ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର: ମହାନ ବିପ୍ଳବୀ, ସର୍ବୋଦୟ ନେତା, ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶବାଦୀ ଓ ସଫଳ ବ୍ୟକ୍ତିତ୍ୱର ଅଧିକାରୀ। ସେ ସର୍ବଦା ଦରିଦ୍ର ଅବହେଳିତ, ଦଳିତଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିଲେ। ଜଣେ ନିଷ୍ଠାପର ଜନନାୟକ ଏବଂ ବିପ୍ଳବୀର ସମସ୍ତ ଗୁଣ ତାଙ୍କଠାରେ ପରିପୂର୍ଣ୍ଣ ଥିଲା। ସେ ସଂଭ୍ରାନ୍ତ ଓ ଜମିଦାର ପରିବାରର ବ୍ୟକ୍ତିଥିଲେ ମଧ୍ୟ ସମାଜର ଦଳିତ ଓ ନିଷ୍ପେସିତ ବର୍ଗର ଲୋକଙ୍କ ପାଇଁ ସାରା ଜୀବନ ସଂଗ୍ରାମ ଜାରି ରଖିଥିଲେ। ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଅସହଯୋଗ ଆନ୍ଦୋଳନରେ ସେ ଯୋଗଦେଇଥିଲେ। ସେତେବେଳେ ଓଡ଼ିଶାର ଛାତ୍ର ଓ ଯୁବକମାନଙ୍କ ଭିତରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ହୋଇଥିଲା।
ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶ ଦେଶସେବକ ଓ ନିଷ୍ଠାପର କର୍ମୀ ତଥା ଓଡ଼ିଶାର ଦଳିତ, ଅବହେଳିତ, ନିଷ୍ପେସିତଙ୍କ ପ୍ରକୃତ ବନ୍ଧୁ ଏବଂ ଜଣେ ବିପ୍ଳବୀ ଜନନାୟକ । ଦୀନହୀନ ଅବସ୍ଥାରେ କାଳାତିପାତ କରୁଥିବା ଚାଷୀମୂଲିଆଙ୍କ ସେବା କରି ନିଜକୁ ଧନ୍ୟ ମନେ କରୁଥିଲେ। କ୍ଷମତା ନବକୃଷ୍ଣ ଚୌଧୁରୀଙ୍କ ପରି ବ୍ୟକ୍ତିତ୍ୱଙ୍କୁ କରାୟତ କରିପାରିନଥିଲା ଓ ଦୁର୍ନୀତି ତାଙ୍କୁ ସ୍ପର୍ଶ କରିପାରି ନଥିଲା ।
ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୪୧ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ବାବୁ ସିଂ, ଅଗସ୍ତି ବେହେରା, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଉତ୍କଳ ସମ୍ମିଳନୀର ବରିଷ୍ଠ ସଦସ୍ୟ ଓ ବିଧାନସଭା ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତି୍ରବିକ୍ରମ ପ୍ରଧାନ, ଯୁଗ୍ମ ସଚିବ ସତୀଶ ମିଶ୍ର ବିଧାନସଭା ପରିସରରେ ଥିବା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ଶିଳ୍ପୀବୃନ୍ଦଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା ।