ପ୍ରତ୍ୟେକ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣକୁ ଅନ୍ତର୍ଜାତୀୟ ମାନର କରିବା ଉପରେ ପୂର୍ତ୍ତ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ଆଜି ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହେଉଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମି ନିର୍ମାଣ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଆଜି ବିଭିନ୍ନ ରାଜ୍ୟର ଦୃଷ୍ଟି ଆକର୍ଷଣ କରିପାରିଛି। କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରି ତୃଣମୂଳସ୍ତରରୁ କ୍ରୀଡ଼ାକୁ ଆଗେଇ ନେବା ପାଇଁ ଥିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଅଧିକାରୀ ତଥା ଇଂଜିନିୟରମାନଙ୍କୁୁ ଆଗଭର ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଊପସ୍ଥିତିରେ ଲୋକସେବା ଭବନଠାରେ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ଯେ କେବଳ ରାଜ୍ୟ କିମ୍ବା ଜିଲ୍ଲା ସ୍ତରରେ ନୁହେଁ କ୍ରୀଡାର ସାମଗ୍ରିକ ବିକାଶ କରିବାକୁ ହେଲେ ଆମକୁ ତୃଣମୂଳ ସ୍ତରକୁ ଯିବାକୁ ହେବI ଓଡ଼ିଶାର ଗ୍ରାମାଞ୍ଚଳରେ ଅନେକ ପ୍ରତିଭା ଭରି ରହିଛନ୍ତିI ସେମାନଙ୍କୁ ବିଶ୍ବସ୍ତରୀୟ ଭିତ୍ତିଭୂମିରେ ତାଲିମ ସୁବିଧା ଯୋଗାଇ ଦେଇ ପାରିଲେ ଆମେ ଓଡିଶାକୁ କ୍ରୀଡ଼ା କ୍ଷେତ୍ରରେ ଗର୍ବିତ କରିପାରିବାI ତେଣୁ ରାଜ୍ୟ କ୍ରୀଡ଼ା ଓ କ୍ରୀଡ଼ାବିତ୍ ଙ୍କ ଉନ୍ନତି ନେଇ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ପୁରା କରିବାକୁ ସମସ୍ତଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି କ୍ରୀଡ଼ା ମନ୍ତ୍ରୀ କହିଥିଲେI

ବୈଠକରେ ରାଜ୍ୟରେ ନିର୍ମାଣାଧୀନ ବିଭିନ୍ନ ସ୍ୱିମିଂ ପୁଲ୍‌ କମ୍ପ୍ଲକ୍ସ, ଯାଜପୁର ସ୍ପୋଟର୍ସ କମ୍ପ୍ଲେକ୍ସ, ସମ୍ବଲପୁର ଓ ଝାରସୁଗୁଡ଼ାସ୍ଥିତ ଆଇକୋନିକ୍‌ ସ୍ପୋଟର୍ସ କମ୍ପ୍ଲେକ୍ସ ସହ ଇନ୍‌ଡୋର ହଲ୍‌ ସବୁର ନିର୍ମାଣ ଡିଜାଇନ୍‌, ଫୁଟବଲ୍‌ ଟ୍ରେନିଂ ସେଣ୍ଟର ସମ୍ବଲପୁର ନିର୍ମାଣ ବିଷୟରେ ଆଲୋଚନା ହୋଇଥିଲା। ଏଥି ସହ ଆଗାମୀ ଦିନରେ ପ୍ରସ୍ତାବିତ ଝାରସୁଗୁଡ଼ା ଓ ଭ୍ରଦକଠାରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବଂ ଖେଳାଳୀମାନଙ୍କୁ ବିଶ୍ୱସ୍ତରୀୟ ତାଲିମ ସୁବିଧା ଦେବା ପାଇଁ ପ୍ରତ୍ୟେକ ନିର୍ମାଣ ଭିତ୍ତିଭୂମିକୁ ଅନ୍ତର୍ଜାତୀୟ ମାନର କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏଥି ସହିତ ଡିପିଆର୍‌ ପ୍ରସ୍ତୁତି ସମୟରେ ସବୁ ଦିଗକୁ ଗୁରୁତ୍ୱ ଦେବା ସହିତ ନିର୍ମାଣ ସମୟରେ ଆଧୁନିକ ଜ୍ଞାନକୌଶଳ ଓ ଉନ୍ନତ ଯନ୍ତ୍ରପାତିର ବ୍ୟବହାର କରିବା ନେଇ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଗୁରୁତ୍ୱ ଦେଇଥିଲେ।

ଏହି ବୈଠକରେ କ୍ରୀଡ଼ା ବିଭାଗର କମିଶନର ତଥା ଶାସନ ସଚିବ ସଚିନ୍‌ ରାମଚନ୍ଦ୍ର ଯାଦବ, ଇଆଇସି (ସିଭିଲ୍‌) ସତ୍ୟବ୍ରତ ବେହେରା, ଓବିସିସି ଏମ୍‌ଡି ସମୀର୍‌ ହୋତା, ମୁଖ୍ୟଯନ୍ତ୍ରୀ (ବିଲ୍‌ଡିଂ) ପ୍ରିୟବ୍ରତ ସାମନ୍ତରାୟ, କ୍ରୀଡ଼ା ବିଭାଗର ଅତିରିକ୍ତ ଶାସନ ସଚିବ ବିଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *