୨୦ ଲକ୍ଷ ମେଟ୍ରିକ ଟନ ରବି ଧାନ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୨୦୨୫–୨୬ ଖରିଫ୍ ମାର୍କେଟିଂ ଋତୁରେ ରବି ଫସଲ (ଧାନ) କ୍ରୟ ସଂପର୍କିତ ରାଜ୍ୟସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଯୋଗଦେଇ ଆଗାମୀ ରବି ଧାନ ସଂଗ୍ରହ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ସମବାୟ ସମିତି ସମୂହ ନିବନ୍ଧକ ମନୀଷ୍ ଅଗ୍ରଓ୍ୱାଲଙ୍କ ସମେତ ସଂପୃକ୍ତ ଅନ୍ୟ. ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେl

ବୈଠକରେ ୨୦୨୫–୨୬ ଖରିଫ୍ ମାର୍କେଟିଂ ଋତୁରେ ଧାନ କ୍ରୟ ସଂପର୍କରେ ସୂଚନା ଦିଆଯାଇଥିଲା। ଜଣାଯାଇଛି ଯେ, ଗତ ୨୦୨୪–୨୫ ଖରିଫ୍ ରେ ୭୩.୪୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବାବେଳେ ୧୬ ଲକ୍ଷ ୬୦ ହଜାର ୨୩୦ ଜଣ ଚାଷୀ ସେମାନଙ୍କର ଧାନ ବିକ୍ରୟ କରିଥିଲେ। ୨୦୨୫–୨୬ ଖରିଫରେ ୭୭.୪୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କ୍ରୟ ହୋଇଛି ଏବଂ ୧୮ ଲକ୍ଷ ୮୪ ହଜାର ୬୨୮ଜଣ ଚାଷୀ ସେମାନଙ୍କର ଧାନ ବିକ୍ରୟ କରିଛନ୍ତି, ଯାହାକି ପୂର୍ବ ବର୍ଷ ତୁଳନାରେ ୫.୪୮ ପ୍ରତିଶତ ଅଧିକ।୨୦୨୫–୨୬ ରବି ଫସଲ ପାଇଁ ରାଜ୍ୟର ୨୦ଟି ଜିଲ୍ଲାରୁ ୩,୭୫,୫୫୬ ଜଣ ଚାଷୀ ପଂଜୀକରଣ କରିଛନ୍ତି। ଗତ ୨୦୨୪–୨୫ରେ ଏହି ସଂଖ୍ୟା ୩,୩୮,୪୮୧ ଥିଲା।

ରବି ଧାନ ଧାର୍ଯ୍ୟ କ୍ରୟ  ସମୟ ସୀମା ମେ ମାସ ୧ ତାରିଖରୁ ଜୁନ୍‌ ୩୦ ମଧ୍ୟରେ ହେବାକୁ ନିର୍ଦ୍ଧାରିତ ଥିବାବେଳେ ବିଭିନ୍ନ ଜିଲ୍ଲା ୧୪ ମଇରୁ ଅଲଗା ଅଲଗା ତାରିଖରେ ସଂଗ୍ରହ କରିବାକୁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ନିଷ୍ପତ୍ତି ଅନୁସାରେ ତାରିଖ ନିର୍ଦ୍ଧାରଣ କରିଛନ୍ତି। ଭାଗ ଚାଷୀଙ୍କ ସମେତ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ପ୍ରକୃତ ଚାଷୀ ମାନେ ଯେପରି ଉପକୃତ ହେବେ ସେଥିପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଧାନ ସଂଗ୍ରହ ତା-୧୦.୧୦.୨୦୨୫ କ୍ୟାବିନେଟ ବୈଠକରେ ଅନୁମୋଦିତ ଖରିଫ ମାର୍କେଟିଂ ଋତୁ ୨୦୨୫–୨୬ ଖାଦ୍ୟ ଓ କ୍ରୟ ନୀତିଆଧାରରେକରାଯିବ।ଜିଲ୍ଲାସ୍ତରରେରାଜସ୍ୱ, ସମବାୟ, ପୁଲିସ୍‌, ପରିବହନ, କୃଷି, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଆଦି ବିଭାଗୀୟ ଅଧିକାରୀଙ୍କ ସହିତ ସମନ୍ୱୟ କରି ଧାନ ସଂଗ୍ରହ କାର୍ଯ୍ୟ ହେବ। ଜିଲ୍ଲାସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ନିୟମିତ ଭାବେ ଧାନ ସଂଗ୍ରହ ପରିଚାଳନା ତଦାରଖ କରିବେ। ବାହାରୁ ଯେପରି ଅନଧିକୃତ ଭାବେ ଧାନ ପ୍ରବେଶ ନକରେ, ସେଥିପାଇଁ ରାଜ୍ୟ ସୀମାରେ ଯାଞ୍ଚକୁ କଡ଼ାକଡ଼ି କରାଯିବ। ବିଭିନ୍ନ ଜିଲ୍ଲାରେ ମୋଟ ୨୪୭୨ ଜଣ ମଣ୍ଡି ନୋଡାଲ ଅଧିକାରୀ ନିୟୋଜିତ ହୋଇଛନ୍ତି। ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଲିଃର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରବି ଧାନ ସଂଗ୍ରହ ବ୍ୟବସ୍ଥା ଓ ସବିଶେଷ ପଦ୍ଧତି ସମ୍ପର୍କରେ ଉପସ୍ଥାପନ କରିଥିଲେ।

ଧାନ କ୍ରୟ କେନ୍ଦ୍ରରେ ଆଶ୍ରୟସ୍ଥଳ, ପାନୀୟ ଜଳ ଓ ଆନୁଷଙ୍ଗିକ ସୁବିଧା ସହ ଯଥେଷ୍ଟ ସଂଖ୍ୟକ ତର୍ପୋଲିନ (ପାଲ) ବ୍ୟବସ୍ଥା ଏବଂ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛିl ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ରାଜ୍ୟ ମୁଖ୍ୟାଳୟରେ ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ର (ସିସିଇସି) ସହିତ ସମନ୍ୱିତ କରାଯାଇ ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ପ୍ରଭାବୀ କରାଯାଇଛି।  ଧାନ ସଂଗ୍ରହ ପରିଚାଳନା ବ୍ୟବସ୍ଥା ସଂପର୍କରେ ସୂଚନା, ଶିକ୍ଷା, ଯୋଗାଯୋଗ ଆଇଇସି ବ୍ୟବସ୍ଥା ମାଧ୍ୟମରେ ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯାଇଛି। କଲ ସେଣ୍ଟର, ମୋବାଇଲକୁ ବାର୍ତ୍ତାପ୍ରେରଣ, ୧୯୬୭ ଟୋଲ ଫ୍ରି ବ୍ୟବସ୍ଥା କୃଷକମାନଙ୍କ ପାଇଁ ସୂଚନା ଓ ଫିଡବ୍ୟାକ୍‌ ଦେବା ପାଇଁ କାର୍ଯ୍ୟକାରୀ ହୋଇଥିବା ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା। ଏବର୍ଷ ଶୀଘ୍ର ମୌସୁମୀ ଆସିବାକୁ ଦୃଷ୍ଟିରେ ରଖି ମଣ୍ଡିକୁ ଆସୁଥିବା ଧାନ ଯେପରି ବର୍ଷା ଓ ଆଦ୍ରତାରୁ ସୁରକ୍ଷିତ ରହେ, ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁପରାମର୍ଶ ଦିଆଯାଇଛି।

ମୁଖ୍ୟ ଶାସନ ସଚିବ ନିର୍ଦ୍ଧାରିତ ହୋଇଥିବା ମାର୍ଗଦର୍ଶିକାକୁ ସଠିକ ଅନୁସରଣ କରି ରବି ଧାନ କ୍ରୟ ବ୍ୟବସ୍ଥାର ସୁପରିଚାଳନା କରିବାକୁ ଗୁରୁତ୍ୱ ଦେଇଛନ୍ତି। କାର୍ଯ୍ୟ ଖିଲାପ କରୁଥିବା ଅଧିକାରୀ, ଅସାଧୁଉ ପାୟ ଅବଲମ୍ବନ କରୁଥିବା ବ୍ୟକ୍ତି, ସଂପୃକ୍ତ କୃଷି ସମବାୟ ସମିତି, ମିଲର ତଥା ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ସତର୍କ କରିଛନ୍ତିl ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବାକୁ ଆନୁଷ୍ଠାନିକ ବ୍ୟବସ୍ଥାକୁ ମଧ୍ୟ ଅଧିକ ସୁଦୃଢ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *