ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ରେକର୍ଡ଼ ପରିମାଣର ଅଧିକ ରବି ଧାନ ସଂଗ୍ରହ

ଭୁବନେଶ୍ୱର: ରବି ଧାନ ସଂଗ୍ରହ ୨୦୨୪-୨୫ ନେଇ ଉପମୁଖ୍ୟମନ୍ତ୍ରୀଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ରବି ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ଏହି ସଂଗ୍ରହ ପ୍ରକ୍ରିୟାର ଅବଧି ଶେଷ ହେବାକୁ ଯାଉଛି। ଚଳିତ ବର୍ଷ ରବି ଧାନ ଫସଲ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ୧୪ ଲକ୍ଷ ମେଟ୍ରିକ ଟନ ରହିଥିବାବେଳେ ଆଜି ସୁଦ୍ଧା ପ୍ରାୟ ୧୯ ଲକ୍ଷ୍ୟ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇସାରିଛି। ଗତ ବର୍ଷ ୧୨ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ଋତୁରେ ରେକର୍ଡ଼ ପରିମାଣର ଧାନ ସଂଗ୍ରହ ହୋଇଛି। ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ସମୃଦ୍ଧ କୃଷକ ଯୋଜନା ଅଧୀନରେ ଚାଷୀଙ୍କୁ ରବି ଧାନରେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା (ଏମ୍ଏସପି ଓ ଇନପୁଟ ସହାୟତା ବାବଦରେ) ପ୍ରଦାନ କରୁଛି।

ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ଏବଂ ଅନ୍ୟ ପଡୋଶୀ ରାଜ୍ୟରୁ ଆସୁଥିବା ଧାନକୁ ରୋକିବା ପାଇଁ ଚାଷୀଙ୍କ ଇ- କେୱାଇସି ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ବୈଠକରେ ବିଚାର ବିମର୍ଶ ହୋଇଥିଲା। ଏହାଦ୍ବାରା ଆମ ରାଜ୍ୟ ପ୍ରକୃତ ହିତାଧିକାରୀ ଉପକୃତ ହୋଇପାରିବେ। ଏହା ବ୍ୟତୀତ ଆଗାମୀ ସମୟରେ ଧାନ କିଣା ନିମନ୍ତେ ନୂତନ ନୀତି ଆଣିବା ପାଇଁ ସରକାର ବିଚାର କରୁଛନ୍ତି।

ସମ୍ପ୍ରତି ରାଜ୍ୟବାସୀଙ୍କ ନିଜସ୍ଵ ବିନିଯୋଗ ପାଇଁ ୨୭ ଲକ୍ଷ ମେଟ୍ରିକ ଟନର ଚାଉଳ ଆବଶ୍ୟକ ହୋଇଥାଏ। କିନ୍ତୁ ଆମ ରାଜ୍ୟ ଓଡ଼ିଶାରେ ଚଳିତ ବର୍ଷ ଖରିଫ ଓ ରବି ଧାନକୁ ମିଶାଇ ମୋଟ ୯୩ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଛି। ସେଥିରୁ ହାରାହାରି ୬୩ ଲକ୍ଷ ମେଟ୍ରିକ ଟନ ଚାଉଳ ପ୍ରସ୍ତୁତ ହେବ। ଯାହା ରାଜ୍ୟର ଚାହିଦା ଠାରୁ ଢ଼େର ଅଧିକ। ବଳକା ଚାଉଳର ସୁପରିଚାଳନା ପାଇଁ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଧାନର କଟା ଅଂଶ ଏବଂ ଭଙ୍ଗା ଚାଉଳକୁ ରାଜ୍ୟରେ ଥିବା ଇଥାନଲ ପ୍ଲାଣ୍ଟକୁ ଦିଆଯାଇ ସେଥିରୁ ୨ଜି ଇଥାନଲ ପ୍ରସ୍ତୁତ କରିବା ବ୍ୟବସ୍ଥା କରାଯାଇଛି।

ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସମେତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ ସମୀକ୍ଷା କରିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ପରିଚାଳନା ନିର୍ଦ୍ଦେଶକ ଯୋଗାଣ ନିଗମ ସୁଦର୍ଶନ ଚକ୍ରବର୍ତ୍ତୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶୁଭମ ସକ୍ସେନା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ବୈଠକରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *