ହାଇଦରାବାଦ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୧୭ ମୃତ

ହାଇଦରାବାଦ: ଏଠାରେ ଏକ ମର୍ମନ୍ତୁଦ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୧୭ଜଣଙ୍କର ମୃତୁ୍ୟ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ର ଅନୁଯାୟୀ ନିଆଁରେ ପୋଡିଯାଇ ଅଥବା ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ମୃତୁ୍ୟ ଘଟିଥିଲା । ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଏପରିକି ଜଣେ ମହିଳାଙ୍କର ଏହି ଅଗ୍ନିକାଣ୍ଡରେ ମୃତୁ୍ୟ ଘଟିଥିବାବେଳେ ତାଙ୍କ କୋଳରେ ସେ ଜାବୁଡି ଧରିଥିବା ପିଲାମାନଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା । ରବିବାର ପ୍ରତୁ୍ୟଷରେ ଘଟିଥିବା ଏହି ଅଗ୍ନିକାଣ୍ଡ ସମଗ୍ର ହାଇଦରାବାଦ ସହରକୁ ସ୍ତମ୍ଭୀଭୂତ କରିଦେଇଥିଲା । ପ୍ରାଥମିକ ସୂଚନା ଅନୁଯାୟୀ ବିଦୁ୍ୟତ ସର୍ଟସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ଚାରମିନାର ନିକଟରେ ଥିବା ଉକ୍ତ ଘରେ ଏକ ଚୁଡି ଦୋକାନ ଚାଲିଥିବାବେଳେ ସର୍ଟ ସର୍କିଟରୁ ଲାଗିଥିବା ନିଆଁ ଚୁଡି ଦୋକାନରେ ଲାଗିବା ପରେ ତାହା ଉକ୍ତ ପରିସରରେ ଥିବା ଅନ୍ୟ ଛଅଟି ପ୍ରକୋଷ୍ଠକୁ ମଧ୍ୟ ବ୍ୟାପିଯାଇଥିଲା । ସେଠାରେ ଅଗ୍ନିକାଣ୍ଡ ଘଟିବା ଖବର ପାଇଁ ପଡୋଶୀମାନେ ସେଠାରେ ପହଞ୍ଚିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କିନ୍ତୁ ଘରର ପ୍ରବେଶ ପଥ ସଂକୀର୍ଣ୍ଣ ଥିବା ଏବଂ ମୁଖ୍ୟଦ୍ୱାର ବ୍ୟତୀତ ଅନ୍ୟ କୋ÷ଣସି ରାସ୍ତା ନଥିବାରୁ ଭିତରକୁ ପ୍ରବେଶ କରିବା ସମ୍ଭବ ହୋଇନଥିଲା । ଦୀର୍ଘ ସମୟ ଉଦ୍ୟମ କରାଯାଇ ନିଆଁ ଲିଭାଯିବା ପରେ ଘର ଭିତରେ ୧୭ଜଣଙ୍କ ଦଗ୍ଧ ହୋଇଯାଇଥିବା ମୃତଦେହ ପଡିରହିଥିଲା । ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଘରର ମୁଖ୍ୟ ଦ୍ୱାରରେ ନିଆଁ ଲାଗିଯାଇଥିବାରୁ ସେମାନେ ସଟର ଭାଙ୍ଗିବା ସହିତ ଘରର କାନ୍ଥ ଭାଙ୍ଗି ଭିତରକୁ ପଶିଥିଲେ । ସେମାନେ ବହୁ କଷ୍ଟ କରି ତଳ ମହଲାରୁ ଉପର ମହଲାରେ ପହଞ୍ଚିଥିଲେ । ତେବେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ସେମାନେ ଭିତରକୁ ପ୍ରବେଶ କରିବା ସମ୍ଭବ ନଥିଲା । ଫଳରେ ଉକ୍ତ ଘରେ ରହୁଥିବା ସମସ୍ତ ସଦସ୍ୟଙ୍କୁ ସେମାନେ ବଞ୍ଚାଇ ପାରିନଥିଲେ । ଦୀର୍ଘ ସମୟ ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ସେତେବେଳକୁ ମହିଳା ଓ ଶିଶୁଙ୍କ ସମେତ ୧୭ଜଣଙ୍କର ମୃତୁ୍ୟ ଘଟିଥିଲା । କେବଳ ପରିବାରର ଜଣେ ମହିଳା ଓ ଜଣେ ଶିଶୁଙ୍କୁ ସେଠାରୁ ଉଦ୍ଧାର କରାଯାଇଛି । ମୃତକଙ୍କ ବୟସ ୨ବର୍ଷରୁ ନେଇ ୭୩ ବର୍ଷ ପର୍ଯ୍ୟନ୍ତ ରହିଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *