ସ୍ତନ୍ୟପାନ ସମର୍ଥନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ

ଭୁବନେଶ୍ଵର: ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୫ ର ଶେଷ ଦିନରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ପାଳନ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ସଭାକୁ ସମ୍ବର୍ଦ୍ଧିତ କରି ରାଜ୍ୟରେ ସ୍ତନ୍ୟପାନ ପ୍ରଚାର, ସୁରକ୍ଷା ଓ ସମର୍ଥନ ପାଇଁ ଏକ ଦୃଢ, ସମଗ୍ର ଏବଂ ସମୁଦାୟ ଭାଗୀଦାରି ମାଧ୍ୟମରେ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।
ମା କ୍ଷୀର ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢାଉଛି। ଶତପ୍ରତିଶତ ସ୍ତନ୍ୟପାନ ପାଇଁ ମା ମାନେ ସଂକଳ୍ପ ନେବା ପାଇଁ ମନ୍ତ୍ରୀ ଡ଼ ମହାଲିଙ୍ଗ ଅନୁରୋଧ କରିଥିଲେ। ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ବିଶ୍ୱ ସ୍ତନ୍ୟପାନ ସପ୍ତାହ ସାରା ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ, ଯାହା ଦ୍ୱାରା ସ୍ତନ୍ୟପାନ ଅଭିଯାନରେ ନୂତନ ଉତ୍ସାହ ଅଣାଯାଇହେବ ସେ କହିଛନ୍ତି। ସ୍ୱାସ୍ଥ୍ୟ, ସଂସ୍ଥାନ ଉଭୟ ସ୍ତରରେ ମା ମାନଙ୍କୁ ସମର୍ଥନ ଦେବା ଦ୍ୱାରା ଏହି ଲକ୍ଷ୍ୟକୁ ପୂରଣ କରିପାରିବା ବୋଲି ସେ କହିଛନ୍ତି।
ସୂଚନା ଅନୁସାରେ, ଶତକଡା ୬୮.୫୬ ପ୍ରତିଶତ ମାଆ ଜନ୍ମ ପରେ ପ୍ରଥମ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରନ୍ତି। ଶତକଡା ୭୨.୯ ପ୍ରତିଶତ ଶିଶୁ ଜନ୍ମ ପରେ ପ୍ରଥମ ଛଅ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରନ୍ତି। ଶତକଡା ୬୭.୫ ପ୍ରତିଶତ ଶିଶୁ ଛଅ ମାସ ପରେ ସ୍ତନ୍ୟପାନ ସହିତ ପୂରକ ଖାଦ୍ୟ ଆରମ୍ଭ କରନ୍ତି। ଏହି ଅବସରରେ ବ୍ୟାପକ ସ୍ତନ୍ୟପାନ ପରିଚାଳନା କେନ୍ଦ୍ର, ସ୍ତନ୍ୟପାନ ପରିଚାଳନା କେନ୍ଦ୍ର, ଶିଶୁଙ୍କ ପାଇଁ ଉପଲବ୍ଧ ଶ୍ରେଷ୍ଠ ପ୍ରୟାସିତ ହସ୍ପିଟାଲ, ପୃଷ୍ଟି ପୁନର୍ବାସ କେନ୍ଦ୍ର ରେ ଶ୍ରେଷ୍ଠ ପୁରସ୍କୃତ ମେଡିକାଲ କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି ଉତ୍ସବରେ ସ୍ଵତନ୍ତ୍ର ସଚିବ ଡା. ବିଜୟ କୁମାର ମହାପାତ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ରାଜ୍ୟଶ୍ରୀ ପଟ୍ଟନାୟକ, ରାଜ୍ୟ ସ୍ୱାସ୍ଥ୍ୟ ସମ୍ବଳ କେନ୍ଦ୍ର ଟିମ ମୁଖ୍ୟ ଡା. ଦୀନବନ୍ଧୁ ସାହୁ, ଅତିରିକ୍ତ ନିର୍ଦ୍ଦେଶକ ଡା. ଆଦିତ୍ୟ ମହାପାତ୍ର, ଯୁଗ୍ମ ନିର୍ଦ୍ଦେଶକ ଡା. ସ୍ମୃତିଜିତ ପଟ୍ଟନାୟକ ଏବଂ ୟୁନିସେଫର ସୌରଭ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।