୭ମ ଓଡ଼ିଶା ଟ୍ରାଭେଲ ବଜାର: ୯,୦୦୦ରୁ ଅଧିକ ସଂରଚିତ B2B ଏବଂ B2G ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ମେ’ଫେୟାର ସାଙ୍କଚୁଆରୀଠାରେ ଆୟୋଜିତ ତ୍ରିଦିବସୀୟ ‘୭ମ ଓଡ଼ିଶା ଟ୍ରାଭେଲ ବଜାର (OTB) ୨୦୨୬’ ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମେଗା ସମ୍ମିଳନୀ ରାଜ୍ୟର ପର୍ଯ୍ୟଟନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନୂତନ ବ୍ୟବସାୟିକ ସମ୍ଭାବନା ସୃଷ୍ଟି କରିଛି।

ଏହି ବିଶାଳ ଆୟୋଜନରେ ୨୦୦ରୁ ଅଧିକ  କ୍ରେତା ଏବଂ ୧୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟନ ବ୍ୟବସାୟୀ ଅଂଶଗ୍ରହଣ କରିଥିଲେ। ଭାରତର ୩୨ଟି ସହରରୁ ୧୪୫ ଜଣ ଦେଶୀୟ ଟୁର୍ ଅପରେଟର ଏବଂ ୨୭ଟି ଦେଶରୁ ୪୫ ଜଣ ବିଦେଶୀ ଟୁର୍ ଅପରେଟର ଏଥିରେ ଯୋଗ ଦେଇ ଓଡ଼ିଶାର ପର୍ଯ୍ୟଟନ ଉଦ୍ୟୋଗଗୁଡ଼ିକ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିଥିଲେ। ଏହି ତିନି ଦିନ ମଧ୍ୟରେ ୯,୦୦୦ରୁ ଅଧିକ ସଂରଚିତ B2B (ବ୍ୟବସାୟରୁ ବ୍ୟବସାୟ) ଏବଂ B2G (ବ୍ୟବସାୟରୁ ସରକାର) ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା ନୂତନ ବାଣିଜ୍ୟିକ ସମ୍ପର୍କ ଓ ବଜାର ସମ୍ପ୍ରସାରଣ ପାଇଁ ବାଟ ଖୋଲିଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଐତିହ୍ୟ, ଆଧ୍ୟାତ୍ମିକତା, ସମୁଦ୍ରକୂଳ, ବନ୍ୟପ୍ରାଣୀ, ପ୍ରକୃତି, ସାହସିକ ପର୍ଯ୍ୟଟନ, ଜନଜାତୀୟ ସଂସ୍କୃତି ଓ ଆଞ୍ଚଳିକ ଖାଦ୍ୟପେୟ ଭଳି ବିବିଧ ପର୍ଯ୍ୟଟନ ସମ୍ପଦକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରାଯାଇଥିଲା। ଏହା ସହିତ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ନିବେଶ ବୃଦ୍ଧି ପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାୟ ୪୦ଟି ଅଗ୍ରଣୀ ଜାତୀୟ ହୋଟେଲ ବ୍ରାଣ୍ଡ ଏବଂ ୨୫୦ ଜଣ ରାଜ୍ୟ ନିବେଶକ ଭାଗ ନେଇଥିଲେ। ରାଜ୍ୟ ସରକାରଙ୍କ ପ୍ରଗତିଶୀଳ ନୀତି, ନିବେଶ ପ୍ରୋତ୍ସାହନ, ଜମି ଯୋଗାଣ ଏବଂ ସରଳୀକୃତ ପ୍ରକ୍ରିୟା ନିବେଶକମାନଙ୍କୁ ଆକୃଷ୍ଟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।

ଏହି ଅବସରରେ MICE (ମିଟିଂ, ଇନ୍ସେଣ୍ଟିଭ, କନ୍‌ଫରେନ୍ସ ଓ ଏକ୍ସିବିସନ) ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହ ‘ଓଡ଼ିଶା MICE ଇନ୍ସେଣ୍ଟିଭ୍ ପୋର୍ଟାଲ’ର ଉଦ୍‌ଘାଟନ କରାଯାଇଥିଲା। ଓଡ଼ିଆ ଖାଦ୍ୟର ବ୍ରାଣ୍ଡ ଆମ୍ବାସାଡର ତଥା ସେଲିବ୍ରିଟି ସେଫ୍ ରଣବୀର ବ୍ରାରଙ୍କ ଉପସ୍ଥିତି ରାଜ୍ୟର ରାନ୍ଧଣା ପରମ୍ପରାକୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା।

ଏଥିସହ, ନିମନ୍ତ୍ରିତ କ୍ରେତାମାନଙ୍କ ପାଇଁ ୮ଟି ସ୍ୱତନ୍ତ୍ର FAM ଟୁର୍‌ ଆୟୋଜନ କରାଯାଇ ଓଡ଼ିଶାର ବିଭିନ୍ନ ଅପ୍ରକାଶିତ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରାଯାଇଥିଲା। ୭ମ ଓଡ଼ିଶା ଟ୍ରାଭେଲ ବଜାରର ଏହି ସଫଳତା ରାଜ୍ୟରେ ନିଯୁକ୍ତି, ନିବେଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ନୂଆ ଦିଶା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।

Leave a Reply

Your email address will not be published. Required fields are marked *