ଅଙ୍ଗନୱାଡ଼ି କେନ୍ଦ୍ରର ବିକାଶ ପାଇଁ ରାଜ୍ୟର ସମସ୍ତ ବିଧାୟକଙ୍କୁ ଚିଠି ଲେଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର : ରାଜ୍ୟରେ ମହିଳା ଓ ଶିଶୁ ବିକାଶ ଧାରାକୁ ଅଧିକ ବ୍ୟାପକ କରିବା ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ବିଧାୟକମାନଙ୍କୁ ପତ୍ର ଲେଖିଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବରେ ସେ ନିର୍ବାଚନମଣ୍ଡଳୀଗୁଡ଼ିକରେ ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣ ଓ ଏହାର ବିକାଶ ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ସମସ୍ତ ଜନପ୍ରତିନିଧିଙ୍କୁ ଆହ୍ୱାନ କରିଛନ୍ତି। ବିଶେଷ କରି ନିଜ ନିଜର ନିର୍ବାଚନମଣ୍ଡଳୀରେ ଚାଲୁଥିବା କାର୍ଯ୍ୟରେ ମହିଳାମାନଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ଉପରେ ସେ ଏହି ଚିଠିରେ ଗୁରୁତ୍ୱାରୋପ କରିଛନ୍ତି।
ଶ୍ରୀମତୀ ପରିଡ଼ା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶ ଓ ନିର୍ମାଣ କାର୍ଯ୍ୟ ଯେପରି ସମୟାନୁବର୍ତ୍ତୀ ଏବଂ ଗୁଣାତ୍ମକ ଭାବେ ସମାପ୍ତ ହୁଏ, ସେଥିପାଇଁ ବିଧାୟକମାନେ ନିଜ ନିଜ ସ୍ତରରେ ତଦାରଖ କରିବା ଆବଶ୍ୟକ।
ସୂଚନାଯୋଗ୍ୟ ଯେ, ଆର୍ଥିକ ବର୍ଷ ୨୦୨୪-୨୫ ଏବଂ ୨୦୨୫-୨୬ ମଧ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର (AWC) ଭିତ୍ତିଭୂମି ସୁଦୃଢ଼ୀକରଣ ପଦକ୍ଷେପ ଅଧୀନରେ ସମୁଦାୟ ୩,୨୯୩ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦ୍ଘାଟିତ ହୋଇ ହସ୍ତାନ୍ତର ହୋଇଥିବା ବେଳେ ICDS ଯୋଜନା ଅଧୀନରେ ଓଡ଼ିଶାର ୧୨,୧୪୦ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡ଼ିରେ ରୂପାନ୍ତରିତ କରାଯାଇଛି।


