ମହିଳାମାନଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ପ୍ରଶଂସା

ଭୁବନେଶ୍ୱର: ଭୁବନେଶ୍ୱର ଲୋକ ସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ  ଜାତୀୟ ମହିଳା ଆୟୋଗ କମିଶନରର ଅଧ୍ୟକ୍ଷା ବିଜୟା ରହାଟକରଙ୍କ ଉପସ୍ଥିତିରେ  ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନାରୀ ସୁରକ୍ଷା,ସେମାନଙ୍କ ନିରାପତ୍ତା  ଓ ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ  ଆଗାମୀ ପଦକ୍ଷେପ ସଂପର୍କରେ ସମୀକ୍ଷା କରାଯାଇଥିଲା। ଏହି ବୈଠକରେ  ମୁଖ୍ୟ ଶାସନ ସଚିବ, ଓଡ଼ିଶା  ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ  ସଚିବ ଗୃହ, ଶିଳ୍ପ ଓ ସୂଚନା ଓ ଲୋକ ସଂପର୍କ  ବିଭାଗ ହେମନ୍ତ ଶର୍ମା,  ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି ଖୁରାନିଆଙ୍କ ସମେତ  କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଉଚ୍ଚ ଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ  ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ସଚିବମାନେ ଉପସ୍ଥିତ ଥିଲେ। ଏଥିସହିତ, ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରର ଅଧିକାରୀମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ।

ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ବିଭାଗ ଓ ଗୃହ ବିଭାଗ ପକ୍ଷରୁ  ମହିଳା  ସଶକ୍ତିକରଣ ଓ ସୁରକ୍ଷା ପ୍ରତି ଓଡ଼ିଶାର ସମଗ୍ରିକ  ଓ ସମନ୍ୱିତ  ପଦକ୍ଷେପ ସଂପର୍କରେ ବିସ୍ତୃତ  ଉପସ୍ଥାପନ କରାଯାଇଥିଲା।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ, ମହିଳା ସଶକ୍ତିକରଣ ଓ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଓଡ଼ିଶା ସରକାରଙ୍କ ପ୍ରମୁଖ ପଦକ୍ଷେପ, ସଫଳତା ନେଇ ଆଲୋକପାତ କରିଥିଲେ। ‘ସୁଭଦ୍ରା’, ‘ଲଖପତି ଦିଦି’, ‘ମିଶନ ଶକ୍ତି କାଫେ’, ‘ପୋଷଣ’, କ୍ରେଚ୍ ସେବା, ‘ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, , ମହିଳା କେନ୍ଦ୍ରିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା  ଅନ୍ୟାନ୍ୟ ମହିଳା କେନ୍ଦ୍ରିକ କାର୍ଯ୍ୟକ୍ରମ, ସେଥିରେ ମହିଳାମାନଙ୍କର  ଅଧିକାର ଓ ସୁବିଧା ଉପଲବ୍ଧ ହେଉଥିବା ନେଇ ସୂଚନା ଦେଇଥିଲେ।

ଜାତୀୟ ମହିଳା କମିଶନ ଅଧ୍ୟକ୍ଷା  ବିଜୟା ରହାଟକର ନାରୀମାନଙ୍କ  ସୁରକ୍ଷା ଓ ନିରାପତ୍ତା  ସୁନିଶ୍ଚିତ କରିବାରେ ଓଡ଼ିଶା ସରକାରଙ୍କ  ପ୍ରତିଷ୍ଠାନଗତ  ବିଭିନ୍ନ   ବ୍ୟବସ୍ଥା  ଓ ଆଗୁଆ  ପଦକ୍ଷେପମାନଙ୍କୁ  ପ୍ରଶଂସା କରିଥିଲେ। ସେ ମିଶନ ଶକ୍ତି ଅଧୀନରେ ‘ସୁଭଦ୍ରା’ଯୋଜନା ଏବଂ ମିଶନ ଶକ୍ତି ମାଧ୍ୟମରେ  ‘ଲଖପତି ଦିଦି’ପଦକ୍ଷେପର ସଫଳତାକୁ ମଧ୍ୟ ପ୍ରସଂଶା  କରିଥିଲେ ଏବଂ ଏହା ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା ଓ ନେତୃତ୍ୱକୁ ପ୍ରୋତ୍ସାହିତ କରିବାରେ କିପରି  ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଉଛି, ସେ ସଂପର୍କରେ ଆଲୋଚନା କରିଥିଲେ।

ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଆହୁରି ମଧ୍ୟ ଓଡ଼ିଶାର ଅଭିନବ ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଥିଲେ, ବିଶେଷ କରି ୟୁଏନଏଫିପିଏ ସହଯୋଗରେ ବିକଶିତ ‘ଶକ୍ତି ଆପ୍’, ଯାହା ପ୍ରଯୁକ୍ତିଭିତ୍ତିକ ପ୍ରୟାସରେ  ଲିଙ୍ଗଭିତ୍ତିକ ହିଂସା ମାମଲାଗୁଡ଼ିକ ସମନ୍ୱିତ ପ୍ରତିକ୍ରିୟା ଓ କାର୍ଯ୍ୟାନୁଷ୍ଠାନ  ସୁନିଶ୍ଚିତ କରୁଛି  ଏବଂ ଏପରି ବ୍ୟବସ୍ଥାଗୁଡ଼ିକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ। ସେ କିଶୋରୀ ଓ ଯୁବତୀମାନଙ୍କ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ‘ଅଦ୍ୱିକା’କାର୍ଯ୍ୟକ୍ରମ ଏବଂ ଉଚ୍ଚ ଶିକ୍ଷା ବିଭାଗର ‘ଶକ୍ତିଶୀ’ପରି ପଦକ୍ଷେପକୁ  ମଧ୍ୟ ପ୍ରଶଂସା କରିଥିଲେ। ସେ ମାନବ ଚାଲାଣ  ଏବଂ ଅନ୍ୟାନ୍ୟ ଲିଙ୍ଗଭିତ୍ତିକ ହିଂସା  ସମ୍ବନ୍ଧୀୟ ପଡିରହିଥିବା  ମାମଲାଗୁଡ଼ିକର ଶୀଘ୍ର ସମାଧାନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଏହା ଫଳରେ ସମୟୋପଯୁକ୍ତ ନ୍ୟାୟ ସୁନିଶ୍ଚିତ ହେବ ଏବଂ ଏଥିପାଇଁ ସମସ୍ତ ସ୍ତରରେ ପ୍ରତିକ୍ରିୟା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରି ପରାମର୍ଶ ଦେଇଥିଲେ। ସେ ମଧ୍ୟ “ପୋଶ”ଆଇନ ଓ ଅନ୍ୟାନ୍ୟ ମହିଳା ସୁରକ୍ଷା ସମ୍ବନ୍ଧୀୟ ଆଇନର  ଦୃଢ଼ କାର୍ଯ୍ୟାନ୍ୱୟନ ସହିତ ରାଜ୍ୟ ଓ ଜିଲ୍ଲା ସ୍ତରରେ ବିଭାଗ ମଧ୍ୟରେ  ସମନ୍ୱୟକୁ ଅବ୍ୟାହତ ରଖିବାର ଆବଶ୍ୟକତାକୁ  ଗୁରୁତ୍ୱ ଦେଇଥିଲେ।  ସେ ଆହୁରି ମଧ୍ୟ “ତେରେ ମେରେ ସପ୍ନେ”ନାମକ ବିବାହ ପୂର୍ବ ଯୋଗାଯୋଗ କେନ୍ଦ୍ର ( ପ୍ରି ମାରିଟାଲ କମ୍ୟୁନିକେସନ ସେଣ୍ଟର) ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳମାନଙ୍କ ନେତୃତ୍ୱରେ ସ୍ଥାପିତ କରାଯିବା ଉଚିତ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ଏକ ସମନ୍ୱିତ ଓ ସୁସ୍ଥ ପରିବାରିକ ଜୀବନକୁ ପ୍ରୋତ୍ସାହନ ଦେବ।

Leave a Reply

Your email address will not be published. Required fields are marked *