ତାଲଚେର ଓ ଫୁଲବାଣୀ ସରକାରୀ ଚିକିତ୍ସା ମହାବିଦ୍ୟାଳୟରେ ୨୦୦ MBBS ସିଟରେ ନାମଲେଖା ପାଇଁ ଅନୁମତି ପତ୍ର ସକାଶେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ

ଭୁବନେଶ୍ଵର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ଵାବଧାନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଓଡିଶା ସରକାର ଡ଼ ମୁକେଶ ମହାଲିଙ୍ଗ ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ଫୁଲବାଣୀର ସରକାରୀ ମେଡିକାଲ କଲେଜର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସମୁଦାୟ ୨୦୦ ଏମବିବିଏସ ସିଟରେ ନାମ ଲେଖା ପାଇଁ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟି ଅନୁମତି ପତ୍ର (LoP) ଅନୁରୋଧ କରିବା ସହ ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଉନ୍ନତତର କରିବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ୨୦୨୫-୨୬ ଶିକ୍ଷାବର୍ଷରେ ଉଭୟ କଲେଜରେ ୧୦୦ ଜଣ ଲେଖାଏଁ MBBS ଛାତ୍ରଛାତ୍ରୀଙ୍କ ଭର୍ତ୍ତି ପାଇଁ ଅନୁମତି ପତ୍ର (LoP) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତ୍ୱରିତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ, ଉପରୋକ୍ତ ଦୁଇଟି ମହାବିଦ୍ୟାଳୟ ଓଡ଼ିଶାରେ ଚିକିତ୍ସା କ୍ଷେତ୍ରରେ ନୂଆଭାବେ ପ୍ରତିଷ୍ଠିତ ହୋଇଛି। ଏହି ଦୁଇ ଅନୁଷ୍ଠାନର ଡିନ ଓ ପ୍ରିନ୍ସିପାଲ ମାନେ ନିଜ ଅନୁମତି ପତ୍ର ପାଇଁ ଆବେଦନ ୧୮ ଜାନୁଆରୀ, ୨୦୨୫ରେ ନ୍ୟାସନାଲ ମେଡିକାଲ କମିଶନ (NMC)ର ପୋର୍ଟାଲ ମାଧ୍ୟମରେ ଦାଖଲ କରିଥିଲେ। ନ୍ୟାସନାଲ ମେଡିକାଲ କମିଶନ (NMC) ଟିମ ମାନେ ୨୩ ଜୁନ ୨୦୨୫ ରେ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ (PMPMC) ତାଲଚେର ଓ ୨୮ ମେ ୨୦୨୫ ରେ ସରକାରୀ ମେଡିକାଲ କଲେଜର(GMC), ଫୁଲବାଣୀ ର ଭୌତିକ ନିରୀକ୍ଷଣ କରିଥିଲେ।
ରାଜ୍ୟ ସରକାର ପୂର୍ଣ୍ଣ ଭାବେ ବୃତ୍ତିବାନ୍ ଓ ଉତ୍ତମ ମାନଙ୍କ ଚିକିତ୍ସା ଶିକ୍ଷାରେ ଦୁଇ ଅନୁଷ୍ଠାନର ସୁବିଧା ବୃଦ୍ଧି ଓ ବିକାଶ ପାଇଁ ରାଜ୍ୟ ବଜେଟ୍ରେ ଆବଶ୍ୟକୀୟ ଅର୍ଥ ଅନୁଦାନ ଦେଇଛନ୍ତି। ଅନୁମତି ପତ୍ର ମିଳିବା ପରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଆଉ ଦୁଇ ଗୋଟି କଲେଜ ଯୋଡି ହେବ। ୧୪ ଟି ସରକାରୀ କଲେଜରୁ ବଢି ୧୬ ସରକାରୀ ମେଡିକାଲ କଲେଜ ହେବା ସହ ସମୁଦାୟ ୧୮୦୦ MBBS ସିଟକୁ ବଢିବ।
ଏହି ସମୟରେ ମନ୍ତ୍ରୀ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ , ଗ୍ରାମ୍ୟ ଉନ୍ନୟନ ରବି ନାରାୟଣ ନାଏକ, କଟକ ସାଂସଦ ଭର୍ତ୍ତୃହରି ମହତାବ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ।