- Administration
- Agriculture
- Business
- Development
- Economy
- Governance
- Health
- Infrastructure
- Internationa;l
- Local
- National
ଓଡ଼ିଶାର ପାରମ୍ପରିକ ଚାଉଳକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ପ୍ରୟାସ
ନୂଆଦିଲ୍ଲୀ: ଓଡ଼ିଶାର ପାରମ୍ପରିକ ଚାଉଳର ବିବିଧତା ଓ ସମୃଦ୍ଧ କୃଷି ଐତିହ୍ୟକୁ ବିଶ୍ୱସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ (BIRC) ୨୦୨୬ରେ ଓଡ଼ିଶାର ୮ଟି ଜିଲ୍ଲାର ୧୫ ପ୍ରକାର ଧାନ ଓ ଚାଉଳ ଉତ୍ପାଦ ପ୍ରଦର୍ଶିତ ହେଉଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓରମାସ୍) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହାର ଲକ୍ଷ୍ୟ ହେଉଛି ଓଡ଼ିଶାର ଏହି ସ୍ୱତନ୍ତ୍ର ଉତ୍ପାଦକୁ ବଡ଼ ବଜାରରେ ପହଞ୍ଚାଇବା ସହ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବା।
ଏହି ପଦକ୍ଷେପ ପାରମ୍ପରିକ କୃଷିଜ୍ଞାନର ସଂରକ୍ଷଣ ସହ ଓଡ଼ିଶାର କୃଷି ଐତିହ୍ୟକୁ ସମୃଦ୍ଧ କରିଆସୁଥିବା ଚାଷୀ ସମୁଦାୟଙ୍କ ଅବଦାନକୁ ମଧ୍ୟ ସ୍ୱୀକୃତି ଦେଉଛି। ଏଥିରେ ୮୫ଟି ଗୋଷ୍ଠୀଭିତ୍ତିକ ସଂଗଠନ (CBO)ର ୩,୬୯୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି। ଏହା ମାଧ୍ୟମରେ ଚାଷୀମାନେ ଏକାଠି ହୋଇ ନିଜ ଅଞ୍ଚଳର ପାରମ୍ପରିକ ଚାଉଳର ପରିଚୟକୁ ବଞ୍ଚାଇ ରଖିବା ସହ ଏହାକୁ ନୂଆ ବଜାରରେ ପହଞ୍ଚାଇବାର ସୁଯୋଗ ପାଉଛନ୍ତି।
ପ୍ରଦର୍ଶିତ ଚାଉଳ ଉତ୍ପାଦଗୁଡ଼ିକ ମଧ୍ୟରେ ପୁରୀର ସାରଳା, ସୋନା ମସୁରୀ, ପୂଜା ଓ ସମ୍ରାଟ; କେନ୍ଦ୍ରାପଡ଼ାର ଲୀଳାବତୀ ସୁଗନ୍ଧିତ ଚାଉଳ; କୋରାପୁଟର ଜିଆଇ ଟ୍ୟାଗ୍ପ୍ରାପ୍ତ କଳାଜୀରା; ମୟୂରଭଞ୍ଜର ମୁଗେଇ, ସଲାଫୁଲା ଓ କଳାଚମ୍ପା; ବରଗଡ଼ର ବ୍ଲାକ ରାଇସ (ଜାସ୍ମିନ୍) ଚାଉଳ; ଗଞ୍ଜାମର ଖଣିପକା ଓ ବ୍ଲାକ ରାଇସ (ଲାବଣ୍ୟ); ସୁନ୍ଦରଗଡ଼ର କନ୍ଦେରାଝାଲ ଓ ମାଛକଣ୍ଟା ଏବଂ ଜଗତସିଂହପୁରର ଲୋ-ଜିଆଇ ଚାଉଳ ଅନ୍ତର୍ଭୁକ୍ତ।
ଏହି ସମ୍ମିଳନୀ ଓଡ଼ିଶାର ସ୍ୱତନ୍ତ୍ର ଚାଉଳ କିସମକୁ ବିଶ୍ୱସ୍ତରରେ ପରିଚିତ କରାଇବାର ସୁଯୋଗ ଦେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶା ପ୍ରକଟ କରି କହିଛନ୍ତି, “ଏହି ମଞ୍ଚ ଓଡ଼ିଶାର ସ୍ୱତନ୍ତ୍ର ଚାଉଳ କିସମକୁ ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇବ। ଆମର ପାରମ୍ପରିକ ଚାଉଳରେ ପିଢ଼ି ପରେ ପିଢ଼ି ଧରି ଚାଷୀମାନେ ହାସଲ କରିଥିବା ଜ୍ଞାନ, ଆମ ଅଞ୍ଚଳର ପରିଚୟ ଓ ପ୍ରକୃତିର ବିବିଧତା ରହିଛି। ଏହି ସମୃଦ୍ଧ ଐତିହ୍ୟ ମାଧ୍ୟମରେ ଅଧିକ ବଜାର ସୁଯୋଗ ସୃଷ୍ଟି କରିବା, ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଓ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ।”
ଏହି ଅଂଶଗ୍ରହଣ କେବଳ ଚାଉଳର ପ୍ରଦର୍ଶନରେ ସୀମିତ ନୁହେଁ। ଚାଷୀ ଓ ଉତ୍ପାଦକ ଗୋଷ୍ଠୀଙ୍କୁ ବ୍ୟବସାୟୀ, ଖୁଚୁରା ବିକ୍ରେତା, ଚାଉଳ ପ୍ରୋସେସିଂ ସଂସ୍ଥା, ହୋଟେଲ, ରେସ୍ତୋରାଁ ଓ ବିଭିନ୍ନ ଅନୁଷ୍ଠାନର କ୍ରେତାଙ୍କ ସହ ଯୋଡ଼ିବା ଏହାର ଅନ୍ୟତମ ଉଦ୍ଦେଶ୍ୟ। ଓରମାସ୍ ପକ୍ଷରୁ ଆକର୍ଷଣୀୟ ପ୍ୟାକେଟ୍ରେ ଉତ୍ପାଦ ବିକ୍ରି, ନମୁନା ପ୍ରଦର୍ଶନ, ଯୋଗାଣ ଓ ବିତରଣ ବ୍ୟବସ୍ଥା ଏବଂ ବିଭିନ୍ନ ବ୍ୟବସାୟିକ ସଂସ୍ଥା ସହ ଭାଗୀଦାରି ପାଇଁ ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି।
ଓରମାସ୍ ମାଧ୍ୟମରେ ଗ୍ରାମୀଣ ଉତ୍ପାଦକଙ୍କୁ ବଜାର ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦେଇ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି, “ଓରମାସ୍ ମାଧ୍ୟମରେ ଆମେ ଗ୍ରାମୀଣ ଉତ୍ପାଦକଙ୍କୁ ବଜାର ସହ ଯୋଡ଼ିବା ପାଇଁ କାର୍ଯ୍ୟ କରୁଛୁ। ଗୋଷ୍ଠୀଭିତ୍ତିକ ସଂଗଠନଗୁଡ଼ିକୁ ସୁଦୃଢ଼ କରିବା, ଉତ୍ପାଦର ଗୁଣବତ୍ତା ଓ ପ୍ୟାକେଜିଂରେ ଉନ୍ନତି ଆଣିବା ଏବଂ ବ୍ୟବସାୟିକ ସଂଯୋଗ ବଢ଼ାଇବା ଆମର ଲକ୍ଷ୍ୟ। ଏହାଦ୍ୱାରା ଚାଷୀମାନେ ନିଜ ଉତ୍ପାଦର ଚାହିଦା ବଢ଼ାଇବା ସହ ଅଧିକ ଆର୍ଥିକ ଲାଭ ପାଇପାରିବେ।”
ଚାଷୀ ଓ ଉତ୍ପାଦକ ଗୋଷ୍ଠୀଙ୍କୁ ବଜାରରେ ଅଧିକ ସୁଯୋଗ ଦେବା ପାଇଁ ଉତ୍ପାଦ ସଂଗ୍ରହ, ଗୁଣବତ୍ତା ଯାଞ୍ଚ, ଭଲ ପ୍ୟାକେଜିଂ, ବ୍ରାଣ୍ଡିଂ ଓ ଉତ୍ପାଦର ମୂଲ୍ୟ ବଢ଼ାଇବା ଭଳି କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ଦ୍ୱାରା ଉତ୍ପାଦକ ଗୋଷ୍ଠୀମାନେ ନିଜ ଉତ୍ପାଦକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ନିଜର ବ୍ୟବସାୟକୁ ଆଗକୁ ବଢ଼ାଇପାରିବେ।
BIRC ୨୦୨୬ରେ ଓଡ଼ିଶାର ଅଂଶଗ୍ରହଣ ରାଜ୍ୟର କୃଷି ବିବିଧତାକୁ ବ୍ୟବସାୟ ଓ ବଜାର ସହ ଯୋଡ଼ିବାର ପ୍ରୟାସକୁ ପ୍ରତିଫଳିତ କରୁଛି। ପାରମ୍ପରିକ ଚାଉଳ ଓ ଏହାକୁ ଉତ୍ପାଦନ କରୁଥିବା ଗୋଷ୍ଠୀଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ପରିଚିତ କରାଇ ଅଧିକ ବଜାର ସୁଯୋଗ ସୃଷ୍ଟି କରିବା, ଗ୍ରାମୀଣ ଆୟ ବଢ଼ାଇବା ଓ ଜୀବିକାକୁ ସୁଦୃଢ଼ କରିବା ଏହାର ମୁଖ୍ୟ ଲକ୍ଷ୍ୟ।


