ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଇରାନର ଯୋଜନା

ତେଲଆଭିଭ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଇରାନ ଚାହୁଁଛି । ଇରାନର ଇସଲାମିକ ସରକାର ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ପ୍ରସ୍ତୁତ କରିଛନ୍ତି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦାବି କରିଛନ୍ତି । ସେ କହିଛନ୍ତି, ଟ୍ରମ୍ପଙ୍କୁ ଇରାନ ତାହାର ଏକ ନମ୍ବର ଶତ୍ରୁ ଭାବରେ ବିବେଚନା କରୁଛି । ସେଥିପାଇଁ ତାହା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନା କରିଛି । ନେତାନ୍ୟାହୁ କହିଛନ୍ତି, ଅନ୍ୟମାନେ ଯେଉଁଭଳି ଇରାନ ସହିତ ଆଲୋଚନା କରିବା ଉଦ୍ୟମ କରିଛନ୍ତି, ଟ୍ରମ୍ପ ସେଭଳି କଦାପି କରିନାହାନ୍ତି । ଏଥିସହିତ ଇରାନ ସହିତ ତଥାକଥିତ ମିଥ୍ୟା ପରମାଣୁ ଚୁକ୍ତିରୁ ଓହିଯିବା ଏବଂ ଇରାନର ସାମରିକ କମାଣ୍ଡର କାସିମ ସୋଲେଇମାନିଙ୍କୁ ହତ୍ୟା କରିବା ନିମନ୍ତେ ନେତାନ୍ୟାହୁ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି । ନେତାନ୍ୟାହୁଙ୍କ କହିବା ଅନୁଯାୟୀ ଇରାନକୁ ପରମାଣୁ ଅସ୍ତ୍ର ହାସଲରୁ ରୋକିବା ଦିଗରେ ଟ୍ରମ୍ପଙ୍କର କଡା ଆଭିମୁଖ୍ୟ ତାଙ୍କୁ ଇରାନର ମୁଖ୍ୟ ଶତ୍ରୁରେ ପରିଣତ କରିଛି ।
ନେତାନ୍ୟାହୁ ଆଉ ମଧ୍ୟ କହିଛନ୍ତି ଯେ ତାଙ୍କୁ ମଧ୍ୟ ଇରାନ ନିଜର ଟାର୍ଗେଟ କରିଛି । ଇରାନକୁ ପରମାଣୁ ଅସ୍ତ୍ର ହାସଲ କରାଇ ନଦେବାକୁ ଚାଲିଥିବା ଉଦ୍ୟମରେ ନିଜକୁ ଟ୍ରମ୍ପଙ୍କର ଜୁନିୟର ପାର୍ଟନର ଭାବରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି । ସେସ ଦାବି କରିଛନ୍ତି ଯେ ଇରାନ ପରମାଣୁ ବୋମା ପ୍ରସ୍ତୁତ କରିବା ନିମନ୍ତେ ୟୁରାନିୟମକୁ ବ୍ୟବହାର କରି ନିଜର ପ୍ରସ୍ତୁତି ଚଳାଇଛି । ତାହାସହିତ ଉକ୍ତ ରାଷ୍ଟ୍ର ବର୍ଷକୁ ୩୬୦୦ ବାଲିଷ୍ଟିକ କ୍ଷେପଣାସ୍ତ୍ର ତିଆରି କରିବାରେ ଲାଗିଛି । ଇସ୍ରାଏଲ ଭଳି ଆକାରର କୋ÷ଣସି ରାଷ୍ଟ୍ର ଏଭଳି ବିପଦର ମୁକାବିଲା କରିବା କଷ୍ଟକର ବୋଲି ନେତାନ୍ୟାହୁ କହିଛନ୍ତି । ଏଥିସହିତ ସେ କହିଛନ୍ତି ଯେ, ଇସ୍ରାଏଲ କେବଳ ଆତ୍ମରକ୍ଷା କରୁନାହିଁ ତାହାସହିତ ସାରା ବିଶ୍ୱକୁ ସୁରକ୍ଷା ଦେଉଛି । ନିକଟରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମ ପ୍ରତି କିଛିଟା କ୍ଷତି ପହଂଚାଇଥିବା ସେ ଦାବି କରିବା ସହିତ ଭବିଷ୍ୟତରେ ଉକ୍ତ ରାଷ୍ଟ୍ର ସହିତ କୋ÷ଣସି ପ୍ରକାର ଆଲୋଚନାକୁ ଖଣ୍ଡନ କରିଛନ୍ତି ।