ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ସୁରେଶ କୁମାର ବଶିଷ୍ଠ
ଭୁବନେଶ୍ବର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ସୁରେଶ କୁମାର ବଶିଷ୍ଠ (ଭା.ପ୍ର.ସେ) କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ। କାର୍ଯ୍ୟଭାର ଗ୍ରହଣ କଲା ପରେ ଶ୍ରୀ ବଶିଷ୍ଠ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଅଭିଯାନର ସୁଦୃଢ଼ୀକରଣ ଏବଂ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ଆର୍ଥିକ ଦୁର୍ବଳ ଓ ଅସହାୟ ଲୋକମାନଙ୍କ ପାଖକୁ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନାଗୁଡ଼ିକର ସୁଫଳ ପହଂଚାଇବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ବିଭାଗର ନିର୍ଦ୍ଦେଶିକା ପାରୁଲ ପଟାୱରୀ, ସ୍ୱତନ୍ତ୍ର ଶାସନ ସଚିବ ରଜନୀ ଜାନୀ, ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଜୟଶ୍ରୀ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ଦୀପକ ରାଉତରାୟ ଓ ସୋନିଆ ବେହେରାଙ୍କ ସହିତ ବିଭାଗର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।


