କନ୍ଧମାଳ ଜିଲ୍ଲାରେ ଆଉ ୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ମାଲକାନଗିରି: ଆଦିବାସୀ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଓ ଆବାସିକ ଶିକ୍ଷା ବ୍ୟବସ୍ଥାର ସମ୍ପ୍ରସାରଣ ଦିଗରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଆଜି ମହାରାଷ୍ଟ୍ରର ଗଡ଼ଚିରୋଲିଠାରୁ ଭର୍ଚୁଆଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ୭ଟି ଜିଲ୍ଲାରେ ନିର୍ମିତ ୧୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS)ର ଉଦ୍‌ଘାଟନ କରିଛନ୍ତି। ଏଥିସହ କନ୍ଧମାଳ ଜିଲ୍ଲାରେ ଆଉ ୩ଟି ନୂତନ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଉଦ୍‌ଘାଟିତ ୧୩ଟି ବିଦ୍ୟାଳୟ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଓ ଯଶୀପୁର, ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା, ରାଇଘର ଓ ଉମରକୋଟ, ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା, କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ, କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର, କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା, ମୟୂରଭଞ୍ଜ ଜିଲ୍ଲାର ସାରସକଣା ଏବଂ ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା, କଲ୍ୟାଣସିଂହପୁର ଓ ପଦ୍ମପୁର ସାମିଲ ଅଛି। ସେହିପରି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି, କେ.ନୂଆଗାଁ ଓ କୋଟଗଡ଼ଠାରେ ଆଉ ୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଏହି ଅବସରରେ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଗୁଡ଼ିକରେ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଉପସ୍ଥିତ ରହିଥିଲେ। ଏହି ପଦକ୍ଷେପ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆବାସିକ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା, ସମାନ ସୁଯୋଗ ଓ ଉନ୍ନତ ଶିକ୍ଷଣ ପରିବେଶ ଯୋଗାଇଦେବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *