ସ୍ୱଚ୍ଛ ଓ ସୁସ୍ଥ ପରିବେଶ ପାଇଁ ଜନସାଧାରଣଙ୍କ ଅଂଶୀଦାରିତା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାରା ରାଜ୍ୟରେ ପାଳନ ହେଉଛି ଓଡ଼ିଆ ପକ୍ଷ। ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସରେ “ସ୍ୱଚ୍ଛତା ଅଭିଯାନ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଆନୁକୂଲ୍ୟରେ ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି, ଉଦୟଗିରି, ପଟିଆ ଠାରେ ଥିବା ଜଗନ୍ନାଥ ମନ୍ଦିର, ନନ୍ଦନ କାନନ, ବରମୁଣ୍ଡା ବସ ଷ୍ଟାଣ୍ଡ, ଭୁବନେଶ୍ୱର ରେଳ ଷ୍ଟେସନ ଠାରେ “ସ୍ଵଚ୍ଛ ଓଡ଼ିଶା ଦିବସ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଲିଙ୍ଗରାଜ ମନ୍ଦିର ଠାରେ ଆୟୋଜିତ ହୋଇଥିବା ସ୍ୱଚ୍ଛତା ଅଭିଯାନରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଯୋଗଦେଇ ଏକ “ସ୍ୱଚ୍ଛ ଓଡ଼ିଶା, ସୁନ୍ଦର ଓଡ଼ିଶା” ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଲିଙ୍ଗରାଜ ମନ୍ଦିର ପରିସରର ସଫେଇ କାର୍ଯ୍ୟରେ ସେ ନିଜେ ସାମିଲ ହେବା ସହ ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ କରିବା ପାଇଁ ଜନସାଧାରଣଙ୍କ ଅଂଶୀଦାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। “ଏକ ସ୍ଵଚ୍ଛ ପରିବେଶ ଗଠନ କରିବା ପାଇଁ ଆମେ ସଚେତନ ହେବା ଏବଂ ଭୁବନେଶ୍ୱର ସହରକୁ ସ୍ଵଚ୍ଛ ରଖିବା ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା”, ବୋଲି ମେୟର ସୁଲୋଚନା ଦାସ ମତପ୍ରକାଶ କରିଥିଲେ।

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ୪୦୦ରୁ ଉର୍ଦ୍ଧ୍ୱ ଜନ ସାଧାରଣ ଓ ସଫେଇ କର୍ମଚାରୀ ସାମିଲ ହୋଇଥିଲେ। ଭୁବନେଶ୍ୱର ମହାନଗର ନିଗମର କମିଶନର ଚଞ୍ଚଳ ରାଣା, ଭୁବନେଶ୍ୱର ମହାନଗର ନିଗମ ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ ଏବଂ କର୍ପୋରେଟରମାନେ ମଧ୍ୟ ସ୍ଵଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ। ସେହିପରି ଭାବେ ପଞ୍ଚାୟତ ସମିତି କାର୍ଯ୍ୟାଳୟ,ଭୁବନେଶ୍ୱର ଆନୁକୂଲ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି ଏବଂ ସହକାରୀ ନିର୍ଦ୍ଦେଶକ, ପର୍ଯ୍ୟଟନ ଅଞ୍ଜନ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଧଉଳି ଶାନ୍ତିସ୍ତୁପ ଠାରେ “ସ୍ଵଚ୍ଛତା ଅଭିଯାନ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏଥିସହ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ, ମହାନଗର ନିଗମ, ସମସ୍ତ ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ, ବ୍ଲକ ଗୁଡ଼ିକରେ ମଧ୍ୟ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟର ପ୍ରମୁଖ ଦେବାଳୟ, ଐତିହ୍ୟ ସ୍ଥଳ,  ସାଂସ୍କୃତିକ ସ୍ଥଳଗୁଡ଼ିକରୁ ଆରମ୍ଭ କରି ପୁଷ୍କରିଣୀ ଏବଂ ସମସ୍ତ ସାର୍ବଜନୀନ ସ୍ଥାନକୁ ମଧ୍ୟ ଏହି ସ୍ଵଚ୍ଛତା ଅଭିଯାନରେ ସାମିଲ କରାଯାଇଛି। ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସ ଅର୍ଥାତ ଏପ୍ରିଲ ୭ ତାରିଖକୁ “ଶିଶୁ କଥା ଦିବସ” ଭାବେ ପାଳନ କରାଯିବ।

Leave a Reply

Your email address will not be published. Required fields are marked *