ଭାରତର ପ୍ରକୃତ ଶକ୍ତି ଏହାର ବିବିଧତା ମଧ୍ୟରେ ନିହିତ ଏକତାରେ ଅଛି : ରାଜ୍ୟପାଳ
ଭୁବନେଶ୍ୱର: ଭାରତର ପ୍ରକୃତ ଶକ୍ତି ଏହାର ବିବିଧତା ମଧ୍ୟରେ ନିହିତ ଏକତାରେ ଅଛି ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତିI ଶୁକ୍ରବାର ଦିନ ଲୋକଭବନର ନ୍ୟୁ ଅଭିଷେକ୍ ହଲ୍ରେ ଆୟୋଜିତ ଗୁଜରାଟ ଓ ମହାରାଷ୍ଟ୍ର ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ରାଜ୍ୟପାଳ ଏହା କହିଛନ୍ତିI ଏହି ଅବସରରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ ଜନସାଧାରଣଙ୍କୁ ପରସ୍ପର ପ୍ରତି ସମ୍ମାନ, ସାଂସ୍କୃତିକ ସମନ୍ୱୟ ଏବଂ ଜାତୀୟ ଏକତା ବଜାୟ ରଖି ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ଆହ୍ୱାନ ଜଣାଇଛନ୍ତି। ରାଜ୍ୟପାଳ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ଲୋକମାନେ ଏକତ୍ରିତ ହୁଅନ୍ତି, ପରସ୍ପରର ସଂସ୍କୃତି ବୁଝନ୍ତି, ପରମ୍ପରାକୁ ସମ୍ମାନ କରନ୍ତି ଏବଂ ବିବିଧତାକୁ ଗ୍ରହଣ କରନ୍ତି ସେତେବେଳେ ସେମାନେ ରାଷ୍ଟ୍ରର ମୂଳକୁ ଆହୁରି ମଜବୁତ କରନ୍ତି।ଏହି ପାରସ୍ପରିକ ସମ୍ମାନ ଏବଂ ଏକତା ଭାରତକୁ କେବଳ ଏକ ଦେଶ ନୁହେଁ ବରଂ ଏକ ଶକ୍ତିଶାଳୀ ଓ ଅବିଭାଜ୍ୟ ପରିବାର କରିଥାଏ ବୋଲି ରାଜ୍ୟପାଳ କହିଥିଲେ।
ଏହି ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଦ୍ରୁଷ୍ଟିକୋଣର ପ୍ରତିଫଳନ ଅଟେ ବୋଲି କହିବା ସହିତ ବିବିଧତା ମଧ୍ୟରେ ଏକତା ଆମର ସର୍ବଶ୍ରେଷ୍ଠ ଶକ୍ତି ବୋଲି ରାଜ୍ୟପାଳ ଅବତାରଣା କରିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ରାଜ୍ୟପାଳ ଶ୍ରମିକ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଶ୍ରମିକ ସମାଜର ଅବଦାନକୁ ପ୍ରଶଂସା କରିଥିଲେ। ଶ୍ରମିକ ସମାଜକୁ ରାଷ୍ଟ୍ରର ମେରୁଦଣ୍ଡ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ, ସେମାନଙ୍କର ନିଷ୍ଠା, ପରିଶ୍ରମ ଏବଂ ସମର୍ପଣ ଭାରତର ପ୍ରଗତି ଓ ବିକାଶକୁ ତ୍ୱରାନ୍ୱିତ କରୁଛି। ମହାରାଷ୍ଟ୍ର ଓ ଗୁଜରାଟର ଜନସାଧାରଣଙ୍କୁ ସେମାନଙ୍କ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ ଉଭୟ ରାଜ୍ୟ ଭାରତର ସମୃଦ୍ଧ ଐତିହ୍ୟ, ଜୀବନ୍ତ ସଂସ୍କୃତି ଏବଂ ଗତିଶୀଳ ପ୍ରଗତିର ଉଜ୍ଜ୍ୱଳ ଉଦାହରଣ।
ମହାରାଷ୍ଟ୍ରକୁ ଇତିହାସ, ସାହସ ଏବଂ ସଂସ୍କୃତିର ଗଭୀର ଭିତ୍ତି ଥିବା ଏକ ଭୂମି ବୋଲି ବର୍ଣ୍ଣନା କରି ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ଵ-ଶାସନର ଭିତ୍ତି, ସ୍ୱାଧୀନତା ସଂଗ୍ରାମ, ଅର୍ଥନୀତି ଏବଂ ସାଂସ୍କୃତିକ ବିକାଶରେ ରାଜ୍ୟର ଉଲ୍ଲେଖନୀୟ ଅବଦାନକୁ ରାଜ୍ୟପାଳ ସ୍ମରଣ କରିଥିଲେ। ମହାରାଷ୍ଟ୍ରର ଐତିହାସିକ ସ୍ଥଳୀ, ପର୍ବ ପର୍ବାଣି ଏବଂ ଦେଶର ଆର୍ଥିକ ରାଜଧାନୀ ଭାବେ ମୁମ୍ବାଇର ଭୂମିକାକୁ ମଧ୍ୟ ଉଲ୍ଲେଖ କରିଥିଲେ।
ସେହିଭଳି ଗୁଜରାଟକୁ “କିମ୍ବଦନ୍ତୀର ଭୂମି”ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଏହି ରାଜ୍ୟ ଉଦ୍ୟମିତା, ନବସୃଜନ ଏବଂ ଜାତୀୟ ଏକତାର ପ୍ରତୀକ। ମହାତ୍ମା ଗାନ୍ଧୀ ଓ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମସ୍ଥାନ ଭାବେ ପ୍ରସିଦ୍ଧ ଗୁଜରାଟ ଉଦ୍ୟମିତା ମନୋଭାବ ଓ ସାଂସ୍କୃତିକ ସମୃଦ୍ଧି ମାଧ୍ୟମରେ ଆଧୁନିକ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ଏହି ଅବସରରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ବିଷୟରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ଜଗନ୍ନାଥ ସଂସ୍କୃତି ସାର୍ବଜନୀନ ସମାନତା, ସମଭାବ ଏବଂ ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ଦେଇଥାଏ। ଓଡ଼ିଶାରେ ବସବାସ କରୁଥିବା ମହାରାଷ୍ଟ୍ର ଓ ଗୁଜରାଟର ଲୋକଙ୍କ ଅବଦାନକୁ ରାଜ୍ୟପାଳ ପ୍ରଶଂସା କରି କହିଥିଲେ ଯେ, ସେମାନେ ରାଜ୍ୟର ବିକାଶର ଅବିଚ୍ଛେଦ୍ୟ ଅଙ୍ଗ ଅଟନ୍ତି। ଏତତବ୍ୟତୀତ ସେମାନେ ନିଷ୍ଠା, ସହଯୋଗ ଏବଂ ସାମୂହିକ ସ୍ୱପ୍ନ ସହିତ କାର୍ଯ୍ୟ କରି ଏକ ଶକ୍ତିଶାଳୀ, ସମାବେଶୀ ଓ ସମୃଦ୍ଧ ଭାରତ ଗଢ଼ିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ।
ଏହି ଅବସରରେ ମହାରାଷ୍ଟ୍ରର ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ଓ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ଭିଡ଼ିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା। ପ୍ରାରମ୍ଭରେ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଡ଼. ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପୁରୀ ବନଖଣ୍ଡ ଅଧିକାରୀ (ବନ୍ୟ ପ୍ରାଣୀ) ମଗର ଧନାଜୀ ରାଓସୋ ମଧ୍ୟ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।


