ତୃଣମୂଳ ସ୍ତରରୁ ଚାଲୁରହିଛି ଡାଇରିଆ ମୁକାବିଲା

ଭୁବନେଶ୍ବର: ରାଜ୍ୟରେ ଡାଇରିଆ ସଂକ୍ରମଣର ତ୍ଵରିତ ମୁକାବିଲା ପାଇଁ ସରକାରଙ୍କ ତରଫରୁ ଜୋରଦାର ପ୍ରୟାସ ଜାରି ରହିଛିl ସରକାର ତୃଣମୂଳ ସ୍ତରରୁ ମେଡ଼ିକାଲ କଲେଜ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଏକ୍ସନ ମୋଡ୍ ରେ କାର୍ଯ୍ୟ କରୁଛନ୍ତି l ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ବିଭାଗ ଦ୍ବାରା ସମନ୍ଵିତ ଭାବରେ ଏକାଭିମୁଖୀ ପ୍ରୟାସ ଚାଲିଛି l ଫଳରେ ରାଜ୍ୟରେ ଡାଇରିଆ ସ୍ଥିତିରେ ସୁଧାର ହୋଇ ସଂକ୍ରମଣ କମି ଚାଲିଛି ଓ ଆଜି କ୍ରମାଗତ ଦ୍ବିତୀୟ ଦିନରେ ରୋଗୀ ସଂଖ୍ୟା ହ୍ରାସ ପାଇଛି l
ଡାଇରିଆ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କର ଏକ ବିଶେଷଜ୍ଞ ଟିମ ଯାଜପୁର ଜିଲ୍ଲାରେ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରୁଛନ୍ତିl କେନ୍ଦ୍ର ସରକାରଙ୍କ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(NCDC)ର ନିର୍ଦ୍ଦେଶକ, କେନ୍ଦ୍ରୀୟ ଟିମ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ମଧ୍ୟରେ ଆଭାସି ଯୋଗେ ଏକ ବିସ୍ତୃତ ଆଲୋଚନା ଅନୁଷ୍ଠିତ ହୋଇଛିl ଏହି ଆଲୋଚନାରେ ସଂକ୍ରମଣର ଉତ୍ସ, କାରଣ, ନିରାକରଣ ପ୍ରକ୍ରିୟା, ଚିକିତ୍ସା ପ୍ରୋଟୋକଲ ଓ ବିଶୋଧନ ପ୍ରକ୍ରିୟା ବିଷୟରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେl ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ତ୍ଵରିତ ହସ୍ତକ୍ଷେପ ଓ ସମନ୍ଵିତ ଏକାଭିମୁଖୀ ଡାଇରିଆ ନିବାରଣ ପ୍ରକ୍ରିୟା ପ୍ରତି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ସନ୍ତୋଷ ବ୍ୟକ୍ତ କରିଥିଲେ l
ଡାଇରିଆ ଜନିତ ସୂଚନା- ଶିକ୍ଷା- ସଂଚାର ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି l ରାଜ୍ୟର ଡ଼ାଇରିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ DCPO ଓ DSWO ମାନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜାରି ହୋଇଥିବା ଗାଇଡଲାଇନକୁ ଅନୁସରଣ କରି ପ୍ରତିଷେଧକ ବ୍ୟବସ୍ଥା ଆପଣେଇବା ପାଇଁ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସେହି ନିର୍ଦ୍ଦେଶନାମା ଅନୁସାରେ ମିଶନଶକ୍ତି ବିଭାଗ ପକ୍ଷରୁ ଡାଇରିଆ ନିବାରଣ ପାଇଁ ମହିଳାଏସଏଚଜି ସଦସ୍ୟଙ୍କ ମାଧ୍ୟମରେ ସଚେତନତା ଅଭିଯାନ ଜାରି ରହିଛି l ଏହି ଅଭିଯାନ ଆସନ୍ତା ୮ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ମହିଳାଏସଏଚଜି ସଦସ୍ୟାମାନେ ସମସ୍ତ ପରିବାରଙ୍କ ନିକଟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଅଭିଯାନରେ ସକ୍ରିୟ ଭାବରେ ସଂଶ୍ଳିଷ୍ଟ ଅଛନ୍ତି। ସେମାନେ ଘରକୁ ଘର ବୁଲି ସଚେତନତା ସମ୍ବନ୍ଧୀୟ ଆଇଇସି ସାମଗ୍ରୀ ବଣ୍ଟନ କରୁଛନ୍ତି ଏବଂ ଗ୍ରାମର ପ୍ରମୁଖ ସ୍ଥାନରେ ବୈଠକ ଆୟୋଜନ କରି ପରିମଳ ଓ ସ୍ବଚ୍ଛତା ବାର୍ତ୍ତା ସହ ଡାଇରିଆ ବିଷୟରେ ଜନସଚେତନତା ସୃଷ୍ଟି କରୁଛନ୍ତି।
ପାନୀୟଜଳ ଉତ୍ସର ବିଶୋଧନ ପ୍ରକ୍ରିୟାକୁ ଜାରି ରଖି ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଦ୍ବାରା ବିଭିନ୍ନ ଉତ୍ସର ପ୍ରଥମ ରାଉଣ୍ଡ ବିଶୋଧନ ସମ୍ପୂର୍ଣ୍ଣ ହୋଇଛି ଓ ଅନେକ ସ୍ଥାନରେ ଦ୍ବିତୀୟ ରାଉଣ୍ଡର ବିଶୋଧନ ପ୍ରକ୍ରିୟା ଜାରି ରହିଛି l ସାମାନ୍ଯ ସଂକ୍ରମଣ ରହୁଥିବା କୂଅ ଓ ନଳକୂଅ ଆଦିକୁ ସିଲ୍ କରି ଦିଆଯାଉଛିl ଉକ୍ତ ସ୍ଥାନ ଗୁଡ଼ିକରେ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଛିl ଗ୍ରାମାଞ୍ଚଳରେ ମିଶନ ଶକ୍ତିର ସ୍ବୟଂ ସହାୟକ ଗୋଷ୍ଠୀର ସଦଶ୍ୟ, ଆଶା, ଅଙ୍ଗନବାଡି ଦିଦି ମାନେ ଜଳ ବିଶୋଧନ ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି l ସମସ୍ତ ଅଞ୍ଚଳର ସମସ୍ତ ଘରର ଅଦ୍ୟତନ ତଥ୍ୟ ସଂଗ୍ରହ କରାଯାଉଛି l
ପ୍ରବର୍ତ୍ତନ କାର୍ଯ୍ୟକଳାପକୁ କଡାକଡି ରୂପେ ଲାଗୁ କରାଯାଇ ବିଭିନ୍ନ ଖାଦ୍ଯ ନିରାପତ୍ତା ଦଳ ହୋଟେଲ, ରାସ୍ତା କଡ ଦୋକାନ, ଢାବାର ଖାଦ୍ଯ ପରୀକ୍ଷା ଓ ରେଡ଼ ଜାରି ରଖିଛନ୍ତି l ବୋଟଲିଂ ପ୍ଳାଣ୍ଟ ଗୁଡିକ ଯାଞ୍ଚ କରାଯାଉଛି ଓ କୌଣସି ବ୍ୟତିକ୍ରମ ସ୍ଥଳରେ ସେଗୁଡିକ ସିଲ କରାଯାଉଛି l
ସେହିପରି ସହରାଞ୍ଚଳରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଳସାଥୀ ମାନଙ୍କୁ ନିଯୋଜିତ କରାଯାଇ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିଯୋଜିତ କରାଯାଇ ନିରାପଦ ପାନୀୟ ଜଳ ସମ୍ପର୍କିତ ସୂଚନା-ଶିକ୍ଷା -ସଂଚାର କାର୍ଯ୍ୟକ୍ରମ ଜାରି ରହିଛି l ସମସ୍ତ ପ୍ରଭାବିତ ଜିଲ୍ଲା ଓ ଅନ୍ୟ ଜିଲ୍ଲା ମାନଙ୍କରେ ଡାଇରିଆ ସଚେତନତା ରଥ ସମସ୍ତ ଅଞ୍ଚଳକୁ ବୁଲି ଜନ ସାଧାରଣଙ୍କୁ ସଚେତନ କରୁଛନ୍ତିl ବ୍ୟାସନଗର ପୌର ପରିଷଦରେ ୱାଟ୍କୋ ଡିଭିଜନ୍ର ପରିଚାଳନା ନିର୍ଦ୍ଦେଶକଙ୍କ କ୍ୟାମ୍ପ ଅଫିସ କାର୍ଯ୍ୟ କରୁଛି। ସମସ୍ତ ପାନୀୟ ଜଳ ସ୍ରୋତ ଓ ପାଇପ ଜଳଯୋଗାଣ ବ୍ୟବସ୍ଥା ଗୁଡ଼ିକର ପରୀକ୍ଷା ଓ କ୍ଲୋରିନ୍ରେ ବିଶୋଧନ କରାଯାଉଛି।
ସମସ୍ତ ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଥିବା ପାଣିଟାଙ୍କିଗୁଡ଼ିକକୁ ସଫା କରାଯିବା ସହ ଜଳ ଉତ୍ସଗୁଡ଼ିକୁ ବିଶୋଧନ କରାଯାଉଛି। ସ୍ରୋତ ଗୁଡ଼ିକର ବାରମ୍ବାର ପରୀକ୍ଷା ମଧ୍ୟ ଜାରି ରହିଛିl ପରୀକ୍ଷଣର ଫଳକୁ ପ୍ରତ୍ୟେକ ଦିନ ଜିଲ୍ଲା ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ୱାଟ୍କୋ କାର୍ଯ୍ୟାଳୟକୁ ପଠାଯାଉଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ଯଥେଷ୍ଟ ପରିମାଣର ବ୍ଲିଚିଂ ପାଉଡର ଓ କ୍ଲୋରିନ୍ ଟାବ୍ଲେଟ୍ ମହଜୁଦ ରଖାଯାଇଛିl ଜିଲ୍ଲାରେ ଗଠିତ ହୋଇଥିବା କୋର କମିଟିମାନ ସମସ୍ତ ଅଞ୍ଚଳ ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି l
ସମସ୍ତ ଡାକ୍ତରଖାନାରେ ରୋଗୀଙ୍କୁ ଯେପରି ତତକ୍ଷଣାତ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯିବ ସେଥିପ୍ରତି ସରକାର ସମ୍ପୂର୍ଣ୍ଣ ରୂପେ ଯତ୍ନବାନ ରହିଛନ୍ତିl ସେଥିପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ଥାନୀୟ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିl ସର୍ବାଧିକ ସମ୍ବେଦନଶୀଳତା ଓ ଯତ୍ନବାନ ହୋଇ ରୋଗୀଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛିl ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ମେଡ଼ିକାଲ କଲେଜ ପର୍ଯ୍ୟନ୍ତ ସମନ୍ଵିତ ପ୍ରୟାସ ଦ୍ବାରା ଚିକିତ୍ସା ପ୍ରୋଟୋକଲ ବଜାୟ ରଖି କାର୍ଯ୍ୟ କରୁଛନ୍ତିl ଆକ୍ରାନ୍ତ ଦିବ୍ୟଙ୍ଗ, ଶିଶୁ, ମହିଳା ଓ ବରିଷ୍ଠ ନାଗରିକଙ୍କ ଚିକିତ୍ସା ପ୍ରତି ସ୍ଵତନ୍ତ୍ର ରୂପେ ଧ୍ୟାନ ଦିଆଯାଉଛିl ଏହି ସମସ୍ତ ବ୍ୟବସ୍ଥା ଉପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କ୍ଲୋଜ଼ ମନିଟରିଂ କରାଯାଉଛି l
ବର୍ତ୍ତମାନ, ଯାଜପୁର, କେଉଁଝର, ଭଦ୍ରକ, କଟକ ଏବଂ ଢେଙ୍କାନାଳ ଭଳି ଜିଲ୍ଲାଗୁଡ଼ିକୁ ବିଶେଷ ଧ୍ୟାନ ଦେଇ ସମଗ୍ର ରାଜ୍ୟରେ ଡାଇରିଆ ନିବାରଣ ଅଭିଯାନ ଚାଲିଛି। ଏହି ଜିଲ୍ଲାଗୁଡ଼ିକରେ ଅତିରିକ୍ତ ଡାକ୍ତର ଏବଂ ମାନବସମ୍ବଳ ମୁତୟନ କରାଯାଇଛି। ଜିଲ୍ଲା ହସ୍ପିଟାଲ, ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ଠାରେ ପର୍ଯ୍ୟାପ୍ତ ଔଷଧ, ତରଳ ପଦାର୍ଥ ଏବଂ ଇଞ୍ଜେକ୍ସନ ଆଦି ମୁତୟନ କରାଯାଇଛି। କ୍ଷେତ୍ରସ୍ତରୀୟ କାର୍ଯ୍ୟର ତଦାରଖ ଏବଂ ମାର୍ଗଦର୍ଶନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଦଳ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି। ଏହି ଜିଲ୍ଲାଗୁଡ଼ିକରେ ଘର ଘର ସଚେତନତା ଏବଂ ସ୍କ୍ରିନିଂ ଅଭିଯାନକୁ ଜୋରଦାର କରାଯାଇଛି।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଡାଇରିଆ ସମେତ ଯେକୌଣସି ଜଳବାହିତ ରୋଗର ସମ୍ଭାବ୍ୟ ପ୍ରାଦୁର୍ଭାବକୁ ରୋକିବା ପାଇଁ ବର୍ଷା ଶେଷ ପର୍ଯ୍ୟନ୍ତ ଅଭିଯାନ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଲୋକମାନଙ୍କୁ ଭୟଭୀତ ନ ହୋଇ ବ୍ୟକ୍ତିଗତ ଏବଂ ସାମୁହିକ ଜୀବନରେ ସ୍ୱଚ୍ଛତା ଅଭ୍ୟାସ ପାଳନ କରିବା ବିଷୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଚିବ ଅଶ୍ୱତୀ ଏସ୍ ଲୋକମାନଙ୍କୁ ସ୍ୱଚ୍ଛତା ଅଭ୍ୟାସ, ହାତ ଧୋଇବା ଏବଂ ଫୁଟା ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି। ସୂଚନା- ଶିକ୍ଷା – ସଂଚାର ମାଧ୍ୟମରେ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି ପିଇବା, ହାଲୋଜେନ ବଟିକା ପକାଇ ଅଧଘଣ୍ଟା ପରେ ପିଇବା ପାଣି ବ୍ୟବହାର, ଖାଦ୍ଯ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲଭାବେ ହାତ ଧୋଇବା, ଝାଡାବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ଓ.ଆର୍.ଏସ୍ ଦ୍ରବଣ ପିଇବା ଓ ବିଳମ୍ବ ନକରି ଡାକ୍ତରଖାନା ଯିବା ଆଦି ବିଷୟରେ ତୃଣମୂଳ ସ୍ତରରୁ ଜନସଚେତନତା ସୃଷ୍ଟି କରାଯାଉଛିl ସରକାର ସମସ୍ତ ଦିଗରୁ ଯୁଦ୍ଧକାଳୀନ ଭିତ୍ତିରେ ପରିସ୍ଥିତିର ମୁକାବିଲା କରୁଛନ୍ତିl ଲୋକଙ୍କ ନିରାପଦ ସ୍ବାସ୍ଥ୍ୟକୁ କେନ୍ଦ୍ରରେ ରଖି ଦିବାରାତ୍ର ସମର୍ପିତ ଭାବରେ କାର୍ଯ୍ୟ ଚାଲିଛିl ସେଥିପାଇଁ ଡାଇରିଆ ସଂକ୍ରମଣ ସ୍ଥିତିରେ କ୍ରମାଗତ ସୁଧାର ହୋଇଛି ଓ ଗତକାଲି ତୁଳନାରେ ଆଜି ସଂକ୍ରାମକଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇଛି l