‘ଓଡ଼ିଶୀ ସଂସ୍କୃତିକୁ ବିଶ୍ୱ ବିଦିତ କରିବା ଲକ୍ଷ୍ୟ ନେଇ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ’

ଭୁବନେଶ୍ୱର : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଇଣ୍ଟର୍ନସିପ୍ ଆଡ଼ଭାନ୍ସ କୋର୍ସରେ ୨୦୨୬-୨୮ ଶିକ୍ଷାବର୍ଷ ପାଇଁ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଣ୍ଟର୍ନସିପ୍ ଆଡ଼ଭାନ୍ସ କୋର୍ସରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶୀ ନୃତ୍ୟ, ଓଡ଼ିଶୀ ସଙ୍ଗୀତ, ମର୍ଦ୍ଦଳ ଓ ସୀତାର ବାଦନରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ମାସିକ ୫,୦୦୦ ଟଙ୍କା ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯିବ।

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଥିବା ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତି, ଗୁରୁ ସିକତା ଦାସ, ଓଡ଼ିଶୀ ସଙ୍ଗୀତ ଗାୟକ ଗୁରୁ ପ୍ରଫେସର ରାମ ହରି ଦାସ, ବିଶିଷ୍ଟ ମର୍ଦ୍ଦଳ ବାଦକ ଡ଼. ଜଗନ୍ନାଥ କୁଅଁର, ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସାଧନା ଓ ଗବେଷଣା ମନୋବୃତ୍ତି ରଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଗୁରୁମାନେ ଉପଦେଶ ଦେଇଥିଲେ।

“ନିୟମିତ ଅଭ୍ୟାସ ଓ ସାଧନା ହିଁ ସଫଳତାର ଚାବିକାଠି। ଓଡ଼ିଶୀ ଗବେଷଣା କେନ୍ଦ୍ରର ଇଣ୍ଟର୍ନସିପ୍ ଆଡ଼ଭାନ୍ସ କୋର୍ସରେ ନାମ ଲେଖାଇଥିବା ସମସ୍ତ ଛାତ୍ରଛାତ୍ରୀ ହେଉଛନ୍ତି ନୃତ୍ୟ ଓ କଳା ଜଗତର ଭବିଷ୍ୟତ। ନିଜର କଳା, କୌଶଳ ଓ ସାଧନା ବଳରେ ଓଡ଼ିଶୀ ସଂସ୍କୃତିକୁ ବିଶ୍ୱ ବିଦିତ କରିବା ଲକ୍ଷ୍ୟ ନେଇ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ”, ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ସମବେତ କଣ୍ଠ ସଙ୍ଗୀତ ପରିବେଷଣ କରାଯିବ ସହ ମର୍ଦ୍ଦଳ, ବେହେଲା ଓ ବଂଶୀ ବାଦନ କରାଯାଇଥିଲା। ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *