‘ଆମ ଲୋକ ସଂସ୍କୃତି ଓ ଲୋକ ପରମ୍ପରା ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି’

ଭୁବନେଶ୍ୱର/ ବରଗଡ଼: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି “ଲୋକ ରଞ୍ଜନୀ” ସାଂସ୍କୃତିକ କାର୍ଯ୍ୟକ୍ରମ। ବରଗଡ଼ ଜିଲ୍ଲାର ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ମେ’ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ “ଲୋକ ରଞ୍ଜନୀ” ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। “ଲୋକ ରଞ୍ଜନୀ” କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମର ଦ୍ଵିତୀୟ ସନ୍ଧ୍ୟାରେ ବରଗଡ଼ ପୌରପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ପଦ୍ମଶ୍ରୀ ଭାଗବତ ପ୍ରଧାନ, ପଦ୍ମଶ୍ରୀ ହଳଧର ନାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଆମ ଲୋକସଂସ୍କୃତି ଓ ଲୋକ ପରମ୍ପରା ଆମ ରାଜ୍ୟ ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଆମ ଲୋକସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ “ଲୋକ ରଞ୍ଜନୀ” ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଆଗାମୀ ଦିନରେ ଆମ ଲୋକସଂସ୍କୃତିକୁ ବିଶ୍ୱ ବିଦିତ କରିବା ଲକ୍ଷ୍ୟରେ ସମସ୍ତ କଳାକାରମାନେ ନିଜର ନିରନ୍ତର ପ୍ରୟାସ ଜାରି ରଖନ୍ତୁ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମରେ କଳାକାରମାନେ ଜାମୁଡ଼ାଲି, ଡ଼ାଲଖାଇ, ଝୁମର, ଜାଇଫୁଲ, ଦୁରୁଆ ନୃତ୍ୟ, ଶବ୍ଦନୃତ୍ୟ, ନଚନିଆଁ ଆଦି ଲୋକନୃତ୍ୟ ପରିବେଷଣ କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *