ନିର୍ଦ୍ଧାରିତ ସମୟ ମଧ୍ୟରେ ପାନୀୟ ଜଳ ଯୋଗାଇବା କାର୍ୟ୍ୟ ସମାପ୍ତ କରିବାକୁ ମନ୍ତ୍ରୀଙ୍କ ତାଗିଦ

ଭୁବନେଶ୍ୱର: ସମଗ୍ର ଓଡ଼ିଶାବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ସରକାର ସଙ୍କଳ୍ପବଦ୍ଧ ଅଛନ୍ତି। ରାଜ୍ୟରେ ଗ୍ରାମାଞ୍ଚଳରେ ଏହି କାର୍ୟ୍ୟକୁ ଉଚିତ ଭାବରେ କାର୍ୟ୍ୟକାରୀ କରି ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ବୃହତ  ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରି ମନ୍ତ୍ରୀ ରବିନାରାୟଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ, ଭୁବନେଶ୍ବରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ବିସ୍ତୃତ  ସମୀକ୍ଷା କରିଥିଲେ। ରାଜ୍ୟରେ ୨୦୭ଟି ମେଗା ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮ଟି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। ଅନ୍ୟ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ୟ୍ୟ ମଧ୍ୟ ତ୍ବରାନ୍ବିତ କରାଯାଉଛି ଓ ସେସବୁର ପ୍ରତ୍ୟକ୍ଷ ନିରୀକ୍ଷଣ କରାଯାଉଛି। ସାମାନ୍ୟ  ବ୍ୟତିକ୍ରମ ଦେଖାଗଲେ ଉତ୍ତରଦାୟିତ୍ଵ ସ୍ଥିର କରାଯାଇ କାର୍ୟ୍ୟାନୁଷ୍ଠାନର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ଶ୍ରୀ ନାଏକ ନିର୍ଦ୍ଦେଶ ଦେଇଥିଲେ।    

ବର୍ତ୍ତମାନ ରାଜ୍ୟରେ ୧୦୦୦୦ରୁ ଉର୍ଦ୍ଧ୍ବ ଗ୍ରାମ ଓ ୫୫୨ଟି ଗ୍ରାମପଞ୍ଚାୟତ ସମ୍ପୂର୍ଣ୍ଣ ରୂପେ ‘ହର ଘର ଜଳ’ଯୋଜନାରେ ଅନ୍ତର୍ଭୁକ୍ତ ହୋଇସାରିଛନ୍ତି। ନୂଆପଡା ଜିଲ୍ଲାର ସମସ୍ତ ଗ୍ରାମ ‘ହର ଘର ଜଳ ଯୋଜନା’ରେ ଅନ୍ତର୍ଭୁକ୍ତ ହୋଇ ପାରିଛି, ଯାହା ଗ୍ରାମୀଣ ଜୀବନରେ ପାନୀୟ ଜଳ ସୁବିଧାକୁ ସୁନିଶ୍ଚିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ। ସରକାରୀ ସ୍ତରରେ ଏହି ପ୍ରକଳ୍ପଗୁଡିକୁ ଯଥାଶୀଘ୍ର ସମ୍ପନ୍ନ କରିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି। ସେହି ଅନୁସାରେ, ଡିସେମ୍ବର ୨୦୨୫ ସୁଦ୍ଧା ଆଉ ୫୪ ଟି ପ୍ରକଳ୍ପ ସମ୍ପନ୍ନ କରିବା ଲକ୍ଷ୍ୟ ସ୍ଥିର କରାଯାଇଛି।  ଏହି ସମସ୍ତ ପ୍ରକଳ୍ପର ନିର୍ମାଣ ସ୍ଥିତି ସମୀକ୍ଷା କରି ମାନ୍ୟବର ମନ୍ତ୍ରୀ ସ୍ଥିରୀକୃତ ସମୟ ମଧ୍ୟରେ କାର୍ୟ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବର୍ତ୍ତମାନ ରାଜ୍ୟରେ ନିରାପଦ ପାନୀୟ ଜଳ ସୁନିଶ୍ଚିତତା ପାଇଁ ରାଜ୍ୟର ୫,୨୭,୫୭୦ ନଳକୂପ/ସାନିଟାରି ୱେଲ୍, ୨୧,୪୦୧ ପ୍ରୋଡକ୍ସନ ୱେଲ୍ ଓ ୧୫,୧୫୫ଟି ଓଭରହେଡ୍ ଟ୍ୟାଙ୍କର ଲଗାତର ବିଶୁଦ୍ଧିକରଣ କରାଯାଇଛି। ପୂର୍ବବର୍ଷରେ ମଞ୍ଜୁର ହୋଇଥିବା ୨୯,୫୧୨ ନଳକୂପ ମଧ୍ୟରୁ ୨୦,୮୯୧ଟି ପ୍ରାୟ ସମ୍ପନ୍ନ ହୋଇଛି। ଏହି ସମସ୍ତ କାର୍ୟ୍ୟରେ ଉତ୍ତରଦାୟିତ୍ବକୁ ଗୁରୁତ୍ଵ ଦିଆଯାଉଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଯେଉଁ ଏଜେନ୍ସି କାର୍ୟ୍ୟ ସମାପ୍ତ ନ କରୁଛି, ତାହା ଉପରେ ପେନାଲ୍ଟି ଲଗାଯାଉଛି। ସେହିଭଳି ଦାୟିତ୍ଵରେ ରହିଥିବା ଅଧିକାରୀ ଓ କର୍ମଚାରୀମାନଙ୍କର ମଧ୍ୟ ଉତ୍ତରଦାୟିତ୍ବ ସ୍ଥିର କରାଯାଇ ଦରମାକାଟ କରାଯାଉଛି।  

ଏହି ସମୀକ୍ଷା ବୈଠକରେ ବିଭାଗୀୟ ସଚିବ ଏସ୍. ଏନ୍ ଗିରୀଶ ବୃହତ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ବିଭିନ୍ନ ତଥ୍ୟ ବିଷୟରେ ମନ୍ତ୍ରୀଙ୍କୁ ସୂଚିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ (ପାନୀୟଜଳ ଓ ପରିମଳ) ଭିନିତ ଭରଦ୍ବାଜ, ପାନୀୟଜଳ ସର୍ବୋଚ୍ଚ ଯନ୍ତ୍ରୀ ରତ୍ନାକର ଶିଆଳ ଓ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ରହି ବୈଠକରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *