ଜନଜାତି ଅଂଚଳର ବିକାଶ ପାଇଁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରାଯିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିକାଶ ବିଭାଗର ଦୁଇଗୋଟି ବୈଠକରେ ଅଧ୍ୟକ୍ଷତା କରି ବିଭାଗ ଦ୍ୱାରା ଜନଜାତି ଅଂଚଳର ବିକାଶ ପରିପ୍ରେକ୍ଷୀରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ପ୍ରଥମ ବୈଠକଟି ଜନଜାତି ଅଂଚଳର ବିକାଶ ପାଇଁ ସମ୍ବିଧାନର ୨୭୫(୧) ଅନୁଚ୍ଛେଦ ଅନୁସାରେ ରାଜ୍ୟକୁ ପ୍ରଦାନ କରାଯାଉଥିବା ଅର୍ଥର ବିନିଯୋଗ ପାଇଁ ପ୍ରକଳ୍ପ ଅନୁମୋଦନ ସଂପର୍କିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ କାର୍ଯ୍ୟ ବାବଦକୁ ୧୭୮ କୋଟିର ପ୍ରକଳ୍ପ କମିଟି ଦ୍ୱାରା ଅନୁମୋଦନ କରାଯାଇ ଭାରତ ସରକାରକୁ ସୁପାରିଶ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି। ମୁଖ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟରେ ଜନଜାତି ଅଂଚଳରେ ବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ନୂତନ ହଷ୍ଟେଲ, ଶିକ୍ଷକମାନଙ୍କ ପାଇଁ କର୍ମଚାରୀ କ୍ୱାର୍ଟର, ରାସ୍ତା ଓ ସେତୁ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି। କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରି ଉପଯୁକ୍ତ ଭାବେ ସମ୍ପୂର୍ଣ୍ଣ ଯୋଜନା ଭିତ୍ତିକ ପ୍ରସ୍ତୁତି କରି ପ୍ରକଳ୍ପ ଶେଷ କରାଯିବା ଉପରେ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଥିଲେ।
ଦ୍ୱିତୀୟ ବୈଠକ “ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ”ର ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ଥିଲା। ଏହି ବୈଠକରେ ଗତ ୨ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ରାଜ୍ୟ କ୍ଷେତ୍ର–ଜୀବିକା ନିର୍ବାହ ଯୋଜନା ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରାଯାଇଥିଲା। କୃଷି ଉତ୍ପାଦନ ବୃଦ୍ଧି, କୃଷି ଭିତ୍ତିଭୂମିରେ ଉନ୍ନତି ଏବଂ ମାଇକ୍ରୋ–ଉଦ୍ୟୋଗୀମାନଙ୍କର ପ୍ରୋତ୍ସାହନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ବିଶଦ୍ ଆଲୋଚନା କରାଯାଇଥିଲା। ଏଥିରେ ଅଦ୍ୟାବଧି ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକର ଉଲ୍ଲେଖନୀୟ ସଫଳତାକୁ ଉନ୍ନୟନ କମିଶନର ପ୍ରଶଂସା କରିବା ସହିତ କ୍ଷେତ୍ରସ୍ତରରେ ଯେପରି କୌଣସି ଏକା ପ୍ରକଳ୍ପ ଓ କାର୍ଯ୍ୟକ୍ରମର ପୁନରାବୃତ୍ତି ନ ହୁଏ, ତାହା ସୁନିଶ୍ଚିତ କରିବା ଏବଂ କାର୍ଯ୍ୟକ୍ରମ ତଥା ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ମଝିରେ ଆବଶ୍ୟକ ସଂଶୋଧନ ପାଇଁ ପ୍ରଭାବ ମୂଲ୍ୟାୟନ ଅଧ୍ୟୟନ ( ଇମ୍ପାକ୍ଟଆ ସେସମେଣ୍ଟ ଷ୍ଟଡି) କରିବାକୁ ପରାମର୍ଶ ଦେଇଛନ୍ତି। ବୈଠକରେ ୨୨୫ କୋଟି ଟଙ୍କାର ବାର୍ଷିକ ଯୋଜନା ମଂଜୁର କରାଯାଇଛି।
ବୈଠକରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ବି. ପରମେଶ୍ୱରନଙ୍କ ସମେତ କମିଟିର ସଦସ୍ୟ ଥିବା ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ସଂପୃକ୍ତ ବିଭାଗମାନଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।