିଶାର ସୁଦୀର୍ଘ ବେଳାଭୂମି ଏବଂ ଆନ୍ତଃରାଜ୍ୟ ସୀମା ବେଆଇନ୍‌ ନିଶା କାରବାରକୁ ସୁହାଉଛି। ନିକଟରେ ବିଦେଶରୁ ଉଚ୍ଚ ମୂଲ୍ୟର ମାରିଜୁଆନା (ଗଞ୍ଜେଇ) ଏବଂ ହାଇଡ୍ରୋପୋନିକ୍‌ ମାରିଜୁଆନା (ଗଞ୍ଜେଇ) ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଜବତ ହୋଇଥିଲା। ଓଡ଼ିଶାରୁ ମଧ୍ୟ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପ୍ରମୁଖ ପ୍ରସଙ୍ଗ ହୋଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ବେଆଇନ୍ ମାଦକ ଦ୍ରବ୍ୟ ଚୋରା ଚାଲାଣ ଓ ନିଶା ଦ୍ରବ୍ୟ ସେବନ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରୁ ଜଣାପଡ଼ିଛି ଯେ, ୨୦୨୫ ଜୁଲାଇ ମାସ ଶେଷ ସୁଦ୍ଧା ୧୬୦୮ କ୍ୱିଣ୍ଟାଲ ଗଂଜେଇ ଜବତ କରାଯାଇ ୩୮୫ଟି ମାମଲା ରୁଜୁପୂର୍ବକ ୧୧୬୨ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୯କି.ଗ୍ରା ୭୯୯ ଗ୍ରାମ ବାଉନ୍‌ ସୁଗାର ଜବତ ହେବା ସହ ୧୪୨ଟି ମାମଲା ରୁଜୁ କରାଯାଇ ୨୯୨ ଜଣଙ୍କୁ ଗିରଫ କରାଯାଇଛି। ସେହିଭଳି ୧୦୦ମି.ଲି. ବିଶିଷ୍ଟ ୨୬,୮୭୪ ବୋତଲ ତରଳ କାଶ ଔଷଧ (କଫ୍  ସିରମ) ଜବତ ପୂର୍ବକ ୨୮ଟି ମାମଲା ରୁଜୁ କରାଯାଇ ୮୩ଜଣଙ୍କୁ ଗିରଫ କରାଯାଇଛି। ୨୭ହଜାର ୭୨୨ ଏକର ଗଞ୍ଜେଇ ଚାଷ ଜବତ କରାଯାଇ ୬୩୨ ମାମଲା ରୁଜୁ କରାଯାଇଛି। ବିଭିନ୍ନ ଜଙ୍ଗଲରେ ବ୍ୟାପକ ବେଆଇନ୍ ଗଞ୍ଜେଇ ଚାଷ ଓ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଆଲୋଚନା କରାଯାଇଥିଲା। ବୈକ୍ଷୟିକ ଜ୍ଞାନକୌଶଳ ବ୍ୟବହାରରେ ସର୍ବେକ୍ଷଣ ପ୍ରତି ବୈଠକରେ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ଜିଲ୍ଲାର ବେଆଇନ୍‌ ଗଞ୍ଜେଇ ଚାଷ ଓ ସେଠାରୁ ଚୋରା ଚାଲାଣର ଯୋଗାଣ ଶୃଙ୍ଖଳ (ସପ୍ଲାଏଚେନ୍‌) ରୋକାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ସେହିପରି ଅନ୍ୟ ରାଜ୍ୟକୁ ଓଡ଼ିଶାକୁ ଆସୁଥିବା ବେଆଇନ୍‌ ହେରୋଇନ୍‌ ପ୍ରବେଶକୁ ରୋକିବା ସଂପର୍କରେ ମଧ୍ୟ  କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା କରାଯାଇଥିଲା। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଂଚଳରେ ଅବକାରୀ ବିଭାଗ ତରଫରୁ ୨୭ ଏକର ଅଫିମ ଚାଷ ନଷ୍ଟ କରାଯାଇଥିବାବେଳେ ସଂଗଠିତ ବେଆଇନ୍‌ ଅଫିମ ଚାଷ ପ୍ରତି କାର୍ଯ୍ୟାନୁଷ୍ଠାନ ସଂପର୍କରେ ପଦକ୍ଷେପ ନିଆଯାଉଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ୨୦୨୪-୨୫ ବର୍ଷରେ ବିଭିନ୍ନ ୧୨ଟି ଜିଲ୍ଲାରେ ମୋଟ ୯୪୧୮.୮୧ ଏକର ବେଆଇନ୍‌ ଗଂଜେଇ ଚାଷ ନଷ୍ଟ କରାଯାଇ ୧କୋଟି ୨୭ଲକ୍ଷ ୪୨ ହଜାର ୭୨୦ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ବେଆଇନ୍‌ ମାଦକ ଦ୍ରବ୍ୟ ଚୋରା ଚାଲାଣ, ତଦନ୍ତ, ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଏବଂ ବେଆଇନ୍‌ ଯୋଗାଣ ଶୃଙ୍ଖଳ ରୋକିବା ପ୍ରତି ଦୃଢ଼ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ।

ଭୁବନେଶ୍ୱର, କଟକ ସହର ସମେତ ବିଭିନ୍ନ ସହର ଯେଉଁଠି ମାଦକ ଦ୍ରବ୍ୟ କାରବାର ବେଆଇନ୍‌ ଚୋରା ଚାଲାଣ ଓ ବ୍ୟବହାର ସଂପର୍କିତ କାର୍ଯ୍ୟକଳାପ ବୃଦ୍ଧି ପାଉଛି, ସେହିସବୁ ସହରରେ ଚଢ଼ଉ ଓ ସଚେତନତା ଅଭିଯାନକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅବକାରୀ ବିଭାଗ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ପୁରୀ, କୋଣାର୍କ ବେଳାଭୂମି ଓ ଚିଲିକା ଅଂଚଳରେ ରାସାୟନିକ ଦ୍ରବ୍ୟରୁ ପ୍ରସ୍ତୁତ ବେଆଇନ୍ ନିଶା ଦ୍ରବ୍ୟ ପ୍ରସ୍ତୁତି ପ୍ରତି ସତର୍କ ଦୃଷ୍ଟି ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *