ଓଟିଇଟି ପରୀକ୍ଷା ପରିଚାଳନା ସମୀକ୍ଷା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ
ଭୁବନେଶ୍ୱର : ରାଜ୍ୟର ୩୦ ଗୋଟି ଜିଲ୍ଲାରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଓଟିଇଟି ପରୀକ୍ଷାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାୟକ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଦେଖିବା ସହ, ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ପରୀକ୍ଷା ଦେଉଥିବା ସାଧାରଣ ପରୀକ୍ଷାର୍ଥୀ, ଭିନ୍ନକ୍ଷମ ପରୀକ୍ଷାର୍ଥୀ ଓ ସେମାନଙ୍କ ସହାୟକଙ୍କ ସହ ସେମାନଙ୍କୁ ପରୀକ୍ଷା କେନ୍ଦ୍ର ଉପଲବ୍ଧ ସୁବିଧା ବିଷୟରେ ଆଲୋଚନା କରିଥିଲେ। ଏଥିସହିତ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟ।ଳୟରେ ଥିବା କମାଣ୍ଡ କଣ୍ଟ୍ରୋଲ ସେଣ୍ଟରକୁ ବୁଲି ଦେଖିଥିଲେ। Live CCTV ମାଧ୍ୟମରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପରିଷଦର ବରିଷ୍ଠ ଅଧିକାରୀମାନଙ୍କ ରାଜ୍ୟର ବିଭିନ୍ନ ପରୀକ୍ଷାକେନ୍ଦ୍ର ପରିଦର୍ଶନକୁ ଅନୁଧ୍ୟାନ କରିଥିଲେ।
ପରିଷଦର ସଭାପତି ଶ୍ରୀକାନ୍ତ ତରାଇଙ୍କ ଉପସ୍ଥିତିରେ ପରୀକ୍ଷା ପରିଚାଳନା ସମ୍ବନ୍ଧରେ, ସମସ୍ତ ୩୧୧ ପରୀକ୍ଷାକେନ୍ଦ୍ରରେ ଲାଗିଥିବା Live CCTV surveillance ଓ digi lock ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିସହିତ ଟେକ୍ନିକାଲ ଟିମ୍ ଙ୍କ ସହ ଆଲୋଚନା କରି ସଂପୂର୍ଣ୍ଣ ତଥ୍ୟ ଅବଗତ ହୋଇଥିଲେ।
ସୁଚାରୁରୂପେ ଓ ନିର୍ବିଘ୍ନ ଭାବେ ପରିଚାଳିତ ପରୀକ୍ଷା ବ୍ୟବସ୍ଥାକୁ ଶାସନସଚିବ ପ୍ରଶଂସା କରିଥିଲେ। ପରିଷଦର ମୁଖ୍ୟ କାର୍ଯ୍ୟ।ଳୟରେ ଏହି ସମୟରେ ଉପସ୍ଥିତ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋରଞ୍ଜନ ବାରିକଙ୍କ ସହ ମଧ୍ୟ ପରୀକ୍ଷା ପରିଚାଳନା ବିଷୟରେ ଆଲୋଚନା କରିଥିଲେ। ଏହି ସମୟରେ ପରିଷଦର ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।


