ଖାରବେଳ ଭବନ, ଲୋକସେବା ଭବନ ଏବଂ ବିଧାନସଭାରେ ସ୍ଵାସ୍ଥ୍ୟ କ୍ୟାମ୍ପ, ସରକାରୀ ଆୟୁର୍ବେଦ ହସ୍ପିଟାଲରେ ପଦଯାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଓ ଗୁଣବତ୍ତା ବୃଦ୍ଧି ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଆର୍ଥିକ ବର୍ଷ ୨୦୨୪-୨୫ ଓ ୨୦୨୫-୨୬ରେ ୪୦୦ କୋଟିରୁ ଊର୍ଦ୍ଧ୍ୱ ବ୍ୟୟରେ ୫୭୭ରୁ ଅଧିକ ଆୟୁଷ ପ୍ରକଳ୍ପ ଅନୁମୋଦିତ ହୋଇଛି। ମୟୂରଭଞ୍ଜର ରାଇରଙ୍ଗପୁରଠାରେ ୮୫.୭୮ କୋଟି ଟଙ୍କା ବ୍ୟୟରେ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ ଏହି ପ୍ରୟାସର ଏକ ପ୍ରମୁଖ ପଦକ୍ଷେପ। ଭୁବନେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦ ହସ୍ପିଟାଲ ଏବଂ ଜଟଣୀରେ ୧୦୦ ଶଯ୍ୟା ବିଶିଷ୍ଟ ନେଚୁରୋପାଥି ହସ୍ପିଟାଲ ଭୂମିପୂଜନ ହୋଇସାରିଛି। ରାୟଗଡ଼ା, ଗଜପତି ଓ ମାଲକାନଗିରିରେ ୩ଟି ନୂତନ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଏବଂ ନୂଆପଡ଼ା ଓ ନୟାଗଡ଼ରେ ୨ଟି ସରକାରୀ ହୋମିଓପାଥିକ ମେଡିକାଲ କଲେଜ ସ୍ଥାପନ ପାଇଁ ୨୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି। ଏହା ଫଳରେ ଆୟୁଷ ଶିକ୍ଷା ଅଧିକ ବିକାଶ କରିବ“ ବୋଲି ୧୧ ତମ ଆୟୁର୍ବେଦ ଦିବସ ପାଳନ ଅବସରରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ କହିଛନ୍ତି ।

ଭୁବନେଶ୍ୱର ସ୍ଥିତ ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି ଯେ,ଆୟୁଷ ସେବାର ଗୁଣବତ୍ତା ବୃଦ୍ଧି ପାଇଁ ସମସ୍ତ ସରକାରୀ ଆୟୁଷ ମେଡ଼ିକାଲ କଲେଜ ଏବଂ ୧୧୯୧ଟି ଆୟୁଷ ଔଷଧାଳୟରେ ହାଉସକିପିଂ, ପରିଚ୍ଛନ୍ନତା, ସୁରକ୍ଷା ଓ ଲିନେନ୍ ବ୍ୟବସ୍ଥା ସୁଦୃଢ଼ କରାଯାଇଛି। ସରକାରୀ ଆୟୁର୍ବେଦ ଓ ହୋମିଓପାଥିକ ହସ୍ପିଟାଲରେ ୧୬ ପ୍ରକାରର ମାଗଣା ପାଥୋଲୋଜି ପରୀକ୍ଷା ଏବଂ ଆବଶ୍ୟକ ଆୟୁଷ ଔଷଧର ନିରବଚ୍ଛିନ୍ନ ଯୋଗାଣ ପାଇଁ ୨୧.୪୭ କୋଟି ଟଙ୍କା ବ୍ୟୟ କରାଯାଉଛି। କିଛି ଜିଲ୍ଲାରେ ପଞ୍ଚକର୍ମ ସୁବିଧା ଆରମ୍ଭ ହୋଇଥିବା ବେଳେ ଇ-ସଞ୍ଜୀବନୀ ମେଡ଼ିସିନ ସେବା ମାଧ୍ୟମରେ ୫୦ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ବିଶେଷଜ୍ଞ ପରାମର୍ଶ ଯୋଗାଇ ଦିଆଯାଉଛି। ଏହା ସହ ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ସୁଦୃଢ଼ କରାଯାଇଛି।

ଆୟୁଷ ଶିକ୍ଷା ଓ ମାନବ ସମ୍ବଳ ବିକାଶ ଦିଗରେ ମଧ୍ୟ ଷ୍ଟାଇପେଣ୍ଡ ଓ ଅଧ୍ୟାପକଙ୍କ ପାରିଶ୍ରମିକ ବୃଦ୍ଧି, ୪ ହଜାରରୁ ଊର୍ଦ୍ଧ୍ୱ ଆୟୁଷ ଡାକ୍ତରଙ୍କ ପାରିଶ୍ରମିକ ବୃଦ୍ଧି ଏବଂ ଦକ୍ଷତା ବିକାଶ ପ୍ରଶିକ୍ଷଣ ଭଳି ପଦକ୍ଷେପ ନିଆଯାଇଛି। ଯୋଗ, ଆୟୁର୍ବେଦ ଓ ହୋମିଓପାଥି ସମ୍ପର୍କରେ ଜନସଚେତନତା ପାଇଁ ବିଭିନ୍ନ ଶିବିର ଓ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆୟୁଷ କ୍ଷେତ୍ରରେ ଭିତ୍ତିଭୂମି, ଚିକିତ୍ସା, ଶିକ୍ଷା, ମାନବ ସମ୍ବଳ ଓ ଡିଜିଟାଲ୍ ସେବାର ସମନ୍ୱିତ ବିକାଶ ମାଧ୍ୟମରେ ଓଡ଼ିଶା ଏକ ସୁଦୃଢ଼ ଓ ଲୋକାଭିମୁଖୀ ଆୟୁଷ ବ୍ୟବସ୍ଥା ଗଠନ ଦିଗରେ ଆଗକୁ ବଢ଼ୁଛି। ଏହି ପ୍ରୟାସ ‘ବିକଶିତ ଓଡ଼ିଶା–୨୦୩୬’ ଓ ‘ବିକଶିତ ଭାରତ–୨୦୪୭’ର ସଂକଳ୍ପକୁ ଆହୁରି ସୁଦୃଢ଼ କରିବ।

ଏହି ଅବସରରେ ଖାରବେଳ ଭବନ, ଲୋକସେବା ଭବନ ଏବଂ ବିଧାନସଭା ପରିସରରେ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଏକାମ୍ର (ଭୁବନେଶ୍ୱର) ବାବୁ ସିଂ, ସ୍ୱାସ୍ଥ୍ୟ ବିଭାଗ  କମିଶନର ତଥା ଶାସନ ସଚିବ ଅଶ୍ଵତୀ ଏସ., ଆୟୁଷ ନିର୍ଦ୍ଦେଶିକା ଅର୍ଚ୍ଚନା ଦାସ ପଟ୍ଟନାୟକ, ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଡେପୁଟି ସୁପେରିଟେନଡେଣ୍ଟ ଚିତ୍ତ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *