- Administration
- Business
- Development
- Economy
- Employment
- Governance
- Infrastructure
- Local
- Road safety
- Service
କ୍ରୁଟ୍ ପକ୍ଷରୁ ପୁନଃପ୍ରଶିକ୍ଷଣକୁ ବ୍ୟାପକ କରାଯାଉଛି
ଭୁବନେଶ୍ୱର: କମ୍ପ୍ରିହେନ୍ସିଭ୍ ରିଜିଓନାଲ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍)ର କାର୍ଯ୍ୟକଳାପ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରି ‘ଆମ ବସ୍’ସେବାର ଗୁଣବତ୍ତା, ସୁରକ୍ଷା ଓ ବିଶ୍ୱସନୀୟତାକୁ ଆହୁରି ସୁଦୃଢ଼ କରିବା ପାଇଁ ସମନ୍ୱିତ ଓ ସମୟବଦ୍ଧ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲମ୍, ଅତିରିକ୍ତ ସଚିବ- ତଥା -ଜିଏମ୍ ସହଦେବ ସମାଧିଆ, ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ମମତାରାଣୀ ନାଏକ, କ୍ରୁଟ୍ର ଆର୍ଥିକ ପରାମର୍ଶଦାତା, ଓଏସ୍ ଡି, ମ୍ୟାନେଜର (ଅପରେସନ)ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ବୈଠକରେ କ୍ରୁଟ୍ର ସାମଗ୍ରିକ ପରିଚାଳନା କାର୍ଯ୍ୟଦକ୍ଷତା, ବସ୍ ଓ ରୁଟ୍ ପରିଚାଳନା, ସଡ଼କ ସୁରକ୍ଷା, ଯାତ୍ରୀ ସେବା, ପରିଚାଳନା, ଡିଜିଟାଲ୍ ବ୍ୟବସ୍ଥା, ଆର୍ଥିକ ସ୍ଥାୟିତ୍ୱ, ଭିତ୍ତିଭୂମି ଏବଂ ଭବିଷ୍ୟତ ସମ୍ପ୍ରସାରଣ ଯୋଜନା ଆଦିର ବିସ୍ତୃତ ସମୀକ୍ଷା କରାଯାଇଥିଲା। ସେବା ପ୍ରଦାନ ବ୍ୟବସ୍ଥାର ନିରନ୍ତର ନିରୀକ୍ଷଣ କରି ଯେଉଁଠାରେ ଅଭାବ ବା ତ୍ରୁଟି ପରିଲକ୍ଷିତ ହେଉଛି, ସେଠାରେ ତୁରନ୍ତ ସୁଧାରମୂଳକ ପଦକ୍ଷେପ ନେବାକୁ ଶ୍ରୀମତୀ ପାଢ଼ୀ ପରାମର୍ଶ ଦେଇଥିଲେ। ନିରାପଦ, ବିଶ୍ୱସନୀୟ, ଦକ୍ଷ ଓ ଯାତ୍ରୀ-ଅନୁକୂଳ ସାଧାରଣ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ପ୍ରାଥମିକତା ଦେଇଥିଲେ।
ବର୍ତ୍ତମାନ କ୍ରୁଟ୍ ପକ୍ଷରୁ ସାତଟି ସହରରେ ୭୭୦ଟି ବସ୍ ଚଳାଚଳ କରୁଛି। ଏଥିରେ ୩୯୦ଟି ଇଲେକ୍ଟ୍ରିକ୍ ବସ୍ ରହିଛି। ୧୩୮ଟି ରୁଟ୍ରେ ଏହି ବସ୍ଗୁଡ଼ିକ ଚଳାଚଳ କରି ପ୍ରତିଦିନ ପ୍ରାୟ ୩.୫ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇ ଦେଉଛି। ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍, ଜି ପି ଏସ୍ ଆଧାରିତ ଯାନ ଟ୍ରାକିଂ, କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ମନିଟରିଂ, ସି ସି ଟି ଭି, ଯାତ୍ରୀ ସୂଚନା ବ୍ୟବସ୍ଥା ଏବଂ ଅପରେସନାଲ୍ ଡ୍ୟାସବୋର୍ଡ ଭଳି ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥା ମାଧ୍ୟମରେ କ୍ରୁଟ୍ର ପରିଚାଳନାକୁ ଆହୁରି ସୁଦୃଢ଼ କରାଯାଉଛି।
ବୈଠକରେ ସଡ଼କ ସୁରକ୍ଷା ଓ କ୍ରୁ’ଙ୍କ କାର୍ଯ୍ୟଦକ୍ଷତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ପୂର୍ବବର୍ଷର ସମାନ ସମୟ ତୁଳନାରେ କ୍ରୁଟ୍ର ବସ୍ ଦୁର୍ଘଟଣାରେ ୫୨ ପ୍ରତିଶତ ହ୍ରାସ ଘଟିଛି। ଚାଳକମାନଙ୍କ ପାଇଁ ଉନ୍ନତ ପ୍ରଶିକ୍ଷଣ, ବାଧ୍ୟତାମୂଳକ ମଦ୍ୟପାନ ପରୀକ୍ଷା, ବେଗ ନିରୀକ୍ଷଣ, ନିୟମିତ ସୁରକ୍ଷା ପ୍ରଶିକ୍ଷଣ ଏବଂ କେପିଆଇ ଆଧାରିତ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ପାଞ୍ଚ ଦିନିଆ ‘ସୁବାହକ’ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମଧ୍ୟ ସୁଦୃଢ଼ କରାଯାଇ ଇଲେକ୍ଟ୍ରିକ୍ ବସ୍ ପରିଚାଳନା ଉପରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଡ୍ୟୁଲ୍ ସାମିଲ କରାଯାଇଛି। ବର୍ତ୍ତମାନ ଚଳାଚଳ କରୁଥିବା ବସ୍ଗୁଡ଼ିକରେ ଆଡଭାନ୍ସଡ୍ ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ୍ ଏବଂ ଡ୍ରାଇଭର୍ ଫାଟିଗ୍ ମନିଟରିଂ ସିଷ୍ଟମ୍ ପ୍ରଚଳନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।
ଶ୍ରୀମତୀ ପାଢ଼ୀ କହିଥିଲେ ଯେ, ପ୍ରଯୁକ୍ତି ଓ ଭିତ୍ତିଭୂମିର ବିକାଶର ଶେଷ ଲକ୍ଷ୍ୟ ହେଉଛି ଯାତ୍ରୀମାନଙ୍କୁ ଉନ୍ନତ ସେବା ଯୋଗାଇଦେବା। ଏହି ପରିପ୍ରେକ୍ଷୀରେ ଡିଜିଟାଲ୍ ଟିକେଟିଂ, ଲାଇଭ୍ ବସ୍ ଟ୍ରାକିଂ, ବସ୍ ପହଞ୍ଚିବାର ସମ୍ଭାବ୍ୟ ସମୟ ସୂଚନା, ଯାତ୍ରୀ ମତାମତ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିସମ୍ପନ୍ନ ସେବାର ସମୀକ୍ଷା କରାଯାଇଥିଲା। “ସାରଥୀ” ସେବା ଏବଂ ଇଲେକ୍ଟ୍ରିକ୍ ଫିଡର୍ ବସ୍ ସେବା ମାଧ୍ୟମରେ କ୍ରୁଟ୍ ଶେଷ ମାଇଲ୍ ସଂଯୋଗକୁ ମଧ୍ୟ ସୁଦୃଢ଼ କରୁଛି । ଫିଡର୍ ସେବାର ପାଇଲଟ୍ ପ୍ରକଳ୍ପରେ ବର୍ତ୍ତମାନ ଦୈନିକ ହାରାହାରି ପ୍ରାୟ ୪,୦୦୦ ଯାତ୍ରୀ ଯାତାୟାତ କରୁଛନ୍ତି। ଯାତ୍ରୀମାନଙ୍କୁ ଅଧିକ ସୁବିଧା ଓ ସାର୍ବଜନୀନ ପରିବହନରେ ନିରବଚ୍ଛିନ୍ନ ଯାତାୟାତ ସୁବିଧା ପ୍ରଦାନ ଉଦ୍ଦେଶ୍ୟରେ କ୍ରୁଟ୍ ଡିଜିଟାଲ୍ ଓ ସମନ୍ୱିତ ଟିକେଟିଂ ବ୍ୟବସ୍ଥା ସହ ଜାତୀୟ ସାଧାରଣ ଗତିଶୀଳତା କାର୍ଡର ବ୍ୟାପକ ବ୍ୟବହାରକୁ ପ୍ରୋତ୍ସାହିତ କରୁଛି।
ବୈଠକରେ ମାନବ ସମ୍ବଳ ସୁଦୃଢ଼ୀକରଣ ଓ କର୍ମଚାରୀ କଲ୍ୟାଣ ଦିଗ ମଧ୍ୟ ସମୀକ୍ଷା କରାଯାଇଥିଲା। କ୍ରୁଟ୍ ପକ୍ଷରୁ ପୁନଃପ୍ରଶିକ୍ଷଣକୁ ବ୍ୟାପକ କରାଯାଇଥିବାବେଳେ ଇଲେକ୍ଟ୍ରିକ୍ ବସ୍ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ, ସାଇକୋମେଟ୍ରିକ୍ ମୂଲ୍ୟାୟନ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ପଦକ୍ଷେପ ନିଆଯାଇଛି। କ୍ରୁଙ୍କ କାର୍ଯ୍ୟଦକ୍ଷତାକୁ ନିର୍ଦ୍ଦିଷ୍ଟ କେ ପି ଆଇ ସହ ସଂଯୁକ୍ତ କରାଯାଇଛି। କ୍ରୁଟ୍ର ସମସ୍ତ “କ୍ରୁ” ସଦସ୍ୟ ‘ସୁବାହକ’ପ୍ରଶିକ୍ଷଣ ମାଧ୍ୟମରେ ପ୍ରମାଣିତ ହୋଇଥିବାବେଳେ ୧୧୮ ଜଣ “କ୍ରୁ” ସଦସ୍ୟଙ୍କୁ କାର୍ଯ୍ୟଦକ୍ଷତା ଆଧାରିତ ସ୍ୱୀକୃତି ପ୍ରଦାନ କରାଯାଇଛି।
କ୍ରୁଟ୍ର ଆର୍ଥିକ ସ୍ଥାୟିତ୍ୱ ଓ ଅନୁଷ୍ଠାନଗତ ସୁଦୃଢ଼ୀକରଣ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା। ସୁଲଭ ଭଡ଼ା ଏବଂ ଜନସେବା ଦାୟିତ୍ୱ ସତ୍ତ୍ୱେ କ୍ରୁଟ୍ର ଖର୍ଚ୍ଚ ଆଦାୟ ଅନୁପାତରେ ଉନ୍ନତି ଘଟିଛି ଏବଂ ବର୍ତ୍ତମାନ ଏହା ପ୍ରାୟ ୬୫ ପ୍ରତିଶତ ରହିଛି। ଭବିଷ୍ୟତ ପଦକ୍ଷେପ ମଧ୍ୟରେ ସାଂଗଠନିକ ପୁନର୍ଗଠନ, ସ୍ୱୟଂଚାଳିତ ବିକ୍ରେତା ଓ ବିଲିଂ ପରିଚାଳନା, ସମ୍ପତ୍ତିରୁ ରାଜସ୍ୱ ସୃଷ୍ଟି, କୂତ୍ରିମ ବୁଦ୍ଧିମତ୍ତା ଆଧାରିତ ସମୟସୂଚୀ ପ୍ରସ୍ତୁତି ଏବଂ ପର୍ଯ୍ୟାୟକ୍ରମେ ସେବା ସମ୍ପ୍ରସାରଣ ଆଦି ରହିଛି।
ନାଗରିକମାନଙ୍କ ବଢ଼ୁଥିବା ଯାତାୟାତ ଆବଶ୍ୟକତା ପୂରଣ ପାଇଁ କ୍ରୁଟ୍ ଅଧିକ ସହରକୁ ଏହାର ସାଧାରଣ ପରିବହନ ନେଟୱର୍କ ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରୁଛି। ବସ୍ ସଂଖ୍ୟା ବୃଦ୍ଧି, ରୁଟ୍ ସମ୍ପ୍ରସାରଣ ଏବଂ ନିର୍ଭରଯୋଗ୍ୟ ସାଧାରଣ ପରିବହନ ସେବା ପ୍ରତି ଯାତ୍ରୀଙ୍କ ପହଞ୍ଚକୁ ସୁଦୃଢ଼ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଉଛି। ଏହି ସମ୍ପ୍ରସାରଣ ରଣନୀତି ମାଧ୍ୟମରେ ନାଗରିକମାନଙ୍କ ବଢ଼ୁଥିବା ଗତିଶୀଳତା ଆବଶ୍ୟକତା ପୂରଣ ସହ ସାମଗ୍ରିକ ନଗର ସାଧାରଣ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ।
ଶେଷ ମାଇଲ୍ ସଂଯୋଗକୁ ଆହୁରି ସୁଦୃଢ଼ କରିବା ନିମନ୍ତେ କ୍ରୁଟ୍ ପକ୍ଷରୁ ସାର୍ବଜନୀନ-ଘରୋଇ ସହଭାଗିତା ମଡେଲ୍ ଏବଂ ଅନ୍ୟାନ୍ୟ ସହଯୋଗମୂଳକ ପଦକ୍ଷେପ ମାଧ୍ୟମରେ ଫିଡର୍ ଓ ଆନୁଷଙ୍ଗିକ ଗତିଶୀଳତା ସେବାର ପ୍ରଚଳନ ଓ ସମ୍ପ୍ରସାରଣର ସମ୍ଭାବନା ଅନୁସନ୍ଧାନ କରାଯାଉଛି। ସେବାର ପରିସର ବୃଦ୍ଧି, ପରିଚାଳନାଗତ ଦକ୍ଷତା ଏବଂ ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ପି ପି ପି ଆଧାରିତ ପଦକ୍ଷେପର ସମ୍ଭାବନା ମଧ୍ୟ ଅନୁଧ୍ୟାନ କରାଯିବ।
ଶ୍ରୀମତୀ ପାଢ଼ୀ କ୍ରୁଟ୍କୁ ରୁଟ୍, ସମୟସୂଚୀ, ବସ୍ର ବ୍ୟବହାର, ସୁରକ୍ଷା ସୂଚକ, ଯାତ୍ରୀଙ୍କ ଅଭିଯୋଗ ଏବଂ କ୍ରୁ’ ମାନଙ୍କର କାର୍ଯ୍ୟଦକ୍ଷତାର ନିରନ୍ତର ନିରୀକ୍ଷଣ ପାଇଁ ଏକ ସୁଦୃଢ଼ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ‘ଆମ ବସ୍’ ସେବା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତ୍ୱ, ପରିଚାଳନାଗତ ସମସ୍ୟାର ତ୍ୱରିତ ସମାଧାନ ଏବଂ ଯାତ୍ରୀଙ୍କ ମତାମତର ନିୟମିତ ମୂଲ୍ୟାୟନ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ପ୍ରଭାବୀ ଅନୁପାଳନ ସୁନିଶ୍ଚିତ କରିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବଶ୍ୟକ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଏହା ଦ୍ୱାରା କ୍ରୁଟ୍ ଏକ ନିରାପଦ, ଦକ୍ଷ, ପ୍ରଯୁକ୍ତିସମ୍ପନ୍ନ ଏବଂ ନାଗରିକକୈନ୍ଦ୍ରିକ ନଗର ସାଧାରଣ ପରିବହନ ବ୍ୟବସ୍ଥା ହୋଇ ନିରନ୍ତର ଭାବେ ବିକଶିତ ହୋଇପାରିବ।


