ତୃଣମୂଳସ୍ତରରେ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ

ଭୁବନେଶ୍ୱର: ସରକାରଙ୍କ ଦ୍ଵାରା ପ୍ରଣିତ ବିଭିନ୍ନ କୃଷି ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରଭାବଶାଳୀ କାର୍ଯ୍ୟାନ୍ଵୟନକୁ ସୁନିଶ୍ଚିତ ତଥା ଲୋକାଭିମୁଖୀ କରିବା ପାଇଁ କୃଷି ବିଭାଗର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବେl  ଏନେଇ କୃଷି ବିଭାଗ ପକ୍ଷରୁ ଏକ ସୂଚନା ଜାରି କରିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀl  ତୃଣମୂଳସ୍ତରରେ ବାସ୍ତବିକ ପରିସ୍ଥିତି ଅନୁଧ୍ୟାନ କରିବା ସହ କୃଷକ ଓ କୃଷି କ୍ଷେତ୍ରରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବl ନିର୍ଦ୍ଦେଶ ଅନୁଯାୟୀ ନିର୍ଦ୍ଦେଶକ, ଅତିରିକ୍ତ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ ଏବଂ ବିଭିନ୍ନ ଯୋଜନା ଅଧିକାରୀ ସମେତ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ ବିଭିନ୍ନ ଜିଲ୍ଲା ଏବଂ ବ୍ଲକର କ୍ଷେତ୍ର ପରିଦର୍ଶନ କରି ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିବେl 

ଏହି ପରିଦର୍ଶନ ସମୟରେ ଅଧିକାରୀମାନେ ଯୋଜନା କାର୍ଯ୍ୟାନ୍ଵୟନର ସମୀକ୍ଷା କରି ଲୋକଙ୍କ ସମସ୍ୟା ଓ ଗସ୍ତର ଏକ ସଂକ୍ଷିପ୍ତ ରିପୋର୍ଟ ଏକ ସପ୍ତାହ ମଧ୍ୟରେ ବିଭାଗୀୟ ସଚିବଙ୍କ ନିକଟରେ ଦାଖଲ କରିବେl ଏଥିସହିତ, ଆକାଂକ୍ଷୀ ବ୍ଲକ ଓ ଅନୁନ୍ନତ ଅଞ୍ଚଳ ଗୁଡିକର ପରିଦର୍ଶନ ସୁନିଶ୍ଚିତ କରି ବିଭିନ୍ନ ଜିଲ୍ଲାର ମାସିକିଆ ଟୁର୍ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି l  ଲୋକଙ୍କ ସରକାରରେ ସାଧାରଣ ଚାଷୀ ଏବଂ ଅଫିସରମାନଙ୍କ ମଧ୍ୟରେ ସମନ୍ଵୟ ରଖି ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇବାକୁ ଏହି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ କୃଷି ବିଭାଗ ତରଫରୁ ଗ୍ରହଣ କରାଯାଇଛିl

Leave a Reply

Your email address will not be published. Required fields are marked *