ଫେବୃଆରୀ ୧୦ରୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମ୍ଡିଏ) ୧୦ ଫେବୃଆରୀ (ମଙ୍ଗଳବାର) ଠାରୁ ଆରମ୍ଭ ହେବ। ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ୭.୪୦ ଲକ୍ଷ ଜଣଙ୍କୁ ଫାଇଲେରିଆ ନିରୋଧୀ ଔଷଧ ଦିଆଯିବ । କାର୍ଯ୍ୟସୂଚୀ ଅନୁଯାୟୀ, ବଲାଙ୍ଗିର , ବରଗଡ , ଢେଙ୍କାନାଳ , ଯାଜପୁର , ଗଞ୍ଜାମ ଜିଲାର ୧୦ରୁ ୧୯ ତାରିଖ ମଧ୍ୟରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ସହିତ ଜାତୀୟ କୃମିନାଶକ ଦିବସ(ଏନ୍ଡିଡି) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଫାଇଲେରିଆ ନିରାକରଣ ପାଇଁ ଏହି ୫ ଟି ଜିଲ୍ଲାର ୭ ଟି ଇମ୍ପ୍ଲିମେଣ୍ଟେସନ୍ ୟୁନିଟ୍ (ବ୍ଲକ୍/ସହରାଞ୍ଚଳ)ରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ । ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅଧୀନରେ ୩ଟି ଔଷଧ ଯଥା – ଡିଇସି, ଆଲବେଣ୍ଡାଜୋଲ ଓ ଆଇଭରମେକ୍ଟିନ ବଟିକା ଖାଇବାକୁ ଦିଆଯିବ । ୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥଙ୍କୁ ଏହି ଔଷଧକୁ ଖାଇବାକୁ ବାରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୨୨୦୦ ଡ୍ରଗ ଆଡ୍ମିନିଷ୍ଟ୍ରେଟର ନିୟୋଜିତ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ୨୧୦ ଜଣ ପର୍ଯ୍ୟବେକ୍ଷକ ରହିଛନ୍ତି ବୋଲି ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି।
ଡ୍ରଗ୍ ଆଡମିନିଷ୍ଟ୍ରେଟର ପ୍ରତ୍ୟେକ ଘରକୁ ଘର ଯାଇ ଏମ୍ଡିଏ ଔଷଧ ସେବନ କରାଇବେ। ସମସ୍ତଙ୍କୁ ଔଷଧ ଖୁଆଇବା ପାଇଁ ବିଭିନ୍ନ ବିଭାଗ ଭିତରେ ସମନ୍ଵୟ, ସହଯୋଗ, ସମର୍ଥନ ନିହାତି ଆବଶ୍ୟକ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା। ସମ୍ମିଳନୀରେ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ ଜିତେନ୍ଦ୍ର ମୋହନ ବେବର୍ତା , ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ପ୍ରଦୀପ କୁମାର ଗୁରୁ , ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର , ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପ୍ରତିଷ୍ଠାନର ଅତିରିକ୍ତ ନିର୍ଦ୍ଦେଶକ ଡା. କିରଣ କୁମାର ରଥ , ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ଶକ୍ତି ପ୍ରକାଶ ମିଶ୍ର , ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡା. ନିଲମ ସୋମାଲକର, ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରଭାକର ସାହୁଙ୍କ ସହିତ ବିଭାଗୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏମ୍ଡିଏ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ, ବିଦ୍ୟାଳୟ ଏବଂ ଗଣଶିକ୍ଷା, ଉଚ୍ଚଶିକ୍ଷା, ମିଶନ ଶକ୍ତି, ମହିଳା ଏବଂ ଶିଶୁ ବିକାଶ, ଶିଳ୍ପ, ଇସ୍ପାତ ଏବଂ ଖଣି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ,ନଗର ଉନ୍ନୟନ ଇତ୍ୟାଦି ବିଭାଗକୁ ଅନୁରୋଧ କରାଯାଇଥିବା ସୂଚନା ଦିଆଯାଇଛି।


