ଡିଜିଟାଲ୍ ବିଦ୍ୟୁତ୍ ବିଲ୍ ପରିଚାଳନା ପାଇଁ ‘ଦୀପ୍ତି’ (DIPTI) ପୋର୍ଟାଲ୍ ଶୁଭାରମ୍ଭ କରିବାରେ ଓଡ଼ିଶାରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରଥମ

ଭୁବନେଶ୍ୱର: ରାଜ୍ୟରେ ଶିଶୁ, ମହିଳା ଓ କିଶୋରୀମାନଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ସଚେତନତାକୁ ବ୍ୟାପକ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗର ସମ୍ମିଳନୀ କକ୍ଷରୁ ‘ଅଙ୍ଗନ୍ କା ଉତ୍ସବ’ ଅଭିଯାନର ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏହି ସମାରୋହ ଅବସରରେ ମହିଳା ଓ ଶିଶୁ କଲ୍ୟାଣକୁ ଆହୁରି ସୁଦୃଢ଼ କରିବା ସହ ଆଗଧାଡ଼ିର କର୍ମୀଙ୍କ ଯୋଗଦାନକୁ ସ୍ୱୀକୃତି ଦେଇ, ଉପମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କ ଶାଢ଼ୀ ଭତ୍ତା ବାବଦକୁ ୧୩୯୦/- ଟଙ୍କାରୁ ୧୫୦୦/- ଟଙ୍କାକୁ ବୃଦ୍ଧି କରାଯାଇଛି, ଯେଉଁଥିରେ ଭାରତ ସରକାର ୬୦୦ ଟଙ୍କା ଏବଂ ଓଡ଼ିଶା ସରକାର ୯୦୦ ଟଙ୍କା ପ୍ରଦାନ କରିବେ। ସମୁଦାୟ ୨୨.୩୦ କୋଟି ଟଙ୍କାର ବ୍ୟୟବରାଦରେ ରାଜ୍ୟର ପ୍ରାୟ ୧.୪୮ ଲକ୍ଷ ଅଙ୍ଗନୱାଡି କର୍ମୀ ଓ ସହାୟିକା ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ।

ଏଥିସହ ରାଜ୍ୟର ପୋଷଣ, ସ୍ୱାସ୍ଥ୍ୟ ଓ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ସେବାର ମୁଖ୍ୟ ପୁରୋଧା ସାଜିଥିବା ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶାସନିକ ବୋଝ କମାଇବା ପାଇଁ, ଉପମୁଖ୍ୟମନ୍ତ୍ରୀ  ‘ଦୀପ୍ତି’ (DIPTI – Direct Invoice Payment & Tracking Interface) ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଡିସକମ୍ (DISCOM) ର ମିଳିତ ସହଯୋଗରେ ବିକଶିତ ଏହି ଡ଼ିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ବିଜୁଳି ବିଲ୍ ଯାଞ୍ଚ, ପରିଶୋଧ ଓ ଟ୍ରାକିଂ ସିଧାସଳଖ ସମ୍ପାଦିତ ହେବ ଏବଂ ଏହି ଦିଗରେ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶାରେ ପ୍ରଥମ ବିଭାଗ ହୋଇଥିବାରୁ ଅନ୍ତର୍ଭୁକ୍ତ ଅଧିକାରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ସାଧୁବାଦ୍ ଜଣାଇଛନ୍ତି। ଏହାଦ୍ୱାରା ଅଙ୍ଗନବାଡ଼ି କର୍ମୀମାନେ ବିଜୁଳି ବିଲ୍ ଦେବାର ଆର୍ଥିକ ଦାୟିତ୍ୱରୁ ମୁକ୍ତ ହେବା ସହ କେନ୍ଦ୍ରଗୁଡ଼ିକରେ ଅବିରତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ ହେବ। ଏହି ପଦକ୍ଷେପ ଅଙ୍ଗନବାଡ଼ି କର୍ମୀଙ୍କ ବହୁମୂଲ୍ୟ ସମୟ ବଞ୍ଚାଇବ, ଯାହାକୁ ସେମାନେ ଶିଶୁ ଓ ମା’ମାନଙ୍କର ସେବାରେ ନିୟୋଜିତ କରିପାରିବେ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।

ଏହି ଅବସରରେ ବକ୍ତବ୍ୟ ରଖି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ତୃଣମୂଳ ସ୍ତରରେ ପୋଷଣ ଏବଂ ଶିଶୁ ବିକାଶ ସେବା ଯୋଗାଇବାରେ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହ ଶିଶୁ ଓ ମାତୃ କଲ୍ୟାଣକାରୀ ଯୋଜନାଗୁଡ଼ିକରେ ସମୁଦାୟର ସହଭାଗିତାକୁ ସୁଦୃଢ଼ କରିବା ପାଇଁ ଏହି ଅଭିଯାନକୁ ଏକ ଆର୍ଥପୂର୍ଣ୍ଣ ମାଧ୍ୟମ କରିବାକୁ ସେ ଆହ୍ଵାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ସମଗ୍ର ରାଜ୍ୟରେ ୯ ସେପ୍ଟେମ୍ବର ରୁ ୮ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ‘ପୋଷଣ ମାସ’ ଏବଂ ୧୭ ସେପ୍ଟେମ୍ବର ରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ‘ସେବା ସଂକଳ୍ପ ଅଭିଯାନ’ ଚାଲୁରହିଥିବା ବେଳେ, ଏହି ଅଭିଯାନ ଅଧୀନରେ ରାଜ୍ୟର ସମସ୍ତ ୭୪,୨୨୪ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ରରେ ୨୭ ରୁ ୨୯ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩-ଦିନିଆ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିରେ ପ୍ରାୟ ୩୭,୧୧,୨୦୦ ଜଣ ହିତାଧିକାରୀ ଓ ଅଙ୍ଗନୱାଡ଼ି ମ୍ୟାନେଜମେଣ୍ଟ କମିଟି (AMC) ସଦସ୍ୟ ଏବଂ ୧୩,୦୩,୪୧୫ ଜଣ (୩ ରୁ ୬ ବର୍ଷର) ଶିଶୁ ଭାଗନେବେ।

ଏହି ତିନି ଦିନିଆ କାର୍ଯ୍ୟସୂଚୀର ପ୍ରଥମ ଦିନ -୨୭ ସେପ୍ଟେମ୍ବର, ‘ପୋଷଣ ଓ ଖାଦ୍ୟ ପ୍ରତିଯୋଗିତା’ ଭାବେ ପାଳିତ ହେବ, ଯେଉଁଥିରେ ପରିବାର ସଦସ୍ୟଙ୍କ ଦ୍ୱାରା ପ୍ରସ୍ତୁତ ‘ପୋଷଣ ପିଠା’ ପ୍ରଦର୍ଶିତ ହେବ ଏବଂ ସ୍ଥାନୀୟ ଖାଦ୍ୟ ସାମଗ୍ରୀ ବ୍ୟବହାର କରି ପିତାମାନଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଦ୍ୱିତୀୟ ଦିନ-୨୮ ସେପ୍ଟେମ୍ବର, ଶିଶୁ ଭିତ୍ତିକ ମନୋରଞ୍ଜନ, ଖେଳ, କାହାଣୀ କହିବା ସହ “ଆମ କୁନିପିଲା” ଓ “ମୋ ବିକାଶ ପତ୍ର” ଅନ୍ୟାନ ପଠନ ସାମଗ୍ରୀ ପ୍ରଦର୍ଶନ ସହ ଶିଶୁଙ୍କ ପାଇଁ ଲସି, ସ୍ଥାନୀୟ ଫଳ ଓ ମିଲେଟ୍ କୁକି  ଦିଆଯିବ। ତୃତୀୟ ଦିନ -୨୯ ସେପ୍ଟେମ୍ବର, ମୁଖ୍ୟ ସମାରୋହରେ POSHAN, SUBHADRA, MAMATA, PM-AWAS, ଓ ADVIKA ଯୋଜନା ଉପରେ ଆଲୋଚନା, ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ସ୍ୱାସ୍ଥ୍ୟକର ‘ତ୍ରିରଙ୍ଗା ଥାଳି’ ଭୋଜନର ବ୍ୟବସ୍ଥା କରାଯାଇଛି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ଼ଃ ମୃଣାଳିନୀ ଦର୍ସ୍ୱାଲ. ନିର୍ଦ୍ଦେଶକା, ଶ୍ରୀମତୀ ମୋନିଷା ବାନାର୍ଜୀ,ଟି.ପି. ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟି.ପି.ସି.ଓ.ଡି.ଏଲ୍.)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗଜାନନ ଏସ. କାଳେ , ଏବଂ ବିଭାଗୀୟ ଆଧିକାରିକ ବୃନ୍ଦ ଉପସ୍ଥିତ ରହି ଏହି ଜନସଚେତନତା ଅଭିଯାନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *