ବର୍ଷା ଋତୁରେ ସଂକ୍ରାମକ ରୋଗ ନିୟନ୍ତ୍ରଣ ପାଇଁ

ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ ଙ୍କ ଉପସ୍ଥିତିରେ ବର୍ଷା ଋତୁରେ ଦେଖା ଦେଉଥିବା ବିଭିନ୍ନ ସଂକ୍ରାମକ ରୋଗ ପାଇଁ ପ୍ରତିକାରାତ୍ମକ ପଦକ୍ଷେପ ସଂପର୍କରେ ସମୀକ୍ଷା କରିଥିଲେ। ଏଥିରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।
ଓଡ଼ିଶାରେ ବର୍ଷା ଋତୁ ଆଗୁଆ ପ୍ରବେଶ କରିଥିବାରୁ ସମୟ ସମୟରେ ବର୍ଷା ଜାରି ରହିଛି। ଯାହାଫଳରେ ମ୍ୟାଲେରିଆ , ଡେଙ୍ଗୁ, ଜଣ୍ଡିସ, ହଇଜା ଆଦି ସଂକ୍ରାମକ ରୋଗ ବଢ଼ିବାର ସମ୍ଭାବନା ରହିଛି। ସବୁରୋଗକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ମହାନଗର ନିଗମ ଏବଂ ରାଜ୍ୟର ଡେଙ୍ଗୁ ପ୍ରବଣ ଅଂଚଳଗୁଡିକ ଚିହ୍ନଟ କରି ସେସବୁ ସ୍ଥାନରେ ମଶା ନିୟନ୍ତ୍ରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜାରି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ମ୍ୟାଲେରିଆ ପ୍ରବଣ ଜିଲ୍ଲା ଗୁଡିକରେ ଔଷଧ ସିଞ୍ଚିତ ମଶାରୀ, କୀଟନାଶକ ଅବଶେଷାଂଶ ସ୍ପ୍ରେ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଜଳବାହିତ ରୋଗର ପ୍ରତିରୋଧ କରିବା ପାଇଁ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳର ବ୍ୟବହାର, ଜଳ ଉତ୍ସଗୁଡିକର ବିଶୋଧନ ଏବଂ ବୁଲା ବିକାଳିମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜନସାଧାରଣଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଗାଁରୁ ଆରମ୍ଭ କରି ସହର ଯାଏଁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷାଦିନେ ଥଣ୍ଡା, କାଶ ଜନିତ ରୋଗରୁ ରକ୍ଷା ପାଇବା ପାଇଁ ଜନସାଧାରଣ ସ୍ୱାସ୍ଥ୍ୟ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ବୟସ୍କ ଏବଂ ଅନ୍ୟ ବିଭିନ୍ନ ରୋଗରେ ପଡି ଶରୀରର ଗୋଗ ପ୍ରତିରୋଧକ ଶକ୍ତି କମୁଥିବା ଲୋକମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି ।
ଏଥିସହିତ ବୈଠକରେ ଓଡ଼ିଶାରେ କୋଭିଡ ସ୍ଥିତି ସଂପର୍କରେ ଅନୁଧ୍ୟାନ ଓ ଆଲୋଚନା କରାଯାଇଥିଲା। ଭାରତର ଅନ୍ୟାନ୍ୟ ରାଜ୍ୟମାନଙ୍କରେ ଯଦିଓ କୋଭିଡ ସଂଖ୍ୟା ସାମାନ୍ୟ ବୃଦ୍ଧିଘଟିଛି, ଓଡ଼ିଶାରେ କିନ୍ତୁ ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ବୈଠକରୁ ଜଣାଯାଇଛି।
ଗତ ୭ଦିନ ମଧ୍ୟରେ ଓଡ଼ିଶାରେ କରାଯାଇଥିବା ପରୀକ୍ଷା ମଧ୍ୟରେ ୫୪୬ଟି ନମୁନା ମଧ୍ୟରୁ ଆଜି ସୁଦ୍ଧା ମାତ୍ର ୨୩ଜଣଙ୍କ ଠାରେ କୋଭିଡ ଭୂତାଣୁ ଚିହ୍ନଟ କରାଯାଇଥିଲା ଏବଂ ତନ୍ମଧ୍ୟରୁ ୪ଜଣ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି। ଅନ୍ୟ ୧୯ଜଣ ଘରେ ଚିକିତ୍ସିତ ନେଉଛନ୍ତି ଏବଂ କୌଣସି ରୋଗୀ ଗୁରୁତର ନାହାନ୍ତି। ଆଇସିଏମଆର ଗତ କାଲି ଦେଇଥିବା ବିବରଣୀ ଅନୁସାରେ ଏ ସମସ୍ତ ଭୂତାଣୁ ଜନିତ ସଂକ୍ରମଣ ଓମିକ୍ରନ୍ ଭୂତାଣୁର ଉପ ପ୍ରଜାତି ଏବଂ ଏହା କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ ନାହିଁ। କେବଳ ଯେଉଁମାନେ ପୂର୍ବରୁ ଦୀର୍ଘଦିନ ଧରି ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ଅଛନ୍ତି ବା ସେମାନଙ୍କର କୋମର୍ବିଡିଟି ରହିଛି , ସେ କ୍ଷେତ୍ରରେ ସେମାନଙ୍କୁ ସ୍ୱାସ୍ଥ୍ୟଗତ ସାବଧାନତା ଅବଲମ୍ବନ କରିବା ପାଇଁ ଆଇସିଏମଆର ତରଫରୁ ପରାମର୍ଶ ଦିଆଯାଇଛି।