ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଆସନ୍ତା ୨୬ ତାରିଖରେ ରଥଯାତ୍ରା ଓ ୩୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା ଦିନ ଭୋର ୪ ଘଟିକାରୁ ସାଢେ ଚାରି ଘଟିକା ପର୍ଯ୍ୟନ୍ତ ମଙ୍ଗଳ ଆଳତୀ ଓ ଅବକାଶ, ପରେ ପରେ ୫ ଘଟିକା ପର୍ଯ୍ୟନ୍ତ ସାହଣମେଲା ଦର୍ଶନ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ସେହିଭଳି ମଧ୍ୟାହ୍ନ ୧୦.୧୫ ଘଟିକାରୁ ୧୦.୪୫ ଘଟିକା ପର୍ଯ୍ୟନ୍ତ ଯାତ୍ରା ପୂଜା ଶେଷ ପରେ ଶ୍ରୀ ଜିଉଙ୍କ ପହଣ୍ଡି, ରଥରେ ପୂଜା, ଘୋଡା ଯୋଚା ଓ ଚାରମାଳ ଖୋଲା ପରେ ଅପରାହ୍ନ ସାଢେ ୨ ଘଟିକା ସମୟରେ ରଥଟଣା ହେବ ବୋଲି ସମୟ ନିର୍ଘଣ୍ଟ କରାଯାଇଛି। ଅନୁରୂପ ଭାବେ ବାହୁଡା଼ ଯାତ୍ରା ଦିନ ଅପରାହ୍ନ ସାଢେ ୨ ଘଟିକା ସମୟରେ ମଧ୍ୟ ରଥଟଣା ଆରମ୍ଭ ହେବ।

ଉକ୍ତ ଅଶୋକାଷ୍ଟମୀ ରଥଯାତ୍ରା ନିମନ୍ତେ ବିଭାଗୀୟ ଅଧିକାରୀ ମାନେ ନିଜ ନିଜର ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିବା ପାଇଁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି। ଅସ୍ଥାୟୀ ଭୋଗପିଣ୍ଡି, ସଫେଇ, ଆଲୋକୀକରଣ, ମନ୍ଦିରକୁ ଫୁଲରେ ସଜେଇବା, ପାନୀୟ ଜଳ ବୋତଲ ବ୍ୟବସ୍ଥା କରିବାକୁ ଭୁବନେଶ୍ୱର ମହାନଗର ନିଗମକୁ ଦାୟିତ୍ୱ ଦିଆଯାଇଛି। ସେହିଭଳି ପାନୀୟ ଜଳ ଯୋଗାଣ, ରାସ୍ତା ଧୌତ, ରଥ ଆଗରେ ଓ ପଛରେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବା ପାଇଁ ୱାଟକୋକୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନି ନିର୍ବାପନ, ନିରବଛିନ୍ନ ବିଦ୍ୟୁତ ଯୋଗାଣ, ରାସ୍ତା ମରାମତି, ଶାନ୍ତି ଶୃଙ୍ଖଳା ରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ଚଳିତ ବର୍ଷ ଶୃଙ୍ଖଳିତ ଭାବେ ଅଶୋକାଷ୍ଟମୀ ରଥଯାତ୍ରା ନିମନ୍ତେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଏକାମ୍ର ବିଧାୟକ ବାବୁ ସିଂ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଉପ ଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ, ଲିଙ୍ଗରାଜ ମନ୍ଦିର ଅତିରିକ୍ତ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ଭରିମାଲ୍ଲ, ବିଭାଗୀୟ ଅଧିକାରୀ ଓ ବିଭିନ୍ନ ନିଯୋଗର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *