ଓଡ଼ିଶା ସମବାୟ ଇତିହାସରେ ପ୍ରଥମ ଥର ପାଇଁ ପାକ୍ସ ଏବଂ ଲ୍ୟାମ୍ପ୍ସ ଚାଷୀ ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରିବେ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଆସନ୍ତା ମଙ୍ଗଳବାର ସେପ୍ଟେମ୍ବର ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ରାଜ୍ୟର ସମବାୟ କ୍ଷେତ୍ରର ସମ୍ପ୍ରସାରଣ ପାଇଁ ଏକ ମେଗା ସମବାୟ ସଦସ୍ୟତା ଅଭିଯାନ “ସମ୍ବନ୍ଧ”ର ଶୁଭାରମ୍ଭ ହେବ। ମେଗା ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ ଆରମ୍ଭ କରାଯିବା ସହ ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂତନ ମୋବାଇଲ ଆପ୍ଲିକେସନ୍‌ର ଶୁଭାରମ୍ଭ ହେବ। ସର୍ବୋପରି, ଏହି ସଦସ୍ୟତା ଅଭିଯାନ “ସମ୍ବନ୍ଧ”ମାଧ୍ୟମରେ ସମବାୟ ବିଭାଗ ଗ୍ରାମାଞ୍ଚଳର ସମସ୍ତ ଘରୁ ଅତିକମରେ ଜଣଙ୍କୁ ସଦସ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି। ଯାହାକି ସମବାୟ ସେବାକୁ ସମସ୍ତ ଘରେ ଘରେ ପହଞ୍ଚାଇବାର ପଥ ସୁଗମ କରିବ ଓ ଗ୍ରାମୀଣ ଜୀବନ ଶୈଳୀକୁ ସହଜ ଓ ଉନ୍ନତ କରିବାରେ ସହାୟ ହେବ। ଏହି ଅବସରରେ ସମବାୟ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

ଏହା ସହିତ ଓଡ଼ିଶା ସମବାୟ ଇତିହାସରେ ପ୍ରଥମ ଥର ପାଇଁ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ବୃହଦାକାର ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପ୍ସ) ଗୁଡ଼ିକ ଚାଷୀ ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୮୦ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସର ପାଖାପାଖି ୩ ଲକ୍ଷରୁ ଅଧିକ ହିତାଧିକାରୀ ୧୪ କୋଟି ଟଙ୍କା ଲାଭାଂଶ ପାଇବେ। ସେହିପରି ରାଜ୍ୟ ସରକାର ମଧ୍ୟ ଅଂଶୀଦାର ଭାବରେ ୪ କୋଟି ୨୨ ଲକ୍ଷ ଟଙ୍କା ପାଇବେ, ଯାହା ପୁନର୍ବାର ସମବାୟ କ୍ଷେତ୍ରର ବିକାଶ ପାଇଁ ବିନିଯୋଗ ହେବ।

ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ କରିବା ଦିଗରେ ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବର୍ତ୍ତମାନ ୭୬ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା ବେଳେ ୧ତାରିଖ ଦିନ ଆଭାଷୀ ମାଧ୍ୟମରେ ଆଉ ୨୧ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସରେ ନୂତନ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଉଦ୍‌ଘାଟନ କରାଯିବ।

କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଯେପରି କମ ମୂଲ୍ୟରେ ଭଡ଼ା ସୂତ୍ରରେ ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷକାର୍ଯ୍ୟ କରିପାରିବେ, ସେଥିପାଇଁ ପ୍ୟାକ୍ସ ଓ ଲ୍ୟାମ୍ପ୍ସଗୁଡ଼ିକୁ କୃଷି ସେବା କେନ୍ଦ୍ର ରୂପେ ବିକଶିତ କରାଯାଉଛି ଏବଂ ଏଭଳି ୫୦ଟି କୃଷି ସେବା କେନ୍ଦ୍ରର ଶୁଭାରମ୍ଭ ହେବ। ଏହା ସହିତ ଗ୍ରାମାଞ୍ଚଳର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଦ୍ରବ୍ୟ ଯୋଗାଇଦେବା ପାଇଁ ୪୬ଟି ଖାଉଟି କେନ୍ଦ୍ର ଏବଂ ଗ୍ରାମାଞ୍ଚଳର ଲୋକମାନଙ୍କୁ ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ଓ ବେସରକାରୀ ସେବା ସହଜରେ ଯୋଗାଇଦେବା ଉଦ୍ଦେଶ୍ୟରେ ୨୦୦ଟି ଜନସେବା କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରାଯିବ। ସ୍ୱଚ୍ଛତା ଓ କ୍ଷମତା ବୃଦ୍ଧି ପାଇଁ ପ୍ୟାକ୍ସଗୁଡିକୁ ଜାତୀୟ ପ୍ୟାକ୍ସ କମ୍ପ୍ୟୁଟରାଇଜେସନ ସଫ୍ଟୱେର୍ (NLPS)ରେ ସାମିଲ କରାଯାଉଥିବା ବେଳେ ୨୦୦ଟି ପ୍ୟାକ୍ସକୁ ମଙ୍ଗଳବାର ଏଥିରେ ସାମିଲ କରାଯିବ। ଅବଶିଷ୍ଟ ସମସ୍ତ ସମିତି ପାଇଁ ଏହି ପ୍ରକ୍ରିୟା ଜାରି ରହିଛି ଓ ଏହା ଆର୍ଥିକ ବର୍ଷ ଶେଷ ସୁଦ୍ଧା ପୂରଣ ହେବ। 

ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ପରିକଳ୍ପନା ସ୍ବରୂପ ରାଜ୍ୟର ସମସ୍ତ ଜିଲ୍ଲାରେ ଉନ୍ନତ ଭିତ୍ତିଭୂମି ଥିବା ୧୦୦ଟି  ମଡେଲ ମଣ୍ଡି ସ୍ଥାପିତ ହେବ। ପ୍ରଥମ ପର୍ଯ୍ୟାୟରେ କ୍ୟାବିନେଟ୍‌ରେ ଅନୁମୋଦିତ ହୋଇଥିବା ୩୮ଟି ମଡେଲ ମଣ୍ଡି ମଧ୍ୟରୁ ମଙ୍ଗଳବାର ଦିନ କଟକରେ ୨ଟି, ଖୋର୍ଦ୍ଧାରେ ୧ଟି ଏବଂ ପୁରୀରେ ୧ଟି ସମେତ ମୋଟ ୪ଟି ମଡେଲ ମଣ୍ଡିର ଭିତ୍ତିପ୍ରସ୍ତର ଆଭାଷୀ ମାଧ୍ୟମରେ ସ୍ଥାପନ କରାଯିବ। ଅବଶିଷ୍ଟ ମଣ୍ଡି ପାଇଁ ସ୍ଥାନ ଚିହ୍ନଟ ସହ ଡିପିଆର ମଧ୍ୟ ଚୂଡ଼ାନ୍ତ ସରିଛି। ଏହା ବ୍ୟତୀତ, କେନ୍ଦ୍ର ସରକାରଙ୍କ ସମବାୟ ବିଭାଗର ‘ବିଶ୍ୱର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନା’ ଅଧୀନରେ ପ୍ରଥମ ଦଫାରେ ନିର୍ମାଣ ହେବାକୁ ଥିବା ୧୯ଟି ଗୋଦାମ ମଧ୍ୟରୁ ୩ଟିର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ଗତ ମାର୍ଚ୍ଚ ମାସରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତ ଅବସରରେ ୧୨ଟିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାସହିତ ରାଜ୍ୟ ପଣ୍ୟାଗାର ନିଗମ (OSWC) ରେ ୩୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।

ଚାଷୀ ଭାଇଭଉଣୀମାନଙ୍କୁ  ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରି ଗ୍ରାମାଞ୍ଚଳରେ ସମବାୟ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ବୈପ୍ଳବିକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସମସ୍ତ ଯୁଗାନ୍ତକାରୀ ପଦକ୍ଷେପଗୁଡ଼ିକ ଓଡ଼ିଶାର ସମବାୟ ଆନ୍ଦୋଳନକୁ ଆହୁରି ଅଧିକ ଗତିଶୀଳ କରିବା ସହ ଜାତୀୟ ସ୍ତରରେ ଏହାକୁ ଏକ ନୂତନ ପରିଚୟ ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *