- Administration
- Business
- Development
- Economy
- Employment
- Governance
- Heritage
- Infrastructure
- Local
- Tourism
ଅକ୍ଟୋବର ୩ ରୁ ୫ ତାରିଖ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬
ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଓଡ଼ିଶା ଟ୍ରାଭେଲ ବଜାର (ଓଟିବି) ୨୦୨୬ ର ସପ୍ତମ ସଂସ୍କରଣ ବିଷୟରେ ଘୋଷଣା କରିଛନ୍ତି, ଯାହା ଅକ୍ଟୋବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରର ମେଫେୟାରରେ ଅନୁଷ୍ଠିତ ହେବ। ମେଫେୟାର ଲାଗୁନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହଯୋଗରେ ଆୟୋଜିତ ଏହି ତିନିଦିନିଆ ବ୍ୟବସାୟିକ ପର୍ଯ୍ୟଟନ ମହାକୁମ୍ଭରେ ୯୨ରୁ ଅଧିକ ଘରୋଇ ସଂସ୍ଥା, ୨୭ଟି ଦେଶର ବିଦେଶୀ ଟୁର ଅପରେଟର ଏବଂ ଦେଶର ୩୨ଟି ସହରର କ୍ରେତାମାନେ ଏକାଠି ହେବେ। ଏହି କାର୍ଯ୍ୟକ୍ରମରେ ପୂର୍ବ ନିର୍ଦ୍ଧାରିତ ୬,୦୦୦ରୁ ଅଧିକ ବ୍ୟବସାୟିକ ବୈଠକ ଅନୁଷ୍ଠିତ ହେବାର ଆଶା କରାଯାଉଛି।
ସାମ୍ବାଦିକ ସମ୍ମିଳନୀରେ ନିଜ ବକ୍ତବ୍ୟ ରଖି ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଓଡ଼ିଶା ଏକ ମହତ୍ତ୍ୱାକାଂକ୍ଷୀ ପର୍ଯ୍ୟଟନ ରଣନୀତି ଉପରେ କାର୍ଯ୍ୟ କରୁଛି, ଯାହାର ଲକ୍ଷ୍ୟ ହେଉଛି ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ରାଜ୍ୟର ସ୍ଥିତିକୁ ମଜବୁତ କରିବା ସହ ସ୍ଥାନୀୟ ଲୋକଙ୍କ ପାଇଁ ସିଧାସଳଖ ଆର୍ଥିକ ଲାଭ ସୃଷ୍ଟି କରିବା। “ଆମର ମୂଳମନ୍ତ୍ର ହେଉଛି ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’। ଯଦି ବିଶ୍ଵରେ କେହି ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ଚାହାଁନ୍ତି କିମ୍ବା ଭାରତ ଭ୍ରମଣ କରିବାକୁ ଇଚ୍ଛା କରନ୍ତି, ତେବେ ସେମାନେ ପ୍ରଥମେ ଓଡ଼ିଶା କଥା ଚିନ୍ତା କରିବା ଉଚିତ। ସାହସିକ ପର୍ଯ୍ୟଟନ, ହୋମଷ୍ଟେ ଏବଂ ଆତିଥେୟତା କ୍ଷେତ୍ରରେ ଆମର ପ୍ରଗତିଶୀଳ ନୀତି ମାଧ୍ୟମରେ ‘ବିକଶିତ ଭାରତ’ର ସ୍ଵପ୍ନକୁ ସାକାର କରିବା ପାଇଁ ଓଡ଼ିଶା ମିଶନ ମୋଡରେ ଆଗେଇ ଚାଲିଛି,” ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ଟ୍ରାଭେଲ ବଜାର କେବଳ ପର୍ଯ୍ୟଟନସ୍ଥଳୀଗୁଡ଼ିକର ପ୍ରଚାର ପ୍ରସାର ମଧ୍ୟରେ ସୀମିତ ରହିବ ନାହିଁ; ବରଂ ଏହା ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଶିକ୍ଷା, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ, ଉଦ୍ୟୋଗୀତା ଏବଂ ପୁଞ୍ଜି ନିବେଶର ଏକ ବଡ଼ ମାଧ୍ୟମ ଭାବେ କାର୍ଯ୍ୟ କରିବ। ଓଡିଶା ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସଡର ଭାବରେ କାର୍ଯ୍ୟ କରିବାକୁ ଉପମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଓ ଆଲୋଚନାର ଉତ୍ତର ରଖିଥିଲେ।
ଓଟିବି ୨୦୨୬ର ଏକ ଅଂଶ ଭାବରେ, କାର୍ଯ୍ୟକ୍ରମ ପୂର୍ବରୁ ଏବଂ ପରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଇ ଆଠଟି ପରିଚୟ ଭ୍ରମଣ (Familiarisation tour) ଆୟୋଜନ କରାଯିବ। ଏହାଦ୍ୱାରା ଟୁର ଅପରେଟର, କ୍ରେତା, ଗଣମାଧ୍ୟମ ପ୍ରତିନିଧି ଏବଂ ଜନସାଧାରଣ ଓଡ଼ିଶାର ବିବିଧ ପର୍ଯ୍ୟଟନ ସମ୍ପଦକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିପାରିବେ। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ବିଶିଷ୍ଟ ଶେଫ୍ ରଣବୀର ବ୍ରାରଙ୍କ ଦ୍ୱାରା ଏକ ଅଧିବେଶନ ରଖାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡ଼ିଶାର ମହାସଚିବ ଧୀମାନ ମଜୁମଦାର, ଟ୍ରାଭେଲ ଏଜେଣ୍ଟ ଆସୋସିଏସନ ଅଫ ଓଡ଼ିଶାର ସମ୍ପାଦକ ଆଲୋକ ମହାପାତ୍ର, ଇଣ୍ଡିଆନ ଆସୋସିଏସନ ଅଫ ଟୁର ଅପରେଟର୍ସ ଓଡ଼ିଶା ଶାଖାର ଅଧ୍ୟକ୍ଷ ଗଗନ ଷଡ଼ଙ୍ଗୀ, ଏଣ୍ଟରପ୍ରାଇଜିଂ ନେଟୱାର୍କ ଅଫ ଟ୍ରାଭେଲ ଆଣ୍ଡ ଟୁରିଜିମ ଆସୋସିଏଟ୍ସର ସଭାପତି ଦେବାଶିଷ ମିଶ୍ର ଏବଂ ଓଟିଆଇଏର ସମ୍ପାଦକ ଯୁଗବ୍ରତ କର ପ୍ରମୁଖ ସାମିଲ ଥିଲେ।
ଦେଶ ତଥା ବିଦେଶର ପର୍ଯ୍ୟଟନ ପ୍ରତିନିଧିଙ୍କ ଅଂଶଗ୍ରହଣ ସହିତ ଓଟିବି ୨୦୨୬ ବ୍ୟବସାୟିକ ସମ୍ପର୍କ ସ୍ଥାପନ, ପର୍ଯ୍ୟଟନସ୍ଥଳୀର ପ୍ରଚାର ଏବଂ ସହଭାଗିତା ପାଇଁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିବ ଏବଂ ଏହା ସହିତ ପର୍ଯ୍ୟଟନ ମାଧ୍ୟମରେ ନିଯୁକ୍ତି, ଉଦ୍ୟୋଗୀତା ତଥା ସ୍ଥାନୀୟ ଆର୍ଥିକ ବିକାଶକୁ ଆଗକୁ ବଢ଼ାଇବା ପାଇଁ ଓଡ଼ିଶାର ପ୍ରୟାସକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।


