୨୦୦ କୋଟିରେ ନିକ୍କୋ ପାର୍କର ହେବ ନବୀକରଣ

ଭୁବନେଶ୍ୱର: ରାଜଧାନୀ କେନ୍ଦ୍ର ସ୍ଥଳରେ ଥିବା ନିକ୍କୋ ପାର୍କ ଏବଂ ସେଠାରେ ଥିବା ହ୍ରଦ ଅଂଚଳର ପୁନରୁଦ୍ଧାର ସହିତ ନବୀକରଣ କରାଯିବ । ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) ୩ କିଲୋମିଟର ଦୀର୍ଘ ୧୦ ନମ୍ବର ନାଳର ରୂପାନ୍ତରଣ କରିବା ସହିତ ବିଡିଏ ସିଟି ସେଂଟର (ପୂର୍ବର ନିକ୍କୋ ପାର୍କ) ଏବଂ ଜନପଥ ନିକଟରେ ଥିବା ହ୍ରଦ ଅଂଚଳର ବିକାଶ କରିବ । ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟରେ ଏହାକୁ ଏକ ଆଧୁନିକ ସର୍ବସାଧାରଣ ଅବସର ବିନୋଦନ ସ୍ଥଳରେ ପରିଣତ କରାଯିବ । ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କର ଅନୁମୋଦନ ହାସଲ କରିସାରିଛି । ଏହି ପ୍ରକଳ୍ପରେ ପ୍ରାକୃତିକ ନାଳ ନମ୍ବର ୧୦ର ବିଡିଏ ସିଟି ସେଂଟର ଠାରୁ ଜନପଥ ନିକଟରେ ଥିବା ହ୍ରଦ ଅଂଚଳର ବିକାଶ ନିମନ୍ତେ ଯୋଜନା କରରାଯାଇଛି । ଏ ସମ୍ପର୍କରେ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏବଂ ଖର୍ଚ୍ଚ ଆକଳନ ସରକାରଙ୍କ ନିକଟରେ ଦାଖଲ କରାଯିବ ବୋଲି ଏକ ସୂତ୍ରରୁ କୁହାଯାଇଛି । ଆଉ ମଧ୍ୟ ଜଣାଯାଇଛି ଯେ ସମ୍ପ୍ରତି ବିଡିଏ ସିଟି ସେଂଟରକୁ ନେଇ ରହିଥିବା ସରକାରୀ-ଘରୋଇ ସହଭାଗୀତା ବ୍ୟବସ୍ଥାକୁ ରଦ୍ଦ କରାଯାଇ ନିକ୍କୋ ପାର୍କର ପୂର୍ଣ୍ଣ ନିୟନ୍ତ୍ରଣ ବିଡିଏକୁ ହସ୍ତାନ୍ତର କରାଯିବ । ଏହା କ୍ଷତିପୂରଣ ଏବଂ ମାଲିକାନା ବ୍ୟବସ୍ଥା ନିମନ୍ତେ ସମସ୍ତ ସହଭାଗୀଙ୍କୁ ନେଇ ଇକ୍ୱିଟି ଅଂଶ ବିଷୟରେ ମୂଲ୍ୟାୟନ କରୁଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ ବିଡିଏର ୪୯ ପ୍ରତିଶତ ଏବଂ ନିକ୍କୋ ଗ୍ରୁପ୍ର ୫୧ ପ୍ରତିଶତ ସହଭାଗୀତା ଜରିଆରେ ୧୯୯୬ରେ ନିକ୍କୋ ପାର୍କ ୨୪ ଏକର ପରିମିତ ଅଂଚଳରେ ବିକଶିତ କରାଯାଇଥିଲା । ୧୯୯୭ରେ ତାହାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ତେବେ ୧୯୯୯ ମହାବାତ୍ୟାରେ ଉକ୍ତ ପାର୍କର ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ନିକ୍କୋ ଗ୍ରୁପ ତାହାର ମରାମତି ନିମନ୍ତେ ଇପିକଲରୁ ଋଣ ଆଣିଥିଲେ ମଧ୍ୟ ତାହା ପୂର୍ବ ସ୍ଥିତିକୁ ଫେରିବା ନିମନ୍ତେ ସଂଗ୍ରାମ ଜାରି ରଖିଥିଲା । ଏହି ପାର୍କ ଲାଭଜନକ ନହେବା ଏବଂ ଅବହେଳିତ ହୋଇପଡିବାରୁ ତାହାର ରକ୍ଷଣାବେକ୍ଷଣ ମଧ୍ୟ କରାଯାଇନଥିଲା ଏବଂ ସେଠାକୁ ଭ୍ରମଣକାରୀଙ୍କ ସଂଖ୍ୟା ହ୍ରାସ ପାଇଥିଲା । ୨୦୦୭ରେ ବିଡିଏ ତାହାର ପରିଚାଳନା ଦାୟିତ୍ୱ ସନ୍ ଟେକ ସିଟି ପ୍ରାଇଭେଟ ଲିମିଟେଡକୁ ହସ୍ତାନ୍ତର କରିବା ସହିତ ତାହାକୁ ବିଡିଏ ସିଟି ସେଂଟର ଭାବରେ ପୁନଃନାମିତ କରିଥିଲା । ତେବେ ତାହାସତ୍ୱେ ପାର୍କ ପରିଚାଳନାଗତ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲା ୨୦୧୯ରେ ଫନି ବାତ୍ୟା ପାର୍କ ପ୍ରତି ପୁନଃ କ୍ଷତି ପହଂଚାଇଥିଲା । ଏବେ ନୂଆ ଯୋଜନାରେ ବିଡିଏ ସିଟି ସେଂଟରର କାୟାକଳ୍ପ ସମ୍ପୂର୍ଣ୍ଣ ବଦଳିବ ଏବଂ ସେଠାରେ ଅନେକ ନୂତନ ଆଧୁନିକ ସୁବିଧା ସୁଯୋଗ ସ୍ଥାପନ କରାଯିବ ବୋଲି ଜଣାଯାଇଛି ।