ରାଜ୍ୟର ଧାନ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଯୋଗାଣ ଓ ସାଧାରଣ ବଣ୍ଟନ, ନୂତନ ଓ ଅକ୍ଷୟ ଶକ୍ତି ବିଭାଗ ମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କୁ ସାକ୍ଷାତ କରିଛନ୍ତି। ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେ ରାଜ୍ୟର ଧାନ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ଦାବିକୁ ବିଚାର କରିବାକୁ କହିଥିଲେ। ଏଥିସହ ରାଜ୍ୟରୁ ଚାଉଳ ଉଠାଣରେ ଭାରତୀୟ ଖାଦ୍ୟ ନିଗମ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ରାଜ୍ୟରୁ ପ୍ରାୟ ସାଢେ ୭ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଣ ପାଇଁ ଭାରତୀୟ ଖାଦ୍ୟ ନିଗମକୁ ପରାମର୍ଶ ଦେବାକୁ ମନ୍ତ୍ରୀ ଦାବି ଜଣାଇଥିଲେ। ସେହିଭଳି ଚାଉଳ ଓ ଧାନ ସଂଗ୍ରହ ବାବଦକୁ ଥିବା ରାଜ୍ୟର ବକେୟା ଅର୍ଥ ପ୍ରାୟ ୮ ହଜାର କୋଟି ଟଙ୍କା ପ୍ରଦାନ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଶ୍ରୀ ଯୋଶୀ ଏହାକୁ ବିଚାରକୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏତଦବ୍ୟତୀତ ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି।

ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଏହି  ଦିଲ୍ଲୀ ଗସ୍ତରେ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ସାକ୍ଷାତ କରିବା ସହ ଓଡ଼ିଶାର ବିଭିନ୍ନ ଦାବି ସମ୍ପର୍କରେ ଉପସ୍ଥାପନ କରିଥିଲେ। ଏହି ଗସ୍ତ ଅବସରରେ ଓଡିଶା  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *