ଚାଂଚଲ୍ୟ: ରାତି ଅଧରେ ନାବାଳିକା ଅପହରଣ ଉଦ୍ୟମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରବିବାର ରାତିରେ ଏକ ଚିନ୍ତାଜନକ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ନିଶାଦେଇ ତାଙ୍କୁ ଅପହରଣ କରିବା ଉଦ୍ୟମ କରାଯାଇଛି । ତେବେ ସ୍ଥାନୀୟ ଜନସାଧାରଣ ଦୁଇ ଅପହର୍ତାଙ୍କର ଏଭଳି ଉଦ୍ୟମ ଦେଖିବା ପରେ ସେମାନଙ୍କୁ ଧରି ପୋଲିସ ଜିମା ଦେବାସହିତ ନାବାଳିକାଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ଦୁଇ ଅପହରଣକାରୀ ପଶ୍ଚିମବଙ୍ଗ ଅଂଚଳର । ବିଳମ୍ବିତ ରାତିରେ ଡୁମୁଡୁମା ଅଂଚଳରେ ଏଭଳି ଘଟଣା ପୋଲିସର ଅପରାଧ ଦମନ ପାଇଁ ଚାଲେଞ୍ଜ ସୃଷ୍ଟି କରିବା ଭଳି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଦୁଇ ଯୁବକ ପ୍ରଥମେ ନାବାଳିକା ଜଣଙ୍କୁ ନିଶା ଦେବାପରେ ସେ ଅଚେତ ହୋଇପଡିଥିଲେ । ତାହାପରେ ସେମାନେ ତାଙ୍କୁ ଅପହରଣ କରିବା ଅପଚେଷ୍ଟା କରିଥିଲେ । ତେବେ ଉକ୍ତ ଦୁଇ ଅଭିଯୁକ୍ତ ନାବାଳିକାଙ୍କ ପ୍ରତି ବଳାକ୍ରାର କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନଥିବା ପୋଲିସ କହିଛି । ସ୍ଥାନୀୟ ଜନସାଧାରଣ ସନେ୍ଦହ କରୁଛନ୍ତି ଯେ, ପଶ୍ଚିମବଙ୍ଗର ଉକ୍ତ ଦୁଇ ଦୁଇ ଅଭିଯୁକ୍ତ ନାବାଳିକାଙ୍କୁ ନିଶା ଦେବାପରେ ତାଙ୍କୁ ବଳାକ୍ରାର କରିବା ଯୋଜନା କରିଥିଲେ; କିନ୍ତୁ ତାହା ପୂର୍ବରୁ ସେମାନେ ଧରା ପଡିଯାଇଥିଲେ । ସେମାନଙ୍କ କହିବା ଅନୁଯାୟୀ ଦୁଇ ଅଭିଯୁକ୍ତ ନାବାଳିକାଙ୍କୁ ନିଶା ଦେବାପରେ ସେଠାରୁ ତାଙ୍କୁ ଅର୍ଦ୍ଧଚେତନ ଅବସ୍ଥାରେ ଅପହରଣ କରିବାକୁ ଉଦ୍ୟମ କରିଥିଲେ । ତେବେ ଉକ୍ତ ନାବାଳିକା ଜଣକ ଏହି ଦୁଇ ଅଭିଯୁକ୍ତଙ୍କ ସଂସ୍ପର୍ଶରେ କିଭଳି ଆସିଲେ ତାହା ଜଣାପଡିନାହିଁ ।
କୁହାଯାଉଛି, ସ୍ଥାନୀୟ ଜନସାଧାରଣ ଯୋଗକୁ ଦୁଇ ଅପରାଧୀଙ୍କର ଉଦ୍ୟମ ଠାବକରି ସେମାନଙ୍କୁ ଧରିବା ଦ୍ୱାରା ଜଣେ ନାବାଳିକାଙ୍କ ଜୀବନ ରକ୍ଷା କରାଯାଇପାରିଛି । ପରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦିଆଯାଇଥିଲା । ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନେ ପଶ୍ଚିମବଙ୍ଗ ମେଦିନିପୁର ଅଂଚଳର ଗୋପାଳ ମଜୁମଦାର ଏବଂ ମୃତୁ୍ୟଞ୍ଜୟ ଘୋଷ ବୋଲି ପୋଲିସ କହିଛି । ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ସେମାନେ ସ୍ଥାନୀୟ ଅଂଚଳରେ ଏକ ହୋଟେଲରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଅପରାଧ ଘଟାଇବା ସମୟରେ ଉଭୟ ନିଶାରେ ଚୂର ଥିବା କୁହାଯାଇଛି । ଖଣ୍ଡଗିରି ଥାନା ପୋଲିସ ଉଭୟଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବାବେଳେ ଉକ୍ତ ନାବାଳିକାଙ୍କୁ ଏମ୍ସ ଭୁବନେଶ୍ୱରକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି । ସେଠାରେ ତାଙ୍କର ପୂର୍ଣ୍ଣ ଡାକ୍ତରୀ ପରୀକ୍ଷା କରାଯିବ । ଏପରିକି ସେ ସୁସ୍ଥ ହେବାପରେ ତାଙ୍କର ଫରେନସିକ ଯାଂଚ କରାଯିବ ଏବଂ ସେଥିରୁ ପ୍ରକୃତ ତଥ୍ୟ ଜଣାପହିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ପୂର୍ବରୁ ଏହିଭଳି କୋ÷ଣସି କାର୍ଯ୍ୟରେ ଲିପ୍ତ ଥିଲେ କି ନାହିଁ, ସେ ସମ୍ପର୍କରେ ମଧ୍ୟ ପୋଲିସ ତଦନ୍ତ କରୁଛି ।