‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ଅନୁନ୍ନତ ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ଅନ୍ତର୍ଭୁକ୍ତିମୂଳକ ବିକାଶ ଅପରିହାର୍ଯ୍ୟ’

ଭୁବନେଶ୍ୱର: ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ଅନ୍ତର୍ଭୁକ୍ତିମୂଳକ ବିକାଶ ଅପରିହାର୍ଯ୍ୟ ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ସୋମବାର ଲୋକ ଭବନର ନ୍ୟୁ ଅଭିଷେକ ହଲ ଠାରେ ‘ପିଭିଟିଜିସ ଅଫ ଓଡ଼ିଶା – ୱେ ଆହେଡ଼’ ଶୀର୍ଷକ ଏକ ଦିବସୀୟ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି I ଏହି ସମ୍ମିଳନୀରେ ଓଡ଼ିଶାର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀ (PVTGs) ଙ୍କ ଅନ୍ତର୍ଭୁକ୍ତିମୂଳକ ଓ ସମ୍ମାନଜନକ ବିକାଶ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ପ୍ରତ୍ୟେକ ନାଗରିକ, ବିଶେଷ କରି ସମାଜର ଦୁର୍ବଳ ବର୍ଗର ଲୋକ ଆତ୍ମବିଶ୍ୱାସ, ସମ୍ମାନ ଓ ସମାନ ସୁଯୋଗ ସହିତ ଅଗ୍ରଗତି କଲେ ହିଁ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ୱପ୍ନ ସଫଳ ହୋଇପାରିବ। ଏହି ଆଲୋଚନାଚକ୍ରରେ ରାଜ୍ୟପାଳ କହିଥିଲେ ଯେ, ପିଭିଟିଜିଙ୍କ ସର୍ବାଙ୍ଗୀନ ବିକାଶ କେବଳ ଏକ ସାମାଜିକ ଦାୟିତ୍ୱ ନୁହେଁ ବରଂ ଏହା ଏକ ଜାତୀୟ ଆବଶ୍ୟକତା। ସେମାନଙ୍କର ସଶକ୍ତିକରଣ ମାଧ୍ୟମରେ ଓଡ଼ିଶା ଦେଶର ଅନ୍ତର୍ଭୁକ୍ତିମୂଳକ ଓ ସ୍ଥାୟୀ ବିକାଶ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ।

ଏସ୍‌ସିଏସ୍‌ଟିଆର୍‌ଟିଆଇ ଏବଂ ଲୋକ ଭବନର ଟ୍ରାଇବାଲ ସେଲର ମିଳିତ ସହଯୋଗରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ନୀତି ନିର୍ମାତା, ଶିକ୍ଷାବିତ, ଗବେଷକ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ବରିଷ୍ଠ ଅଧିକାରୀ ଏବଂ ପିଭିଟିଜି ଗୋଷ୍ଠୀର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।

ଓଡ଼ିଶାର ଅନନ୍ୟ ଜନଜାତି ଐତିହ୍ୟ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ରାଜ୍ୟରେ ଦେଶର ସର୍ବାଧିକ ୧୩ଟି ପିଭିଟିଜି ବର୍ଗ ରହିଛନ୍ତି। ଏହି ଗୋଷ୍ଠୀଗୁଡ଼ିକ ସମୃଦ୍ଧ ପରମ୍ପରା, ପାରମ୍ପରିକ ଜ୍ଞାନ, ଜୀବନ୍ତ କଳା, ସ୍ୱତନ୍ତ୍ର ଭାଷା ଏବଂ ପ୍ରକୃତି ସହିତ ସମନ୍ୱୟପୂର୍ଣ୍ଣ ଜୀବନଯାପନ ପାଇଁ ପରିଚିତ। ଶିକ୍ଷା, ସ୍ୱାସ୍ଥ୍ୟ, ସ୍ଥାୟୀ ଜୀବିକା ଓ ମୌଳିକ ସୁବିଧାରେ ଉନ୍ନତି ସହିତ ସେମାନଙ୍କର ସାଂସ୍କୃତିକ ପରିଚୟ ଓ ପାରମ୍ପରିକ ଜୀବନଶୈଳୀର ସଂରକ୍ଷଣ ଉପରେ ସମାନ ଗୁରୁତ୍ୱ ଦିଆଯିବା ଉଚିତ। ମାଲକାନଗିରି ଜିଲ୍ଲାର ଦିଦାୟୀ ଗୋଷ୍ଠୀର ଚମ୍ପା ରାସପେଦାଙ୍କ ସଫଳତା ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ସେ ତାଙ୍କ ଗୋଷ୍ଠୀର ପ୍ରଥମ ବାଳିକା ଭାବେ ନୀଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବାଲେଶ୍ୱର ଫକୀର ମୋହନ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍‌ରେ ନାମ ଲେଖାଇଛନ୍ତି। ଏହି ସଫଳତା ଆଶାର ଏକ ପ୍ରତୀକ ବୋଲି ଅବତାରଣା କରି ରାଜ୍ୟପାଳ କହିଥିଲେ ଯେ, ଗୁଣାତ୍ମକ ଶିକ୍ଷା ଓ ସୁଯୋଗ ପାଇଲେ ପିଭିଟିଜି ବର୍ଗର ଯୁବପିଢ଼ି ବିଜ୍ଞାନ, ଚିକିତ୍ସା, ପ୍ରଶାସନ, ଉଦ୍ୟୋଗ, କ୍ରୀଡ଼ା ଓ କଳା କ୍ଷେତ୍ରରେ ସଫଳତା ହାସଲ କରିପାରିବେ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରି ରାଜ୍ୟପାଳ କହିଥିଲେ ଯେ, ବିଭିନ୍ନ ଯୋଜନା ମାଧ୍ୟମରେ ପିଭିଟିଜିଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଯୋଗାଯୋଗ ଓ ସାମାଜିକ ସୁରକ୍ଷାରେ ଯଥେଷ୍ଟ ଉନ୍ନତି ହୋଇଛି ଏବଂ ସେମାନଙ୍କର ପାରମ୍ପରିକ ଅଧିକାର ଓ ଐତିହ୍ୟକୁ ସଂରକ୍ଷିତ ରଖାଯାଇଛି। ଲୋକ ଭବନର ଟ୍ରାଇବାଲ ସେଲ ଦ୍ୱାରା ପ୍ରକାଶିତ ‘ଟ୍ରାଇବାଲ ଫଟୋ ଏସେ’ବୁକ ସିରିଜ୍‌କୁ ରାଜ୍ୟପାଳ ପ୍ରଶଂସା କରିଥିଲେ I ଏହି ଅବସରରେ “ଓଡ଼ିଶାର ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀ (ପିଭିଟିଜି) ଙ୍କ ସାମାଜିକ-ସାଂସ୍କୃତିକ, ଜନସଂଖ୍ୟାଗତ, ପୁଷ୍ଟି ଓ ସ୍ୱାସ୍ଥ୍ୟ ସ୍ଥିତି”ଶୀର୍ଷକ ରିପୋର୍ଟ ମଧ୍ୟ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରି ରାଜ୍ୟପାଳ ପିଏମ-ଜନମନ, ଜଙ୍ଗଲ ଅଧିକାର ଆଇନ, ଜଳ ଜୀବନ ମିଶନ ପରି ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିବା ସହ ପିଭିଟିଜି ଗୋଷ୍ଠୀଙ୍କ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ସମ୍ମିଳନୀରେ ଆଲୋଚନା ହୋଇଥିବା ପ୍ରସଙ୍ଗ ଓ ପରାମର୍ଶ ଭବିଷ୍ୟତ ନୀତି ଓ କାର୍ଯ୍ୟକ୍ରମ ପାଇଁ ସହାୟକ ହେବ ବୋଲି ରାଜ୍ୟପାଳ ଦୃଢୋକ୍ତି ପ୍ରକାଶ କରିବା ସହିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ବିକାଶ ଓ ସାଂସ୍କୃତିକ ସଂରକ୍ଷଣକୁ ଏକତ୍ର ଆଗକୁ ବଢ଼ାଇବା ପାଇଁ ଆହ୍ୱାନ ଜଣାଇଥିଲେ।

ଏହି ସମ୍ମିଳନୀରେ ଦୁଇଟି ଅଧିବେଶନ ସମେତ ଟ୍ରାଇବାଲ୍ ଫଟୋ ଏସେ’ଉପରେ ଅଡିଓ-ଭିଜୁଆଲ୍, ୧୩ଟି ପିଭିଟିଜି ବର୍ଗ ପାଇଁ ଗୋଷ୍ଠୀ ଆଲୋଚନା ହୋଇଥିଲା ଏବଂ ପରାମର୍ଶ ଉପସ୍ଥାପନା କରାଯାଇଥିଲା। ଏହି ଅବସରରେ ୪୦ ଜଣ ପିଭିଟିଜି ହିତାଧିକାରୀ, ବିଶ୍ୱବିଦ୍ୟାଳୟ ଓ ସ୍ବେଛାସେବୀ ଅନୁଷ୍ଠାନର ପ୍ରତିନିଧି, ଏସ୍‌ସିଏସ୍‌ଟିଆର୍‌ଟିଆଇ ର ଅଧିକାରୀ ଏବଂ ଲୋକ ଭବନର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ଼. ରୂପା ରୋଶନ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *