ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ୧୭ ଅକ୍ଟୋବରରୁ ୧୭ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ “ସ୍ୱଚ୍ଛତା ହିଁ ସେବା ଅଭିଯାନ” ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ“ସ୍ୱଚ୍ଛତା ଶପଥ” ପାଠ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଲୋକସେବା ଭବନସ୍ଥିତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରାଙ୍ଗଣରେ ସମବେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ। ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛତାର ବାର୍ତ୍ତା, ନିଜକୁ ସ୍ୱଚ୍ଛତା ପ୍ରତି ସଦା ସମର୍ପିତ ରହିବା, ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନରେ ସାମିଲ କରିବା, ଏଥିପାଇଁ ନିଜେ ସମୟ ଦେବା ଆଦି ପ୍ରସଙ୍ଗରେ ଅଧିକାରୀ ଓ କର୍ମଚାରୀମାନେ ଶପଥ କରିଥିଲେ। ଏହାପରେ ଏହି ଅବସରରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ସହିତ ଅଧିକାରୀ ଓ କର୍ମଚାରୀମାନେ ଆୟୋଜିତ “ସ୍ୱଚ୍ଛତା ହିଁ ସେବା ଅଭିଯାନ” ରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।


