ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆବାସିକ ବ୍ୟବହାରିକ ଦକ୍ଷତା ବିକାଶ ପ୍ରଶିକ୍ଷଣ
ଭୁବନେଶ୍ବର: ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ପାଞ୍ଚ ଦିବସୀୟ ଆବାସିକ ବ୍ୟବହାରିକ ଦକ୍ଷତା ବିକାଶ ( Hands on Skill ) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏକାକାଳୀନ ଭାବେ ଦୁଇଟି ସ୍ଥାନରେ ବିଭିନ୍ନ ଟ୍ରେଡ୍ କୁ ନେଇ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭୁବନେଶ୍ବରସ୍ଥିତ ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ଠାରେ IT-ITes ଟ୍ରେଡ୍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ବିଶ୍ବ ଦକ୍ଷତା କେନ୍ଦ୍ରଠାରେ Electronics and Hardware ଟ୍ରେଡ୍ ସମ୍ପର୍କରେ ପ୍ରଶିକ୍ଷିତ କରାଯାଉଛି। ସିଟିଟିସିଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିୟତୀ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି।
ଉଦଘାଟନୀ ଅବସରରେ ଶ୍ରୀମତୀ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଯୁଗରେ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରିବା ସହ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ ହେବାକୁ ପ୍ରେରିତ କରିଥିଲେ। ଛାତ୍ରଛାତ୍ରୀମାନଙ୍କ କ୍ୟାରିୟର ଗଠନ ଦିଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ବାରା ଆୟୋଜିତ ଏହି ବ୍ୟବହାରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନେକମାତ୍ରାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଭାବେ ସିଟିଟିସିର ସାଧାରଣ ପରିଚାଳକ ଏଲ୍. ରାଜଶେଖର ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣର ଭରପୂର ଲାଭ ଉଠାଇବାକୁ ଆହ୍ବାନ କରିଥିଲେ ଏବଂ ପିଲାମାନଙ୍କୁ ଧନ୍ଦାମୂଳକ କ୍ଷେତ୍ରରେ ଭବିଷ୍ୟତ ଗଠନ ନିମନ୍ତେ ପ୍ରୋତ୍ସାହିତ କରିଥିଲେ।
ଉଦଘାଟନୀ କାର୍ଯ୍ୟକ୍ରମରେ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଜିତେନ୍ଦ୍ର ନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସିଟିଟିସିର ବରିଷ୍ଠ ପରିଚାଳକ ଏମ୍.କେ. ରାଜନ୍ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ବ ଦକ୍ଷତା କେନ୍ଦ୍ରଠାରେ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସସ୍ମିତା ମାଳି, ପ୍ରିନ୍ସିପାଲ ଟି. ଥମ୍ବୀରାଜ, ସାମ୍ସ ଅଧିକାରୀ ଉମାକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି।
ସୂଚନାଯୋଗ୍ୟ, ସେଞ୍ଚୁରିଆନ୍ ୟୁନିଭର୍ସିଟିଠାରେ ସୋମବାର (୨୭/୧୦/୨୦୨୫ ) SPEFL ଟ୍ରେଡ୍ କୁ ନେଇ ପ୍ରଶିକ୍ଷଣ ଆରମ୍ଭ କରାଯାଇଛି। ସେଠାରେ ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଛନ୍ତି। ସେହିପରି ବିଶ୍ବ ଦକ୍ଷତା କେନ୍ଦ୍ର ଓ ସିଟିଟିସିଠାରେ ୧୦୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। କଟକ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୂଆପଡ଼ା, ମୟୂରଭଞ୍ଜ, ବଲାଙ୍ଗୀର, ଗଜପତିରୁ ସରକାରୀ ଧନ୍ଦାମୂଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଯୁକ୍ତଦୁଇ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଏହି ପ୍ରଶିକ୍ଷଣରେ ସାମିଲ୍ ହୋଇଛନ୍ତି।


