ବାଲେଶ୍ୱର ବନ୍ୟାସ୍ଥିତି: ଲୋକ ପ୍ରତିନିଧିଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

ବାଲେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାଲେଶ୍ୱରର ବିଭିନ୍ନ ବନ୍ୟାଜଳ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ଲୋକ ପ୍ରତିନିଧିଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ପ୍ରଥମେ ଆକାଶ ମର୍ଗରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ବୁଲି ଦେଖିଥିଲେ। ଆକାଶମାର୍ଗରୁ ବନ୍ୟାଜଳ ପ୍ରଭାବିତ ଚାଷଜମି ଏବଂ ବିଭିନ୍ନ ଗାଁ ବନ୍ୟାଜଳରେ ପ୍ରଭାବିତ ହୋଇଥିବା ଅନୁଧ୍ୟନ କରିଥିଲେ। ବିଶେଷ କରି ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ମୋଟ ୬ଟି ବ୍ଲକ୍ର ୧୫୪ ଗ୍ରାମ ଏବଂ ଜଳେଶ୍ୱର ପୌରପାଳିକାର ୮ଟି ୱାର୍ଡ ବନ୍ୟାଜଳରେ ପ୍ରଭାବିତ ହୋଇଛି। ଏହାପରେ କ୍ଷେତ୍ର ପରିଦର୍ଶନରେ ଭୋଗରାଇ ବ୍ଲକ୍ର ବାଉଁଶଖଣା ସମେତ ବିଭିନ୍ନ ଅଞ୍ଚଳକୁ ବୋଟ୍ ଯୋଗେ ଯାଇ ଉଦ୍ଧାର କାର୍ଯ୍ୟ ଓ ଅନ୍ୟ ସରକାରୀ ପଦକ୍ଷେପର ସମୀକ୍ଷା କରିଥିଲେ।
ବାଉଁଶଖଣା ପ୍ରାଥମିକ ବିଦ୍ୟାଳୟଠାରେ ସ୍ଥାନୀୟ ଜନସାଧାରଣଙ୍କ ସହ ବନ୍ୟା ପରିସ୍ଥିତି, କ୍ଷୟକ୍ଷତି ଏବଂ ସମସ୍ତ ପ୍ରାଥମିକ ସୁବିଧା ଉପଲବ୍ଧ ହେବା ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ସେ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ, ଏଭଳି ଜରୁରୀକାଳୀନ ପରିସ୍ଥିତିରେ ଲୋକମାନଙ୍କୁ ଆବଶ୍ୟକୀୟ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଲୋକ ପ୍ରତିନିଧିମାନଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବେ। ସେହିଭଳି ବାଲିଆପାଳ ବ୍ଲକ୍ର ମଧୁପୁର ପଞ୍ଚାୟତର ଚୌଧୁରୀକୁଦ ଗାଁ ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣଙ୍କ ସହ ବନ୍ୟା ପରିସ୍ଥିତି, କ୍ଷୟକ୍ଷତି ଏବଂ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ସମସ୍ତ ପ୍ରାଥମିକ ସୁବିଧା ବାବଦରେ ପଚାରି ବୁଝିଥିଲେ।
ଭୋଗରାଇ ଏବଂ ବାଲିଆପାଳ ବ୍ଲକ୍ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ତାଳସରିସ୍ଥିତ ପାନ୍ଥନିବାସଠାରେ ବନ୍ୟା ପରିଚାଳନା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ବିଧାୟକମାନଙ୍କଠାରୁ ନିଜ ନିଜ ଅଞ୍ଚଳରେ ବର୍ତ୍ତମାନର ବନ୍ୟା ସ୍ଥିତି, ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ, ପଲିଥିନ ଏବଂ ଗୋ ଖାଦ୍ୟର ଉପଲବ୍ଧି ଓ ଯୋଗାଇବା ବିଷୟରେ ମତାମତ ନେଇଥିଲେ। ଆଲୋଚନା ପରେ ଜିଲ୍ଲାପାଳଙ୍କୁ ପ୍ରଭାବିତ ଅଞ୍ଚଳରେ ଜନସାଧାରଣ ଏବଂ ପ୍ରାଣୀ ସମ୍ପଦଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ନେଇ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ଗସ୍ତ ଓ ବୈଠକରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକଗଣ, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଯୋଗଦେଇଥିଲେ।