୮୦ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଉଦଘାଟିତ

ଭୁବନେଶ୍ୱର: ସୁନ୍ଦରଗଡର ଜିଲ୍ଲା ଷ୍ଟାଡିୟମରେ ୮୦ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର) ରାଜେଶ କୁମାର ଯୋଗଦେଇ ଭବ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ସମସ୍ତ ପ୍ରତିଯୋଗୀ ଓ କ୍ରୀଡା ପରିଚାଳକମାନଙ୍କୁ ଖେଳୁଆଡ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ମଧ୍ୟ ରାଜେଶ କୁମାର ଧନ୍ୟବାଦ ଜଣାଇଥିଲେ। 

ସେ ଆହୁରି ମଧ୍ୟ କହିଥିଲେ ଯେ, ନିକଟ ଅତୀତରେ ଆମେରିକାର ବିର୍ମିଂହାମଠାରେ ଅନୁଷ୍ଠିତ ବିଶ୍ଵ ପୋଲିସ ଓ ଅଗ୍ନିଶମ କ୍ରୀଡା- ୨୦୨୫ରେ ଭାରତୀୟ ଦଳକୁ ପ୍ରତିନିଧିତ୍ଵ କରି ଓଡିଶା ପୁଲିସର ୭ ଜଣ କୃତି କ୍ରୀଡାବିତ ମାନେ ଅପୂର୍ବ କ୍ରିଡାନୈପୁଣ୍ୟ ପ୍ରଦର୍ଶନ କରି ଦେଶ, ରାଜ୍ୟ ତଥା ଓଡିଶା ପୁଲିସକୁ ଗୌରବାନ୍ଵିତ କରିଛନ୍ତି। ଭାରତୀୟ କ୍ରୀଡା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଲେଖି, ଓଡ଼ିଶା ପୋଲିସର ଖେଳାଳିମାନେ ବିଭିନ୍ନ ଆଥଲେଟିକ୍ସ ଏବଂ କରାଟେ ଇଭେଣ୍ଟରେ ବ୍ୟକ୍ତିଗତ ଭାବରେ ୧୩ ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୪ କାଂସ୍ୟ ସମେତ ୨୦ ପଦକ ହାସଲ କରିଛନ୍ତି । ଏହି ଅସାଧାରଣ ସଫଳତା ଦେଶ, ଓଡ଼ିଶା ରାଜ୍ୟ ଏବଂ ଓଡ଼ିଶା ପୋଲିସ ବାହିନୀ ପାଇଁ ଗୌରବ ଆଣିଛି ବୋଲି ରାଜେଶ କୁମାର ମତବ୍ୟକ୍ତ କରିଥିଲେ।

ଏହି ଫୁଟବଲ ଚମ୍ପିୟାନସିପରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲା ପୋଲିସ ଏବଂ ବାଟାଲିୟନର ୪୭ ଗୋଟି ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ପ୍ରାୟ ୮୫୦ ଜଣ ଖେଳାଳି ସାମିଲ ହୋଇଛନ୍ତି। ଏହି ଫୁଟବଲ ପ୍ରତିଯୋଗିତା ୨ଟି ପର୍ଯ୍ୟାୟରେ  ଅନୁଷ୍ଟିତ ହେବାକୁ ଯାଉଅଛି। ପ୍ରଥମ ପର୍ଯ୍ୟାୟ ରେ  ୨୪ ଗୋଟି ପୋଲିସ ଦଳ ଅଂଶ କରିବେ। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ରେ ୨୩ ଗୋଟି ପୋଲିସ ଫୁଟବଲ ଦଳ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମ  ପର୍ଯ୍ୟାୟ  ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ  ପର୍ଯ୍ୟନ୍ତ  ଖେଳାଯାଉଥିବା ବେଳେ  ଦ୍ଵିତୀୟ ପର୍ଯ୍ୟାୟ ୨୬ ତାରିଖ ରୁ ଆରମ୍ଭ ହୋଇ ୩ ସେପ୍ଟେମ୍ବର ତାରିଖ ପର୍ଯ୍ୟନ୍ତ ଖେଳାଯିବ। 

ଏହି ଉଦଘାଟନି ସମାରୋହରେ ଡିଆଇଜି (ପଶ୍ଚିମାଞ୍ଚଳ) ବ୍ରିଜେଶ କୁମାର ରାୟ, ସୁନ୍ଦରଗଡ଼ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର,କେନ୍ଦୁଝର ଏସପି କୁଶଲକର ନିତିନ ଦାଗୁଡୁ, ରାଉରକେଲା ଏସପି  ନିତେଶ ୱାଧାନୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ସମସ୍ତ ଟିମର ଅଧିନାୟକ, ଖେଳାଳି ପ୍ରମୁଖ ଉପସ୍ଥିତ ଥିଲେ।

ଉଦଘାଟନି ମ୍ୟାଚ ସୁନ୍ଦରଗଡ଼ ଜିଲ୍ଲା ପୋଲିସ ସହ ଅଷ୍ଟମ ସ୍ୱତନ୍ତ୍ର ଆଇଆରବିଏନ, ଭଞ୍ଜନଗର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ସୁନ୍ଦରଗଡ଼ ଜିଲ୍ଲା ପୋଲିସ ୬-୦ ଗୋଲ୍‌ରେ ବିଜୟୀ ହୋଇଛି। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଓଏସଏପି ଦ୍ୱିତୀୟ ବାଟାଲିୟନ ଝାରସୁଗୁଡା ଏବଂ କମିଶନରେଟ୍ ପୋଲିସ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେଓଏସଏପି ଦ୍ୱିତୀୟ ବାଟାଲିୟନ ଝାରସୁଗୁଡା  ୪-୦ ଗୋଲ୍‌ରେ ବିଜୟୀ ହୋଇଛି।  ଭଵାନୀପୁର ଖେଳପଡିଆରେ ହୋଇଥିବା ତୃତୀୟ ମ୍ୟାଚ୍‌ରେ ପ୍ରଥମ ଆଇଆରବିଏନ କୋରାପୁଟ ଢେଙ୍କାନାଳକୁ ୬-୦ ଗୋଲ୍‌ରେ ପରାସ୍ତ କରି ବଡ଼ ବିଜୟ ଲାଭ କରିଛି। ଚତୁର୍ଥ ମ୍ୟାଚ ଝାରସୁଗୁଡା ଜିଲ୍ଲା ପୋଲିସ ଏବଂ 4ର୍ଥ ଆଇଆରବିଏନ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ 4-1 ଗୋଲ ବ୍ୟବଧାନରେ ଝାରସୁଗୁଡା ଜିଲ୍ଲା ପୋଲିସ ବିଜୟୀ ହୋଇଛି। ପଞ୍ଚମ ମ୍ୟାଚ ବ୍ରହ୍ମପୁର ଜିଲ୍ଲା ଏବଂ ତୃତୀୟ ଏସଏସବିଏନ ଗଜପତି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ବ୍ରହ୍ମପୁର ଜିଲ୍ଲା ପୋଲିସ 2-0 ଗୋଲରେ ବିଜୟୀ ହୋଇଛି।

Leave a Reply

Your email address will not be published. Required fields are marked *