ୱାଟକୋ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ
ଭୁବନେଶ୍ୱର: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ୱାଟକୋ ଦ୍ୱାରା କାର୍ଯ୍ୟାନ୍ୱିତ ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକଳାପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଉନ୍ନତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଜଳଯୋଗାଣ ଓ ସ୍ୱେରେଜ୍ ଭିତ୍ତିଭୂମି, ପ୍ରକଳ୍ପର ଭୌତିକ ଓ ଆର୍ଥିକ ଅଗ୍ରଗତି, ଡବ୍ଲ୍ୟୁଟିପି ଓ STP ଏସ୍ ଟି ପିର କାର୍ଯ୍ୟକାରିତା ସହ ନାଗରିକ ସେବା ସମ୍ପର୍କରେ ଆଲୋଚନା ହୋଇଥିଲା। ୱାଟକୋର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ୱାଟକୋର କାର୍ଯ୍ୟକ୍ଷେତ୍ର, ଚାଲୁଥିବା ପ୍ରମୁଖ ଜଳଯୋଗାଣ ଓ ସ୍ୱେରେଜ୍ ପ୍ରକଳ୍ପ, ଜଳ ବିଶୋଧନାଗାର ଏବଂ ମଳଜଳ ବିଶୋଧନାଗାରର ସ୍ଥିତି ଉପରେ ବିସ୍ତୃତ ଉପସ୍ଥାପନା ଦେଇଥିଲେ। ପ୍ରକଳ୍ପଗୁଡ଼ିକର ନିର୍ଦ୍ଧାରିତ ସମୟରେ ସମାପ୍ତି, ଅନୁଦାନର ସଠିକ୍ ଉପଯୋଗ ଏବଂ କାର୍ଯ୍ୟାନ୍ୱୟନରେ ଥିବା ସମସ୍ୟାର ତୁରନ୍ତ ସମାଧାନ ଉପରେ ମନ୍ତ୍ରୀ ଡଃ ମହାପାତ୍ର ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ୱାଟକୋର ଆର୍ଥିକ ପ୍ରଦର୍ଶନ ମଧ୍ୟ ସମୀକ୍ଷା କରାଯାଇଥିଲା। ବିଭିନ୍ନ ପ୍ରକଳ୍ପ ପାଇଁ ବଜେଟ୍ ବ୍ୟବସ୍ଥା, ବ୍ୟୟ ଓ ଆର୍ଥିକ ଅନୁଦାନର ବ୍ୟବହାରର ଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରକଳ୍ପଭିତ୍ତିକ ବ୍ୟୟର ନିୟମିତ ତଦାରଖ ଏବଂ କାର୍ଯ୍ୟାନ୍ୱୟନ ସମ୍ପର୍କିତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ୱାଟକୋର କାର୍ଯ୍ୟକ୍ଷେତ୍ର ଅଧୀନରେ ନବଗଠିତ ବିଜ୍ଞପିତ ଅଞ୍ଚଳ ପରିଷଦ ଗୁଡ଼ିକର ଦାୟିତ୍ୱ ଗ୍ରହଣ ଓ ହସ୍ତାନ୍ତର ପ୍ରକ୍ରିୟା ନେଇ ମଧ୍ୟ ଆଲୋଚନା ହୋଇଥିଲା। ସରକାରୀ ବିଜ୍ଞପ୍ତି ଅନୁଯାୟୀ ୱାଟକୋଠାରୁ ଓଡ଼ିଶା ଜଳଯୋଗାଣ ଓ ସ୍ୱେରେଜ୍ ବୋର୍ଡକୁ ସ୍ୱେରେଜ୍ କାର୍ଯ୍ୟ ହସ୍ତାନ୍ତର ପ୍ରସଙ୍ଗରେ ଦାୟିତ୍ୱର ସ୍ପଷ୍ଟତା ଓ ସେବାର ନିରନ୍ତରତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ସୁଜଳ ଯୋଜନା ଅଧୀନରେ ଅକ୍ଟୋବର ୨ରୁ ୧୬ ପର୍ଯ୍ୟନ୍ତ ୱାଟକୋ ପକ୍ଷରୁ ଆୟୋଜନ ହେବାକୁ ଥିବା ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ସମୀକ୍ଷା ହୋଇଥିଲା। ଜଳଯୋଗାଣ ସେବା, ଦାୟିତ୍ୱଶୀଳ ଜଳ ବ୍ୟବହାର, ସେବା ସମ୍ପର୍କିତ ସୂଚନା ଏବଂ ନାଗରିକଙ୍କ ଅଂଶଗ୍ରହଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିବ।
ଚାଲୁଥିବା ସମସ୍ତ ପ୍ରକଳ୍ପର ନିୟମିତ ତଦାରଖ ସହ ସମୟୋଚିତ କାର୍ଯ୍ୟାନ୍ୱୟନ, ଆର୍ଥିକ ଶୃଙ୍ଖଳା, କାର୍ଯ୍ୟର ଗୁଣବତ୍ତା ଓ ନାଗରିକଙ୍କୁ ଉନ୍ନତ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଡଃ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟାନ୍ୱୟନକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ବଢ଼ାଇବା ଏବଂ ପ୍ରକଳ୍ପ କାର୍ଯ୍ୟରେ ଥିବା ବାଧାଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ, ୱାଟକୋ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକ ଶେଷରେ ୱାଟକୋର ନିର୍ଦ୍ଦେଶକ (ପ୍ରକଳ୍ପ) ଧନ୍ୟବାଦ ଅର୍ପଣ କରିଥିଲେ।


