ଓଡ଼ିଶାର ଜନ ପରିବହନ କ୍ଷେତ୍ରରେ ଇ-ବସ୍ ରୂପାନ୍ତରଣକୁ ସ୍ୱୀକୃତି

ଭୁବନେଶ୍ୱର: କଲେଜ ଯାଉଥିବା ଛାତ୍ରଛାତ୍ରୀ, କାର୍ଯ୍ୟସ୍ଥଳକୁ ଯାଉଥିବା କର୍ମଜୀବୀ କିମ୍ବା ହସ୍ପିଟାଲ ଯାଉଥିବା ପରିବାର, ସମସ୍ତଙ୍କ ପାଇଁ ନିର୍ଭରଯୋଗ୍ୟ ଜନ ପରିବହନ ଦୈନନ୍ଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହି ଯାତ୍ରାକୁ ଅଧିକ ସୁଗମ, ସୁବିଧାଜନକ ଓ ପରିବେଶ ଅନୁକୂଳ କରିବା ଦିଗରେ ଓଡ଼ିଶାର ପ୍ରୟାସକୁ ୧୯ତମ ଅର୍ବାନ ମୋବିଲିଟି ଇଣ୍ଡିଆ (ୟୁଏମ୍‌ଆଇ) କନଫରେନ୍ସ ଓ ଏକ୍ସିବିସନ୍ ୨୦୨୬ରେ ତିନୋଟି ଜାତୀୟ ସମ୍ମାନ ମିଳିଛି। ଭୁବନେଶ୍ୱରଠାରେ ଅକ୍ଟୋବର ୨୩ ଓ ୨୪ ତାରିଖରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଏହି ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ଅନ୍ତର୍ଜାତୀୟ ବିଶେଷଜ୍ଞ, ସହରାଞ୍ଚଳ ଗମନାଗମନ କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିବିଶେଷ ଏବଂ ସରକାରୀ ସଂସ୍ଥା, ମେଟ୍ରୋ ରେଳ ସଂଗଠନ ଓ ଘରୋଇ କ୍ଷେତ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଜର୍ମାନୀର ଅନ୍ତର୍ଜାତୀୟ ସହଯୋଗ ସଂସ୍ଥା ଜିଆଇଜେଡ୍ (GIZ)ର ପାଭିଲିୟନ୍ ନୂତନ ଚିନ୍ତାଧାରାର ଆଦାନପ୍ରଦାନ ସହ ଓଡ଼ିଶାର ସାଂସ୍କୃତିକ ପରିଚୟକୁ ମଧ୍ୟ ପ୍ରଦର୍ଶିତ କରିଥିଲା। ପ୍ରଥମ ଥର ପାଇଁ ଓଡ଼ିଶାରେ ୟୁଏମ୍‌ଆଇ ସହ ନ୍ୟାସନାଲ ଅର୍ବାନ କନକ୍ଲେଭ୍ (ଏନ୍‌ୟୁସି) ଆୟୋଜିତ ହୋଇଥିବାବେଳେ, ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ ଓ ସମନ୍ୱୟ କାର୍ଯ୍ୟରେ କ୍ରୁଟ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଭାରତ ସରକାରଙ୍କ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା।

ଅକ୍ଟୋବର ୨୪ ତାରିଖରେ ଅନୁଷ୍ଠିତ ଉଦ୍‌ଯାପନୀ ଅଧିବେଶନରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ତଥା ଶକ୍ତି ମନ୍ତ୍ରୀ ମନୋହର ଲାଲ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଓଡ଼ିଶାର ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ଗୃହ ଓ ସହରାଞ୍ଚଳ ବିକାଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ଭାରତ ସରକାରଙ୍କ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ପ୍ରମୁଖ ସଚିବ ସତିନ୍ଦର ପାଲ ସିଂହ, ଯୁଗ୍ମ ସଚିବ ପ୍ରବୀର କୁମାର ଏବଂ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଏମ୍. ସାଦିକ୍ ଆଲାମ୍‌ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସର୍ବୋତ୍ତମ ସହରାଞ୍ଚଳ ଜନ ପରିବହନ ସଂସ୍କାର ଓ କାର୍ଯ୍ୟକାରିତା:

ସମନ୍ୱିତ ଜନ ପରିବହନ ବ୍ୟବସ୍ଥା ଗଠନରେ ଓଡ଼ିଶାର ଅଗ୍ରଗତିକୁ ସ୍ୱୀକୃତି ଦେଇ ରାଜ୍ୟକୁ ‘ସର୍ବୋତ୍ତମ ସହରାଞ୍ଚଳ ପରିବହନ ସଂସ୍କାର ଓ କାର୍ଯ୍ୟକାରିତା ବିଶିଷ୍ଟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ’ବର୍ଗରେ ପ୍ରଶଂସାମୂଳକ ସମ୍ମାନ (Commendation Award) ପ୍ରଦାନ କରାଯାଇଛି।

କ୍ରୁଟ୍ ବର୍ତ୍ତମାନ ସାତଟି ସହରରେ ୧୩୮ଟି ରୁଟ୍‌ରେ ୭୭୦ଟି ବସ୍ ଚଳାଉଛି ଏବଂ ଦୈନିକ ପ୍ରାୟ ୩.୫ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଉଛି। ଏହି ସେବା ଛାତ୍ରଛାତ୍ରୀ, କର୍ମଜୀବୀ ଓ ସାଧାରଣ ଲୋକଙ୍କୁ ବିଦ୍ୟାଳୟ, କାର୍ଯ୍ୟସ୍ଥଳ, ବଜାର ଓ ହସ୍ପିଟାଲ ଯିବା ପାଇଁ ସୁଲଭ ଓ ସୁବିଧାଜନକ ଯାତାୟାତର ସୁଯୋଗ ଦେଉଛି।

ସବୁଜ ପରିବହନ ପଦକ୍ଷେପ ପାଇଁ ଭୁବନେଶ୍ୱରକୁ ଉତ୍କର୍ଷ ସମ୍ମାନ:

କମ୍ପ୍ରିହେନ୍‌ସିଭ୍ ରିଜିଓନାଲ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ଦ୍ୱାରା ପ୍ରତିନିଧିତ୍ୱ କରାଯାଇଥିବା ଭୁବନେଶ୍ୱରକୁ ‘ସର୍ବୋତ୍ତମ ସବୁଜ ପରିବହନ ପଦକ୍ଷେପ ଗ୍ରହଣକାରୀ ସହର’ ବର୍ଗରେ ଉତ୍କର୍ଷ ସମ୍ମାନ (Excellence Award) ମିଳିଛି।

ଗତ ଦୁଇ ବର୍ଷ ମଧ୍ୟରେ କ୍ରୁଟ୍‌ର ସମୁଦାୟ ବସ୍ ସଂଖ୍ୟାରେ ବୈଦ୍ୟୁତିକ ବସ୍‌ର ଅନୁପାତ ପ୍ରାୟ ୨୦ ପ୍ରତିଶତରୁ ବୃଦ୍ଧି ପାଇ ୫୨ ପ୍ରତିଶତରୁ ଅଧିକ ହୋଇଛି। ୫୦ରୁ ଅଧିକ ରୁଟ୍‌ରେ ସମ୍ପୂର୍ଣ୍ଣ ବୈଦ୍ୟୁତିକ ବସ୍ ଚଳାଚଳ କରୁଛି। ଏହି ପରିବର୍ତ୍ତନ ଯାତ୍ରୀଙ୍କ ପାଇଁ କମ୍ ଶବ୍ଦଯୁକ୍ତ ଯାତ୍ରା ଓ ସ୍ୱଚ୍ଛ ସହରାଞ୍ଚଳ ବାୟୁର ଲକ୍ଷ୍ୟକୁ ଆଗକୁ ନେଉଛି।

ଶ୍ରେଷ୍ଠ ପ୍ରଦର୍ଶନୀ ପାଇଁ କ୍ରୁଟ୍ ପାଭିଲିୟନ୍‌କୁ ପ୍ରଥମ ପୁରସ୍କାର:

କ୍ରୁଟ୍ ପାଭିଲିୟନ୍‌କୁ ଶ୍ରେଷ୍ଠ ପ୍ରଦର୍ଶନୀ ପାଇଁ ପ୍ରଥମ ପୁରସ୍କାର ମିଳିଛି। ପାଭିଲିୟନ୍‌ରେ ସାତଟି ସହରରେ କ୍ରୁଟ୍‌ର ପରିବହନ ସେବାର ବିକାଶ ଯାତ୍ରା ସହ ଡିଜିଟାଲ୍ ଟିକେଟ୍ ବ୍ୟବସ୍ଥା, ବୈଦ୍ୟୁତିକ ପରିବହନ, ବସ୍ ଡ୍ରାଇଭିଂ ସିମୁଲେଟର୍ ଓ ଗମନାଗମନ ସମ୍ପର୍କିତ କୁଇଜ୍ ଭଳି ଆକର୍ଷଣୀୟ ବ୍ୟବସ୍ଥା ପ୍ରଦର୍ଶିତ ହୋଇଥିଲା। ଏଥିରେ ମହିଳା ଗାଇଡ୍, ସାରଥୀ ଓ କ୍ୟାପଟେନ୍‌ଙ୍କ ଅବଦାନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *