ଆନ୍ତର୍ଜାତିକ ସମବାୟ ଦିବସ ପାଳିତ

ଭୁବନେଶ୍ଵର : ଓଡିଶା ରାଜ୍ୟ ସମବାୟ ୟୁନିୟନ ଆନୁକୂଲ୍ୟରେ ୧୦୩ତମ ଆନ୍ତର୍ଜାତିକ ସମବାୟ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ହାଉସିଂ ବୋର୍ଡ ଛକ, ବୁଦ୍ଧ ମନ୍ଦିରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଯୋଗ ଦେଇ କହିଥିଲେ, ସେବା ହିଁ ସମବାୟର ମୂଳ ଧର୍ମ। ସମବାୟ ଅନୁଷ୍ଠାନକୁ “ୱାନ୍ ଷ୍ଟପ୍ ସପ୍ରେ ପରିଣତ କରି ଗ୍ରାମୀଣ ଜୀବନରେ ଆବଶ୍ୟକ ହେଉଥିବା ସମସ୍ତ ସେବା ଯୋଗାଇ ଦେବା ପାଇଁ ସମିତି ମାନଙ୍କୁ ଅଧିକ ସଶକ୍ତ କରିବାକୁ ଲକ୍ଷ୍ୟ ରହିଛି ।

ଓଡିଶା ରାଜ୍ୟ ସମବାୟ ୟୁନିୟନ ପକ୍ଷରୁ ପୂର୍ବରୁ ଆୟୋଜିତ ତର୍କ, ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ମାନ୍ୟବର ମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ‘ସମବାୟ ସମାଚାର’ପତ୍ରିକାର ସ୍ଵତନ୍ତ୍ର ସଂଖ୍ୟା ଏବଂ ଆମ ସମବାୟ ଉପରେ ସୂଚନା ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମବାୟ ସମିତି ସମୂହର ନିବନ୍ଧକ ସିଦ୍ଧାର୍ଥ ଦାସ, ବିଶିଷ୍ଟ ସମବାୟବିତ ଯଜ୍ଞେଶ୍ଵର, ସମବାୟ ସମିତି ସମୂହର ମହାସମୀକ୍ଷକ ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। “ଏକ ପେଡ୍ ମା’କେ ନାମ୍” ଅଭିଯାନରେ ସାମିଲ ହୋଇ ମାନ୍ୟବର ସମବାୟ ମନ୍ତ୍ରୀ ଏକ ଚାରା ରୋପଣ କରିଥିଲେ। ଏହି ଉତ୍ସବରେ ଓଡିଶା ରାଜ୍ୟ ସମବାୟ ୟୁନିୟନର ସଭାପତି ପ୍ରବାସିନୀ ଷଡଙ୍ଗୀ ସଭାପତିତ୍ୱ କରିଥିଲେ। ୟୁନିୟନର ସଂପାଦକ ବ୍ରହ୍ମାନନ୍ଦ ପରିଡା ଅତିଥି ପରିଚୟ ଓ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଉପ –ସଂପାଦିକା ସରୋଜିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଭାତ ସମୟରେ ସମବାୟ ଭବନ ପରିସରରେ ରାଜ୍ୟ ସ୍ତରୀୟ ସମବାୟ ପତାକାକୁ ୟୁନିୟନର ସଭାପତି ପ୍ରବାସିନୀ ଷଡଙ୍ଗୀ ଉତ୍ତୋଳନ କରିଥିଲେ। ଚଳିତ ବର୍ଷ ଆନ୍ତର୍ଜାତିକ ସମବାୟ ଦିବସର ଥିମ୍ ରହିଛି “ଏକ ଉତ୍ତମ ବିଶ୍ୱ ଗଠନ ପାଇଁ ନିରନ୍ତର ସ୍ଥାୟୀ ସମାଧାନର ପରିଚାରକ- ସମବାୟ”। ସୂଚନାଯୋଗ୍ୟ, ୨୦୨୫ ମସିହାକୁ ଆନ୍ତର୍ଜାତିକ ସମବାୟ ବର୍ଷ ଭାବେ ପାଳନ କରାଯାଉଛି ।

Leave a Reply

Your email address will not be published. Required fields are marked *